ETV Bharat / state

କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ

author img

By ETV Bharat Odisha Team

Published : Oct 4, 2023, 5:11 PM IST

କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା । ଏବେ ଘରେ ରହି ଅରବିନ୍ଦ ପାଢ଼ୀ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Arvind Padhi
Arvind Padhi

ଭୁବନେଶ୍ବର: ରାଜ୍ୟରେ ସ୍କ୍ରବ୍‌ ଟାଇଫସ ଆତଙ୍କ । ଦିନକୁ ଦିନ ରାଜ୍ୟରେ ସ୍କ୍ରବ୍‌ ଟାଇଫସ ମାମଲା ବଢିବାରେ ଲାଗିଛି । କେବଳ ଗ୍ରାମାଞ୍ଚଳରେ ନୁହେଁ ସହରାଞ୍ଚଳରେ ମଧ୍ୟ ଏହାର ନମୁନା ଚିହ୍ନଟ ହେଲାଣି । ତେବେ ଏହି ରୋଗରେ କୃଷି ସଚିବ ଅରବିନ୍ଦ ପାଢ଼ୀ ଆକ୍ରାନ୍ତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ବେଳେ ଏବେ ଘରେ ରହି ଅରବିନ୍ଦ ପାଢ଼ୀ ଚିକିତ୍ସିତ ହେଉଛନ୍ତି ।

ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ି ଦେଲେ ଏବେ ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରଵ ଟାଇଫସ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 22 ହଜାର 77 ଜଣଙ୍କ ପରୀକ୍ଷା ହୋଇଥିବା ବେଳେ 2 ହଜାର 820 ସ୍କ୍ରଵ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି ।

ସ୍କ୍ରବ୍‌ ଟାଇଫସର ସମୀକ୍ଷା କରିବାକୁ ଏକ କେନ୍ଦ୍ରୀୟ ଟିମ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲ ଯାଇଥିଲେ । ବିଭିନ୍ନ ଜିଲ୍ଲା ବୁଲି ସେମାନେ ଓଡ଼ିଶାର ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ 2019ରୁ ଓଡ଼ିଶା ସ୍କ୍ରଵ ଟାଇଫସ ଟେଷ୍ଟିଂ କରୁଛି । ତେବେ ସମସ୍ତ ସମୀକ୍ଷାର ରିପୋର୍ଟ ସେମାନେ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ।

ଏହା ମଧ୍ୟ ପଢନ୍ତୁ...ବଢ଼ୁଛି ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁ, ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଟିମର ତଦନ୍ତ ଆରମ୍ଭ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ‘‘କେନ୍ଦ୍ରୀୟ ଟିମ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛି । ଟେଷ୍ଟିଙ୍ଗ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ ସେମାନେ ମୌଖିକ ଭାବେ କହିଛନ୍ତି । ଖୁବଶୀଘ୍ର ସେମାନେ ଲିଖିତ ସୁପାରିଶ ଦେବା ପରେ ଆମେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେବୁ । ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତକଙ୍କ ସମ୍ବନ୍ଧରେ ଏବଂ ଚିକିତ୍ସା ପଦ୍ଧତିକୁ ନେଇ ଯାଞ୍ଚ କରିଥିଲେ । ସମସ୍ତ ମୃତକଙ୍କୁ ନେଇ ଦ୍ବନ୍ଦ୍ବ ରହିଛି । କାରଣ ଘରୋଇ ହସ୍ପିଟାଲରେ ସେମାନଙ୍କ ମୃତ୍ୟୁ ହୋଇଛି । ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପିଡ଼୍‌ ଟେଷ୍ଟ ହେଉଛି । ହେଲେ କେବଳ ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରଵ ଟାଇଫସ ରୋଗ ଚିହ୍ନଟ କରି ପାରିବ । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.