ETV Bharat / state

'ଅସର' ରିପୋର୍ଟରେ ସମ୍ବଲପୁରର ସତ, ୧୦୦ରୁ ୬୪ ଛାତ୍ରଛାତ୍ରୀ ଜାଣନ୍ତିନି ହରଣ

author img

By ETV Bharat Odisha Team

Published : Jan 18, 2024, 5:10 PM IST

ASER 2023:'ଅସର' ରିପୋର୍ଟ ଅନୁସାରେ ସମ୍ବଲପୁରରେ ୬୪ ପ୍ରତିଶତ ଛାତ୍ରଛାତ୍ରୀ ଜାଣିନାହାନ୍ତି ଗଣିତ ଓ ହରଣ। ଖାଲି ସେତିକି ନୁହାଁ, ୨୧ ପ୍ରତିଶତ ଯୁବକ ଯୁବତୀ କୌଣସି ସଂସ୍ଥାନରେ ନାମ ଲେଖାଇ ନାହାନ୍ତି । ଅଧିକ ଜାଣନ୍ତୁ

'ଅସର' ରିପୋର୍ଟ
'ଅସର' ରିପୋର୍ଟ

'ଅସର' ରିପୋର୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା 'ଅସର' ରିପୋର୍ଟ। ରାଜ୍ୟର କେବଳ ସମ୍ବଲପୁର ଜିଲ୍ଲାର ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ୬୪ ପ୍ରତିଶତ ଛାତ୍ରଛାତ୍ରୀ ଜାଣିନାହାନ୍ତି ଗଣିତ ଓ ହରଣ । ଏପରିକି ୨୧ ପ୍ରତିଶତ ଯୁବକ ଯୁବତୀ କୌଣସି ସଂସ୍ଥାନରେ ନାମ ଲେଖାଇ ନାହାନ୍ତି। ଏହାସହ ପାଖାପାଖି ୯୦ ପ୍ରତିଶତ ଯୁବପିଢି ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ଅସର ୨୦୨୩ ସର୍ଭେ ଅନୁସାରେ, ୨୬ ରାଜ୍ୟର ୨୮ ଟି ଜିଲ୍ଲାରେ ସର୍ଭେ କରାଯାଇଛି। ଏଥିପାଇଁ ୧୪-୧୮ ବର୍ଷର ୩୪ ହଜାର ୭୪୫ ପିଲାଙ୍କୁ ନେଇ ହୋଇଛି ସର୍ଭେ।

ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ୨ଟି ଲେଖାଏଁ ଜିଲ୍ଲାରେ ସର୍ଭେ କରାଯାଇଥିବାବେଳେ ବାକି ରାଜ୍ୟରେ ଗୋଟିଏ ଲେଖାଏଁ ଜିଲ୍ଲାରେ ସର୍ଭେ କରାଯାଇଛି। ଏହି ଅବସରରେ ଓଡ଼ିଶାରେ ଅସର-୨୦୨୩ ସର୍ଭେ ଅନୁସାରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ସମ୍ବଲପୁରରେ ସର୍ଭେ କରାଯାଇଛି। ଏଥିରେ ଦେଖାଯାଇଛି, ୧୪-୧୮ ବର୍ଷର ଯୁବକଯୁବତୀମାନେ ଯେକୌଣସି ଶିକ୍ଷା ସଂସ୍ଥାନରେ ପଞ୍ଜୀକୃତ ରହିଛନ୍ତି। ୭୯.୨ ପ୍ରତିଶତ ଯୁବକଯୁବତୀମାନେ ସରକାରୀ ସଂସ୍ଥାନରେ ପଞ୍ଜୀକୃତ ରହିଛନ୍ତି। ୨୧.୯ ପ୍ରତିଶତ ଯୁବକ ଯୁବତୀମାନେ କେଉଁଠି ମଧ୍ୟ ପଞ୍ଜୀକୃତ ନାହାନ୍ତି। ଏହି ଅନୁପାତ ୧୪-୧୬ ବର୍ଷ ତୁଳନାରେ ୧୭-୧୮ ବର୍ଷ ଯୁବକଯୁବତୀମାନଙ୍କ ପାଇଁ ଅଧିକ ରହିଛି। ୧୭-୧୮ ବର୍ଷର ଯୁବକଯୁବତୀମାନଙ୍କ ମଧ୍ୟରେ ୩୭.୫ ପ୍ରତିଶତ ପୁରୁଷ ଓ ୪୪.୯ ପ୍ରତିଶତ ମହିଳା ପଞ୍ଜୀକୃତ ନାହାନ୍ତି।

ସମ୍ବଲପୁରରେ ୧୪-୧୮ ବର୍ଷର ସମସ୍ତ ଯୁବକଯୁବତୀଙ୍କ ମଧ୍ୟରୁ ୭୭.୫ ପ୍ରତିଶତ 'ଅସର' ପଠନ ପରୀକ୍ଷାରେ ଦ୍ଵିତୀୟ ଶ୍ରେଣୀ ପାଠ ପଢ଼ି ପାରୁଛନ୍ତି। ୩୫.୯ ପ୍ରତିଶତ 'ଅସର' ଗଣିତ ପରୀକ୍ଷାରେ ହରଣ କରିପାରୁଛନ୍ତି। ୫୩.୬ ପ୍ରତିଶତ 'ଅସର' ଇଂରାଜୀ ପରୀକ୍ଷାରେ ଅତି କମରେ ବାକ୍ୟ ପଢୁଛନ୍ତି। ମୋଟାମୋଟି ଭାବରେ ୪୦ ପ୍ରତିଶତ ଯୁବକଯୁବତୀ ଗଣତି କରି ପାରିଛନ୍ତି। ଯେଉଁମାନେ ପ୍ରଥମ ଶ୍ରେଣୀ ପାଠ ପଢ଼ି ପାରୁଛନ୍ତି ସେମାନଙ୍କ ମଧ୍ୟରୁ ୫୬. ୪ ପ୍ରତିଶତ ଏକ ଔଷଧ ପ୍ୟାକେଟ୍ ପଢ଼ି ୪ଟିରୁ ୩ଟି ପ୍ରଶ୍ନର ଉତ୍ତର ଦେଇପାରିଛନ୍ତି। ଯେଉଁମାନେ ଫେଡାଣ ପରିପାରୁଛନ୍ତି ସେମାନଙ୍କ ମଧ୍ୟରୁ ୫୦.୧ ପ୍ରତିଶତ ବଜେଟ୍ ସମ୍ବନ୍ଧିତ ଟାସ୍କ କରିପାରୁଛନ୍ତି । ୨୮.୫ ପ୍ରତିଶତ ରିହାତି ପ୍ରଶ୍ନ ସମାଧାନ କରିପାରୁଛନ୍ତି। ଏହାସହ ୮.୫ ପ୍ରତିଶତ ସରଳ ସୁଧ ପ୍ରଶ୍ନ ସମାଧାନ କରିପାରୁଛନ୍ତି।

ଏହା ମଧ୍ୟ ପଢନ୍ତୁ...ଉଚ୍ଚ ଶିକ୍ଷା ଦେବ ଇ-ଲେକ୍ଚର୍ସ; 'ଯୁଗ ବଦଳିବା ସହ ବଦଳୁଛି ଟେକ୍ନୋଲୋଜି '
ଏପଟେ ସମ୍ବଲପୁରରେ ୮୦.୮ ପ୍ରତିଶତ ଯୁବକ ଯୁବତୀଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି । ୮୯.୯ ପ୍ରତିଶତ ଯୁବକଯୁବତୀ ସ୍ମାର୍ଟଫୋନ ବ୍ୟବହାର ଜାଣିଛନ୍ତି। ପୁରୁଷମାନଙ୍କ ମଧ୍ୟରେ ଏହି ଅନୁପାତ ୯୩.୫ ପ୍ରତିଶତ ଓ ମହିଳାମାନଙ୍କ ମଧ୍ୟରେ ଏହା ୮୬.୭ ପ୍ରତିଶତ ରହିଛି। ୪୯.୩ ପ୍ରତିଶତ ପୁରୁଷ ଓ ୮୨.୮ ପ୍ରତିଶତ ମହିଳାଙ୍କ ପାଖରେ ନିଜ ସ୍ମାର୍ଟଫୋନ୍ ଅଛି। ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର ଜାଣିଛନ୍ତି, ସେମାନଙ୍କ ମଧ୍ୟରୁ ୬୮.୫ ପ୍ରତିଶତ ଯୁବକଯୁବତୀ ସର୍ଭେର ଏକ ସପ୍ତାହ ପୁର୍ବରୁ ଅତି କମରେ ଗୋଟିଏ ଶିକ୍ଷା ସମ୍ବନ୍ଧିତ ଗତିବିଧି କରିଛନ୍ତି । ୮୯.୮ ପ୍ରତିଶତ ସୋସିଆଲ ମିଡ଼ିଆ ବ୍ୟବହାର କରୁଛନ୍ତି।

ବହୁ ଅନୁପାତର ଯୁବକଯୁବତୀ ସୋସିଆଲ ମିଡ଼ିଆ ବ୍ୟବହାର କରିଛନ୍ତି । ବହୁତ କମ୍ ଅନୁପାତର ଯୁବକଯୁବତୀ ଏହାର ନିରାପତ୍ତା ସୁବିଧା ଯେପରି ପ୍ରୋଫାଇଲ୍ ବ୍ଲକ୍ କରିବା, ପ୍ରାଇଭେଟ୍ କରିବା ଇତ୍ୟାଦି ଜାଣିଛନ୍ତି । ତେବେ ୪୧.୨ ପ୍ରତିଶତ ଲୋକ କିଛି ସୂଚନା ଖୋଜିବା ପାଇଁ ଇଣ୍ଟରନେଟ୍‌ ବ୍ରାଉଜ୍ କରିପାରିଛନ୍ତି। ୩୫.୧ ପ୍ରତିଶତ ଗୁଗୁଲ୍ ମ୍ୟାପ ବ୍ୟବହାର ଜାଣିଛନ୍ତି ଓ ୭୮.୭ ପ୍ରତିଶତ ୟୁଟ୍ୟୁବରେ ଭିଡ଼ିଓ ଖୋଜି ଜାଣିଛନ୍ତି। ଏହି ସମସ୍ତ ଡିଜିଟାଲ ଟାସ୍କରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଭଲ ପ୍ରଦର୍ଶନ କରିଛନ୍ତି। ସେପଟେ ୫T ଅଧୀନରେ ସ୍କୁଲ ରୂପାନ୍ତରଣ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାୟକ । ସେ କହିଛନ୍ତି, "କେବଳ ରୂପାନ୍ତର କଲେ ହେବ ନାହିଁ । ପିଲାମାନଙ୍କୁ ରଙ୍ଗ ବେରଙ୍ଗ ବିଲ୍ଡିଂ ନୁହେଁ, ଶିକ୍ଷକ ଦରକାର । ଶିକ୍ଷକ ନିଯୁକ୍ତିରେ ବିଫଳ ରାଜ୍ୟ ସରକାର । ଯେଉଁଥିପାଇଁ ସମ୍ବଲପୁରରେ ଏଭଳି ଶିକ୍ଷା ବ୍ୟବସ୍ଥା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.