ETV Bharat / state

ଦୂର ହେବ ମଙ୍ଗୁଳିରୁ ଢେଙ୍କାନାଳ ଓ ଭୁବନେଶ୍ୱର ରାସ୍ତା ସମସ୍ୟା

author img

By ETV Bharat Odisha Team

Published : Nov 24, 2023, 7:25 AM IST

ମଙ୍ଗୁଳିରୁ ଢେଙ୍କାନାଳ ଓ ଭୁବନେଶ୍ବର ଜାତୀୟ ରାଜପଥରେ ବଢୁଛି ସଡକ ଦୁର୍ଘଟଣା । ରାସ୍ତା ସମସ୍ୟା ଦୂର କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କଲେ କୃଷିମନ୍ତ୍ରୀ । ଅଧିକ ପଢନ୍ତୁ

ସଡକ ଦୁର୍ଘଟଣା ହ୍ରାସ ପାଇଁ ଉଚ୍ଚସ୍ତରୀୟ ବୈଠକ
ସଡକ ଦୁର୍ଘଟଣା ହ୍ରାସ ପାଇଁ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ଜାତୀୟ ରାଜପଥ ୫୫ର ମଙ୍ଗୁଳିରୁ ଢେଙ୍କାନାଳ ଏବଂ ଜାତୀୟ ରାଜପଥ ୧୬ର ମଙ୍ଗୁଳିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାସ୍ତାରେ ସଡକ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଯାନବାହନ ଯାତାୟତ ବୃଦ୍ଧି ଦୃଷ୍ଟିରୁ ଯାନବାହନ ଚଳାଚଳକୁ ସୁଗମ କରି ଦୁର୍ଘଟଣା ଏଡ଼ାଇବା ପାଇଁ ଜାତୀୟ ରାଜପଥରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ସମାଧାନ କରିବା ଦିଗରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୁରୁତ୍ବ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଦୁର୍ଘଟଣା ଏଡାଇବା ପାଇଁ ରାସ୍ତାରେ ଥିବା ଗର୍ତ୍ତଗୁଡ଼ିକର ତୁରନ୍ତ ମରାମତି, ଆବଶ୍ୟକୀୟ ସର୍ଭିସ ରୋଡ ନିର୍ମାଣ ଓ ବର୍ଷାଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ଡ୍ରେନ ନିର୍ମାଣ ସମେତ ଫ୍ଲାଇଓଭର ଏବଂ ଅଣ୍ଡରପାସ ଆଦି ନିର୍ମାଣ ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ପଦକ୍ଷେପ ନେବା ଦିଗରେ ବିସ୍ତୃତ ଆଲୋଚନା ହୋଇଛି ।

ବୈଠକରେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ବାଳ, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ରାଜପଥର ବିଭିନ୍ନ ସମସ୍ୟା ଓ ସମାଧାନ ସଂପର୍କରେ ଆଲୋଚନା କରିଛନ୍ତି । ଆସନ୍ତା ନଭେମ୍ବର ୨୫ ତାରିଖରେ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଜାତୀୟ ରାଜପଥର ବିଭିନ୍ନ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରିବେ । ଏଥିରେ କଟକ ଲୋକସଭା ସାଂସଦ, ଚୌଦ୍ୱାର-କଟକ ବିଧାୟକ, କଟକ ସଦର ବିଧାୟକ, ଜିଲ୍ଲାପାଳ, କଟକଙ୍କ ସମେତ ଜାତୀୟ ରାଜପଥର କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ । ସେହିଦିନ ପୂର୍ବାହ୍ନରେ ଚୌଦ୍ୱାର କଲେଜ ସମ୍ମିଳନୀ କକ୍ଷରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ: ଓଡିଶା ଭୂ ସଂସ୍କାର ଦ୍ବିତୀୟ ସଂଶୋଧନ ବିଲ ପାରିତ


ଦୁର୍ଘଟଣା ଏଡାଇବା ପାଇଁ ମଙ୍ଗୁଳିରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାସ୍ତାରେ ଥିବା ସମସ୍ତ ଗର୍ତ୍ତଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ବୈଠକରେ ମନ୍ତ୍ରୀ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଗାଡ଼ି ଚଳାଚଳ ଯୋଗୁଁ ଉଡ଼ୁଥିବା ଧୂଳିର ପ୍ରଭାବକୁ ଏଡ଼ାଇବା ପାଇଁ ନିୟମିତ ଜଳ ସିଞ୍ଚନ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଜାତୀୟ ରାଜପଥର ଖୁଣ୍ଟୁଣିରେ ବର୍ଷାଜଳର ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ କୁହାଯାଇଛି । ଯେପରି ବର୍ଷାଜଳ ନିକଟସ୍ଥ ଜନବସତି ମଧ୍ୟକୁ ପ୍ରବେଶ କରିନପାରିବ । ସେହିପରି ଖୁଣ୍ଟୁଣିରେ ନିର୍ମାଣାଧିନ ଫ୍ଲାଇଓଭର ଏବଂ ସର୍ଭିସ ରୋଡ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସାରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଢେଙ୍କାନାଳର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ ବଉଳାଙ୍ଗ ଏବଂ ବାଳିରେ ନିର୍ମାଣାଧିନ ଅଣ୍ଡରପାସ ଏବଂ ସର୍ଭିସ ରୋଡ ଏବଂ ଡ୍ରେନ ନିର୍ମାଣ କାର୍ଯ୍ୟ ଆସନ୍ତା ଫେବୃଆରୀ ୨୦୨୪ ସୁଦ୍ଧା ଶେଷ ହେବ ।

ସେହିପରି ରାଧାକିଶୋରପୁର ପଞ୍ଚାୟତର ପୁରୁଷୋତ୍ତମପୁରରେ ଏକ ସର୍ଭିସ ରୋଡ ଡ୍ରେନ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇଛି । ଯଦ୍ବାରା ନିକଟସ୍ଥ ପାହାଡ଼ରୁ ଗଡ଼ି ଆସୁଥିବା ବର୍ଷାଜଳର ପ୍ରବାହକୁ ନିୟନ୍ତ୍ରଣ କରାଯାଇ ଗ୍ରାମବାସୀଙ୍କ ଯିବାଆସିବାକୁ ସୁନିଶ୍ଚିତ କରାଯିବ । ସେହିପରି ରାଧାଦାମୋଦରପୁର ଓମଫେଡ ପାର୍ଲରରୁ ଖୁଣ୍ଟୁଣି ଥାନା ପର୍ଯ୍ୟନ୍ତ ରାସ୍ତାରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ଏଡ଼ାଇବା ପାଇଁ ସର୍ଭିସ ରୋଡ ଏବଂ ଡ୍ରେନ ନିର୍ମାଣ ଦିଗରେ ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ କୁଶପଙ୍ଗି ଏବଂ ଧୁମାବତୀ ମନ୍ଦିରଠାରେ ଅଣ୍ଡରପାସ ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ଜାତୀୟ ରାଜପଥ-୧୬ର ମଙ୍ଗୁଳିରୁ ଭୁବନେଶ୍ବର ରାସ୍ତାରେ ଜଗତପୁର ସର୍ଭିସ ରୋଡର ମରାମତି, କଟକ ସଦର ଥାନା ସର୍ଭିସ ରୋଡ ମରାମତି, ଶିଖରପୁରରେ ବିଦ୍ୟୁତ ଖୁଣ୍ଟି ଓ ଟ୍ରାନ୍ସଫର୍ମର ସ୍ଥାନାନ୍ତରଣ, ହଂସପାଳ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଓ କଟକ ସହର ଦେଇ ଯାଇଥିବା ଜାତୀୟ ରାଜପଥ ପାଶ୍ୱର୍ରେ ଷ୍ଟ୍ରିଟ ଲାଇଟ ଆଦି ସଂପର୍କରେ ଆଲୋଚନା ହୋଇଛି । ଏଥିରେ କଟକ ଜିଲ୍ଲାପାଳ ନରହରି ସେଠୀଙ୍କ ସମେତ ପ୍ରକଳ୍ପ ନିର୍ଦ୍ଦେଶକ କଟକ, ପିଡି ଏନଏଚଏଆଇ, ଭୁବନେଶ୍ବର, କଟକ ସଦର ଏବଂ ଟାଙ୍ଗି-ଚୌଦ୍ୱାର ତହସିଲଦାର, ଚୌଦ୍ୱାର ମୁନିସିପାଲିଟିର ଉପାଧ୍ୟକ୍ଷଙ୍କ ସମେତ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.