ETV Bharat / state

ବାପାଙ୍କ ଅନ୍ତେ ବିଧାୟକ ବନିଛନ୍ତି ଉତ୍ତରାଧିକାରୀ, ଉପନିର୍ବାଚନ ଦେଇ ବିଧାନସଭାରେ ମିଳିଛି ଏଣ୍ଟ୍ରି

author img

By

Published : May 17, 2023, 10:38 AM IST

ରାଜ୍ୟରେ ଏବେ କିଛି ଯୁବ ବିଧାୟକଙ୍କୁ ନେଇ ଚର୍ଚ୍ଚା । ଉପନିର୍ବାଚନ ଦେଇ ବିଧାନସଭାରେ ସହଜରେ ପ୍ରବେଶ କରିଛନ୍ତି 5 ଯୁବ ବିଧାୟକ । ବାପାଙ୍କ ଅନ୍ତେ ରାଜନୀତିରେ ମୂଳଦୁଆ ପକାଇଛନ୍ତି । ସେମିିତି କିଛି ଯୁବ ଚେହେରାକୁ ନେଇ ପଢନ୍ତୁ ଏହି ରିପୋର୍ଟ....

odisha byelection
odisha gets Youth MLA through byelection

ଭୁବନେଶ୍ବର: ଷୋଡଶ ବିଧାନସଭାରେ ଯୁବ ବିଧାୟକଙ୍କ ଏଣ୍ଟ୍ରି । ଉପନିର୍ବାଚନରେ ଉତ୍ତରାଧିକାରୀଙ୍କ ବାଜିମାତ୍ । ବାପାଙ୍କ ଅନ୍ତେ ପ୍ରତ୍ୟେକ୍ଷ ରାଜନୀତିରେ ପ୍ରବେଶ । ସହଜରେ ମିଳିଛି ବାପାଙ୍କ ଗଡ । ମିଳିଛି କ୍ଷମତା, ହାତକୁ ଆସିଛି ସଂଗଠନ । ବାପାଙ୍କୁ ହରାଇବାର ଦୁଃଖ ଭିତରେ ବି ରାଜନୀତି କ୍ୟାରିଅର ମୂଳଦୁଆ ପକାଇଛନ୍ତି । ଗଣତନ୍ତ୍ର ମନ୍ଦିରରୁ ସାଉଁଟୁଛନ୍ତି ବାପାଙ୍କ ସ୍ମୃତି । ରଚୁଛନ୍ତି ଭବିଷ୍ୟତର ରଚନା । ଉପନିର୍ବାଚନ ଲଢେଇ ମୈଦାନକୁ ଓହ୍ଲାଇ ଷୋଡ଼ଶ ବିଧାନସଭାକୁ ପ୍ରବେଶ କରିଛନ୍ତି କିଛି ଯୁବ ବିଧାୟକ । ଦୀପାଳି ଦାସଙ୍କଠାରୁ ବିଜୟଶଙ୍କରଙ୍କ ଯାଏଁ... ରାଜ୍ୟର 5ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବାପାଙ୍କ ବଦଳରେ ବିଧାୟକ ହୋଇଛନ୍ତି ସେମାନଙ୍କ ଉତ୍ତରାଧିକାରୀ । ଜାଣନ୍ତୁ ସେହି 5 ଜଣ ଚର୍ଚ୍ଚିତ ଯୁବ ବିଧାୟକଙ୍କ ସମ୍ପର୍କରେ...

ଦୀପାଳି ଦାସ: ସଦ୍ୟ ସଦ୍ୟ ସରିଛି ଝାରସୁଗୁଡା ଉପନିର୍ବାଚନ । ଫଳାଫଳ ବି ସମସ୍ତଙ୍କ ସାମ୍ନାରେ । ଦିନେ ପ୍ରଚାରରେ ବାପାଙ୍କ ପାଖରେ ପଛରେ ରହୁଥିବା ଝିଅ ଆଜି ବିଧାୟିକା । ବାପାଙ୍କ ଗଡରୁ ରାଜନୀତିରେ ପ୍ରବେଶ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡା ଆସନ ଖାଲି ପଡିଥିଲା । ଚଳିତ ମାସ ମେ 10 ତାରିଖରେ ଝାରସୁଗୁ଼ଡାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଉ ଏଥିରେ ବାଜି ମାରିଥିଲେ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ । ରାଜନୀତିକୁ ଦୀପାଳି ଆସିବେ ଚର୍ଚ୍ଚା ହେଉଥିଲା ଏତେ ଜଲଦି ଆସିବେ ତାହା ପ୍ରଶ୍ନ ଘେରରେ ଥିଲା । ଝାରସୁଗୁଡା ଉପନିର୍ବାଚନରେ ଦୀପାଳି ଦାସ ବମ୍ପର ବିଜୟ ହାସଲ କରିଥିଲେ । ଦୀପାଳି 107198 ଖଣ୍ଡ ଭୋଟ ପାଇଥିଲେ । ଭୋଟରେ ବାପାଙ୍କୁ ବି ଟପିଥିଲେ ଝିଅ ଦୀପାଳି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠୀଙ୍କଠୁ 48721 ଖଣ୍ଡ ଭୋଟରେ ଜିତିଥିଲେ ଦୀପାଳି । ମେ 15 ତାରିଖରେ ଶପଥ ନେଇ ବିଧାନସଭାରେ ଏଣ୍ଟ୍ରି କରିଛନ୍ତି ଦୀପାଳି ଦାସ ।

ବର୍ଷା ସିଂହ ବରିହା: ରଜନୀତିରେ ଅଜଣା ଅଚିହ୍ନା ମୁହଁ ବର୍ଷା ସିଂହ ବରିହା ଏବେ ବିଧାୟିକା । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ଆସନ ଖାଲି ପଡିଥିଲା । ଗତବର୍ଷ ଅର୍ଥାତ 2022 ଡିସେମ୍ବର 5 ତାରିଖରେ ପଦ୍ମପୁର ଉପନିର୍ବାଚନ ହୋଇଥିଲା । ଶାସକ ଦଳ ବିଜୟ ରଞ୍ଜନ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଥିଲା । ଡିସେମ୍ବର 8 ତାରିଖରେ ଫଳାଫଳ ଘୋଷଣା ହୋଇଥିଲା । ଏଥିରେ ବିର୍ଷାଙ୍କର ବିପୁଳ ବିଜୟ ହୋଇଥିଲା । ବର୍ଷା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ 42679 ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ବର୍ଷାଙ୍କୁ ମୋଟ 120807 ଖଣ୍ଡ ଭୋଟ ମିଳିଥିଲା । ବାପା ବିଜୟ ରଞ୍ଜନଙ୍କଠୁ 38 ହଜାର ଅଧିକ ଭୋଟ ପାଇଥିଲେ ବର୍ଷା । ଡିସେମ୍ବର 12 ତାରିଖରେ ପଦ୍ମପୁର ବିଧାୟିକା ଭାବେ ଶପଥ ନେଇ ବିଧାନସଭାରେ ନୂଆ ଇନିଂସ ଆରମ୍ଭ କରିଥିଲେ ବର୍ଷା ସିଂହ ବରିହା ।

ସୂର୍ଯ୍ୟବଂଶୀ ସୁରଜ: ଜଣେ ଯୁବ ବିଧାୟକ ହିସାବରେ ସୂର୍ଯ୍ୟବଂଶୀ ସୁରଜ ଏବେ ଚର୍ଚ୍ଚାରେ । ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡିଥିଲା । ଗତବର୍ଷ ନଭେମ୍ବର 3 ତାରିଖରେ ଧାମନଗର ଉପନିର୍ବାଚନ ହୋଇଥିଲା । ଧାନନଗର ଉପନିର୍ବାଚନରେ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୂରଜ । ସୂର୍ଯ୍ୟବଂଶୀ ସୁରଜ 9,881 ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରିଥିଲେ । ସୂରଜ ମୋଟ 80351 ଖଣ୍ଡ ଭୋଟ ପାଇଥିଲେ । ନଭେମ୍ବର 9 ତାରିଖରେ ବିଧାୟକ ଭାବେ ଶପଥ ନେଇଥିଲେ ସୂର୍ଯ୍ୟ । ଏହାପରେ ଗତ ବିଧାନସଭା ଅଧିବେଶନରେ ଅନେକ ପ୍ରସଙ୍ଗ ଉଠାଇ ଚର୍ଚ୍ଚାକୁ ଆସିଥିଲେ ଏହି ଯୁବ ବିଧାୟକ ।

ରୁଦ୍ର ପ୍ରତାପ ମହାରଥୀ: ରାଜ୍ୟରେ ଜଣେ ଟାଣୁଆ ନେତା ଥିଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ । ତାଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । 2020 ମସିହା ସେପ୍ଟେମ୍ବର 30 ତାରିଖରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ଅକ୍ଟୋବର 3 ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା । ଏଥିରେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବାଜି ମାରିଥିଲେ । ବିଜେପି ପ୍ରାର୍ଥୀ ଅଶ୍ରିତ ପଟ୍ଟନାୟକଠୁ 20, 916 ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଥିଲା । ରୁଦ୍ର ମୋଟ 96972 ଖଣ୍ଡ ଭୋଟ ପାଇଥିଲେ । ବାପା ପ୍ରଦୀପ ମହାରଥୀଙ୍କ ଅନ୍ତେ ରାଜନୀତିରେ ସହଜ ଓ ସଅଳ ଏଣ୍ଟ୍ରି କରିଥିଲେ ରୁଦ୍ର ।

ବିଜୟଶଙ୍କର ଦାସ: ବିଷ୍ଣୁ ଚରଣ ଦାସ ଶାସକ ଦଳର ଜଣେ ଜଣାଶୁଣା ନେତା ଥିଲେ । ନବୀନ ସରକାରରେ ଜଣେ ମନ୍ତ୍ରୀ ମଧ୍ୟ ରହିଥିଲେ । ତାଙ୍କ ଦେହାନ୍ତ ପରେ ତିର୍ତ୍ତୋଲ ବିଧାନସଭା ଆସନ ଖାଲି ପଡିଥିଲା । 2020 ନଭେମ୍ବର 3 ତାରିଖରେ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲେ । ଏଥିରେ ବିଷ୍ଣୁ ଦାସଙ୍କ ପୁଅ ବିଜୟଶଙ୍କର ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ହରାଇ ବିଧାୟକ ପଦ ହାତେଇଥିଲେ ବିଜୟ । 88,310 ଖଣ୍ଡ ଭୋଟ ପାଇଥିଲେ ବିଜୟଶଙ୍କର । ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କଠୁ 41,703 ଖଣ୍ଡ ଅଧିକ ଭୋଟରେ ଜିତିଥିଲେ । ଏହି ଯୁବ ବିଧାୟକ ଜଣକ ବିକାଶ କାମ କମ ବ୍ୟକ୍ତିଗତ ବିବାଦକୁ ନେଇ ବେଶୀ ଚର୍ଚ୍ଚାରେ ରହି ଆସିଛନ୍ତି ।

ଉପନିର୍ବାଚନ ଦେଇ ରାଜନୀତିରେ ଏଣ୍ଟ୍ରି ମିଳିଗଲା । ବାପାଙ୍କ ପରିଚୟ ହେଉ ବା ଶାସକ ଦଳର ଦବଦବାରେ ହାତକୁ ପାୱାର ଆସିଗଲା । ବାପାଙ୍କ ଅନ୍ତେ ବିଧାୟକ ବନିଗଲେ । ଓଡ଼ିଶା ବିଧାନସଭାକୁ କିଛି ଯୁବ ବିଧାୟକ ମିଳିଗଲେ । ହେଲେ ବାସ୍ତବରେ ଏହି 5 ଚର୍ଚ୍ଚିତ ଯୁବ ବିଧାୟକ ବିକାଶ କରିବାରେ କେତେ ସଫଳ ହୋଇଛନ୍ତି ବା ଆଗକୁ କେତେ ସଫଳ ହେବେ ତାହା ଉପରେ ନଜର ରହିଛି । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କେତେମାତ୍ରରେ ପାଳନ କରୁଛନ୍ତି । କେତେ ଲୋକଙ୍କ ସହିତ ଯୋଡି ହୋଇ ରହି ସେମାନଙ୍କ ବିକାଶ ଚିନ୍ତା କରିବେ ନା କେବଳ ବାପା ଛାଡିଯାଇଥିବା ନୌକାର ନାଉରୀ ହୋଇ ରାଜନୈତିକ କ୍ୟାରିଅର ଗଢିବେ ତାହା ଅଲୋଚନାର ବିଷୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.