ETV Bharat / state

Odisha Assembly: ମଣ୍ଡି ସମସ୍ୟା ନେଇ ବିଜେପିର ମୁଲତବୀ ନୋଟିସ, ଜବାବ ରଖିଲେ ମନ୍ତ୍ରୀ

author img

By

Published : Feb 27, 2023, 8:10 PM IST

ଆଜି ବିଧାନସଭା ଶୁନ୍ୟକାଳରେ ବିରୋଧୀ ବିଜେପି ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ‘‘ଧାନ ପଡ଼ିଛି ମଣ୍ଡିରେ, ଲୁହ ଝରୁଛି ଚାଷୀ ଆଖିରେ’’ ଶୀର୍ଷକ ଏକ ମୁଲତବୀ ନୋଟିସ ଦେଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଲୋଚନା ଆରମ୍ଭ କରି କହିଥିଲେ, ଚାଷୀଙ୍କ ଧାନ କାହିଁକି ପଡ଼ିଛି ମଣ୍ଡିରେ। ଅଧିକ ପଢନ୍ତୁ

Etv Bharat
Etv Bharat

ମଣ୍ଡି ସମସ୍ୟା ନେଇ ବିଜେପିର ମୁଲତବୀ ନୋଟିସ, ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ଦିନର ନୀରବତା ପରେ ପୁଣି ଥରେ ବିଧାନସଭାରେ ଉଠିଲା ମଣ୍ଡି ସମସ୍ୟା ପ୍ରସଙ୍ଗ । ସାରା ରାଜ୍ୟରେ ମାଳମାଳ ମଣ୍ଡି ଅବ୍ୟବସ୍ଥା, ସହ ଚାଷୀଙ୍କ ସମସ୍ୟାକୁ ନେଇ ଆଜି ବିରୋଧୀ ବିଜେପି ବିଧାନସଭାରେ ମୁଲତବୀ ନୋଟିସ ଆଣିଥିଲା । ଯାହାକୁ ବାଚସ୍ପତି ଗ୍ରହଣ କରିବା ସହ ଗୃହରେ ଆଲୋଚନା ହୋଇଛି । ଆଲୋନାରେ ଶାସକ ବିରୋଧୀ ସରଗରମ ଆଲୋଚନା କରିଛନ୍ତି ।

ଆଜି ବିଧାନସଭା ଶୂନ୍ୟକାଳରେ ବିରୋଧୀ ବିଜେପି ରାଜ୍ୟରେ ମଣ୍ଡି ସମସ୍ୟାକୁ ନେଇ ‘‘ଧାନ ପଡ଼ିଛି ମଣ୍ଡିରେ, ଲୁହ ଝରୁଛି ଚାଷୀ ଆଖିରେ’’ ଶୀର୍ଷକ ଏକ ମୁଲତବୀ ନୋଟିସ ଦେଇଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଲୋଚନା ଆରମ୍ଭ କରି କହିଥିଲେ, ଚାଷୀଙ୍କ ଧାନ କାହିଁକି ପଡ଼ିଛି ମଣ୍ଡିରେ। ଯଦି ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ସରକାର ଧାନ ଉଠାଇଛନ୍ତି ଧାନ କାହିଁକି ପଡ଼ିରହିଛି। ବଡ କଥା ହେଲା ଚାଷୀଙ୍କ ଆୟ ୨୦୧୨-୧୩ ରୁ ୨୦୧୮-୧୯ ମଧ୍ୟରେ ମାତ୍ର ୩ ପ୍ରତିଶତ ବଢିଛି। ଏଥିରୁ ଅନୁମାନ କରାଯାଇପାରେ ଚାଷୀର ସ୍ଥିତି କଣ ଅଛି । ଚାଷୀଙ୍କ ଆୟ କାହିଁକି ବଢୁନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାବି ପଢନ୍ତୁ- ଓଡିଶାରେ ଅଛି ସୁନା ଖଣି, ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ସୂଚନା

ଧାନର ଅଭାବୀ ବିକ୍ରି ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧା ହୋଇଛି। ଏବେ ବି ଚାଷୀ ଧାନ ମଣ୍ଡିରେ ଅପେକ୍ଷା କରି ବସିଛି । ମିଲ ମାଲିକ ,ଦଲାଲ,ଯୋଗାଣ ବିଭାଗ ,ଜିଲ୍ଳା ପ୍ରଶାସନକୁ ସରକାର ଯଦି ନିୟନ୍ତ୍ରଣ କରିପାରିନାହାଁନ୍ତି ସେ କଥା କୁହନ୍ତୁ। ଟୋକନ ବ୍ୟବସ୍ଥାକୁ ବନ୍ଦ କରନ୍ତୁ ସରକାର। ଚଳିତ ବର୍ଷ ୫୭ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି ସରକାର। ତଥାପି କାହିଁକି ଧାନ ପଡ଼ିରହିଛି ମଣ୍ଡିରେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଲୋଚନାରେ ଭାଗନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ତାରା କହିଥିଲେ ‘‘ ଆଜି ରାଜ୍ୟରେ ଚାଷୀ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢିବାରେ ଲାଗିଛି । ମଣ୍ଡିରେ କଟନୀଛଟନି ଚାଲିଛି। କୋରାପୁଟ ଡଙ୍ଗର ଜମିରୁ ଧାନ ଉଠିଲାଣି। ହଜାର ହଜାର ଚାଷୀ ଆତ୍ମହତ୍ୟା କରିବେ। ଖାଇବା କୁ ପାରିବେନି। କେନ୍ଦ୍ର ସରକାର ଏମଏସପି ଦେଉନାହାଁନ୍ତି । ଧାନ କ୍ୱିଣ୍ଟାଲ ପିଛା 3 ହଜାର 9 ଶହ 90 ଟଙ୍କା ଦାବି କରିଥିଲୁ କେନ୍ଦ୍ର ସରକାର ଦେଲେ ନାହିଁ । ରାଜ୍ୟର ଚାଷୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ସର୍ବଦଳୀୟ ବିଧାୟକ ସାକ୍ଷାତ ପାଇଁ ସମୟ ମାଗିଥିଲେ । ସମୟ ମିଳିଲା ନାହିଁ । ରାଜ୍ୟ ସରକାର ନିର୍ବାଚନ ସମୟରେ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବେ ବୋଲି କହିଲେ ଦେଲେ ନାହିଁ । ରାଜ୍ୟରେ ସବୁ ସମସ୍ୟାଠୁ ଚାଷୀ ସମସ୍ୟା ବଳି ଗଲାଣି ।’’

ସେପଟେ ବିଜେଡିର ବରିଷ୍ଠ ବିଧାୟକ ପଦ୍ମନାଭ ବେହେରା ଆଲୋଚନାରେ ଭାଗ ନେଇ ସରକାରଙ୍କୁ ସୁରକ୍ଷା ଦେବାକୁ ପ୍ରୟାସ କରିଥିଲେ । ପଦ୍ମନାଭ କହିଥିଲେ କେନ୍ଦ୍ର ସରକାର ଠିକଣା ସମୟରେ ଅର୍ଥ ଦେଉନଥିବାରୁ ଚାଷୀଙ୍କୁ ସଠିକ ସମୟରେ ସେମାନଙ୍କ ଅର୍ଥ ଦିଆଯାଇପାରୁନାହିଁ । କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଛନ୍ତି । ଧାନ କିଣା ପାଇଁ ମୋଟ 11 ହଜାର 835 କୋଟି ସବସିଡି ଅର୍ଥ ଦେଇନାହାଁନ୍ତି କେନ୍ଦ୍ର ସରକାର ବୋଲି ଅଭିଯୋଗ କରିଛନ୍ତି ।

ଏହାବି ପଢନ୍ତୁ- Odisha Assembly: ସରକାର କିଏ ଚଳାଉଛି: ବିରୋଧୀ ଦଳନେତା, ଜବାବ ରଖିଲେ ପ୍ରମିଳା

ଅନ୍ୟପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉତ୍ତର ଦେଇ କହିଛନ୍ତି ‘‘ ଆମ ସରକାର କୃଷିକୁ ସର୍ବାଧିକ ଅଗ୍ରାଧିକାର ଦେଇଛନ୍ତି । ବିଶ୍ବବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ରବିଶଙ୍କର ଓଡିଶାର କୃଷି ଓ କୃଷିନୀତିକୁ ନେଇ ପ୍ରଶଂସା କରିଛନ୍ତି । ଧାନ ସଂଗ୍ରହ ନୀତିକୁ ଆହୁରି ସ୍ବଚ୍ଛ କରିବା ପାଇଁ ଆମେ ଆହୁରି ପଦକ୍ଷେପ ନେଉଛୁ । ବିଗତ ଦିନରେ 5 ଲକ୍ଷ ମେଟ୍ରିକ ଟନ ଥିଲା । ଆଜି 70 ଲକ୍ଷ ମେଟ୍ରିକ ଟନ ଅତିକ୍ରମ କରିବାକୁ ଯାଉଛି । ଧାନ କିଣାକୁ ଆହୁରି ସରଳ କରିବା ପାଇଁ ଆମେ ଡିସସେଣ୍ଟ୍ରାଲଲାଇଜ କରିଛୁ । ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବଜେଟରେ ଧାନ କିଣା ପାଇଁ 2 ହଜାର କୋଟିର ଏକ ରିଭଲିଂ ଫଣ୍ଡ ଘୋଷଣା ହୋଇଛି । ଚୁକ୍ତି ଅନୁସାରେ ଭାରତ ସରକାର ଧାନ କିଣା ପାଇଁ ଅର୍ଥ ଯୋଗାଇ ଦେବାକଥା । ସବସିଡି ଦେବା କଥା । ତାହା କେନ୍ଦ୍ର ସରକାର ଦେଉନାହାଁନ୍ତି । ପିଣ୍ଡି ଠାରୁ ମଣ୍ଡିର ଉନ୍ନତି ପାଇଁ ବି ବଜେଟରେ ବ୍ୟବସ୍ଥା ହୋଇଛି । ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅମୂଳକ । ଚାଷୀଙ୍କ ସ୍ବାର୍ଥ ପାଇଁ ସବୁ ଧାନ କିଣିବା ପାଇଁ ସବୁ ଜିଲ୍ଲାରେ 3 ଦିନର ଅବଧି ମଧ୍ୟ ବଢାଯାଇଛି । ତେବେ ମୁଲତବୀ ନୋଟିସ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେପି କକ୍ଷ ତ୍ୟାଗ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.