ETV Bharat / state

ମହର୍ଷି କ୍ୟାମ୍ପସ ଭିତରେ ଆତଙ୍କ ଖେଳାଇଲେ ଅଣଛାତ୍ର, କଲେଜର ୫ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟି ଲହୁଲୁହାଣ

author img

By

Published : Apr 17, 2023, 6:31 PM IST

Updated : Apr 17, 2023, 6:38 PM IST

ମହର୍ଷି କଲେଜ କ୍ୟାମ୍ପସ ଭିତରେ ପଶି ୫ ଜଣ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଅଣଛାତ୍ର । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢ଼ନ୍ତୁ

outsiders attacked on students  at maharshi college bhubaneswar
ମହର୍ଷି କଲେଜରେ ଛାତ୍ର ଅଶାନ୍ତି

ମହର୍ଷି କଲେଜରେ ଛାତ୍ର ଅଶାନ୍ତି

ଭୁବନେଶ୍ବର: କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ତୁମୁଳକାଣ୍ଡ । କ୍ୟାମ୍ପସ ଭିତରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ କଲେଜ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ । ଅଣଛାତ୍ରଙ୍କ ଆକ୍ରମଣରେ ୫ ଜଣ ଛାତ୍ର ଆହତ ହୋଇଛନ୍ତି । ରାଜଧାନୀ ମହର୍ଷି କଲେଜରେ ୧୦ରୁ ଊର୍ଦ୍ଧ୍ବ ଅଣଛାତ୍ର ଏଭଳି କାଣ୍ଡ ଭିଆଇଛନ୍ତି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ସିସିଟିଭି ଆଧାରରେ ଯାଞ୍ଚ କରୁଛି ।

ଆଜି (ସୋମବାର) ସକାଳ ସମୟରେ କିଛି ଅଣଛାତ୍ର ମହର୍ଷି କଲେଜ କ୍ୟାମ୍ପସରେ ପଶି ଗଣ୍ଡଗୋଳ କରିଥିଲେ‌ । ୧୦ରୁ ଊର୍ଦ୍ଧ୍ବ ଯୁବକ ବ୍ୟାଟ, ହକି ଷ୍ଟିକ ଓ ମାରଣାସ୍ତ୍ର ଧରି କ୍ୟାମ୍ପସ ଭିତରେ ପଶି ଆତଙ୍କ ଖେଳାଇଥିଲେ । ଏପରିକି କଲେଜର ୫ଜଣ ଛାତ୍ରଙ୍କୁ ନିସ୍ତୁକ ପିଟି ଲହୁଲୁହାଣ କରିଥିଲେ । ସେମାନଙ୍କ ମଧ୍ଯରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସହିଦନଗର ଥାନା ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିବା ସହ କିଛି ଛାତ୍ରଙ୍କୁ ପଚରାଉଚରା କରାଯାଉଛି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ଦୁଇ ଜଣ ଅଣଛାତ୍ର କଲେଜରେ କିଛି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ‌ । ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଥିଲେ । ଉକ୍ତ ଅଣଛାତ୍ରଙ୍କୁ କଲେଜ ପ୍ରିନ୍ସିପାଲଙ୍କ ନିକଟକୁ ନେଇଥିଲେ । ଲିଖିତ ଅଣ୍ଡରଟେକିଂ ଦେବା ପରେ ପ୍ରିନ୍ସିପାଲ ସେମାନଙ୍କୁ ଛାଡ଼ିଥିଲେ । ତେବେ ଏହି ରାଗ ସୁଝାଇବା ପାଇଁ ଆଜି କ୍ଯାମ୍ପସରେ ପଶି ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଫଳରେ ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିଲେ । କଲେଜର ୫ ଜଣ ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ କ୍ୟାମ୍ପସ ପରିସରରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ସୂଚନା ପାଇ ସହିଦନଗର ଥାନା ପୋଲିସ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲା । କଲେଜର ସିସିଟିଭି ଆଧାରରେ ଘଟଣାର ଯାଞ୍ଚ କରି ଛାତ୍ରଙ୍କୁ ପଚରାଉଚରା କରୁଛି ପୋଲିସ ।

ଅନେକ ସମୟରେ କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶ ନେଇ ପରିସ୍ଥିତି ବିଗୁଡୁଥିବା ଦେଖିବାକୁ ମିଳୁଛି । କ୍ୟାମ୍ପସ ଭିତରେ ହେଉ ଅବା ବାହାରେ ବିିଭିନ୍ନ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଉଛି । ବିଗତ ଦିନରେ ଅନେକ କଲେଜ ପରିସରରେ ଦେଖାଦେଇଥିବା ଉତ୍ତେଜନା ମାମଲାରେ ଅନେକ ଛାତ୍ର ଗିରଫ ହୋଇଥିବା ବେଳେ କିଛି କଲେଜରୁ ବିତାଡ଼ିତ ହୋଇଛନ୍ତି । ତଥାପି ସ୍ଥିତି ସମାଧାନ ହେଉନାହିଁ । ଏ ଦିଗରେ ପୋଲିସ ପ୍ରଶାସନ ଉକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 17, 2023, 6:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.