ETV Bharat / state

ମିଳିବ ନୂତନ ଜ୍ଞାନ, ଜୈବବିବିଧତା ରକ୍ଷା ପାଇଁ ଛାତ୍ରଛାତ୍ରୀ ଜୀବ ଉଦ୍ୟାନ ଉପରେ ଶିକ୍ଷା ପାଇବେ

author img

By ETV Bharat Odisha Team

Published : Aug 25, 2023, 10:53 PM IST

ଜୈବବିବିଧତା ଶିକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ‘ମୋ ସ୍କୁଲ୍‌’ ସହିତ ସାମିଲ ହେବ । ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ ପାଇଁ ଖାନ୍ ଏକାଡେମୀ ସହ ହେବ ଚୁକ୍ତିନାମା । ଅଧିକ ପଢନ୍ତୁ

Mo School
Mo School


ଭୁବନେଶ୍ବର: ‘ମୋ ସ୍କୁଲ୍‌’ ଅଭିଯାନ ପରିଚାଳନା ସଂଗଠନର ୪୨ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଆକାଂକ୍ଷୀ ପାଠ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ କରାଯିବା ନେଇ ନିଷ୍ପତ୍ତି । ଜୈବବିବିଧତା ଶିକ୍ଷା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ‘ମୋ ସ୍କୁଲ୍‌’ ସହିତ ସାମିଲ ହେବ । ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ ପାଇଁ ଖାନ୍ ଏକାଡେମୀ ସହ ହେବ ଚୁକ୍ତିନାମା ।

ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ୍ ଅଧ୍ୟକ୍ଷତା କହିଛନ୍ତି, "ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିରେ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରାଯିବ । ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ବିଦ୍ୟାଳୟର ଶୈକ୍ଷିକ ଓ ଅଣ-ଶୈକ୍ଷିକ କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ଆବଶ୍ୟକ ରହିଛି । ତେବେ ଏହାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ୧୯୮ ବ୍ଲକ୍‌ରେ ସେପ୍ଟେମ୍ବର ୮ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ ଆୟୋଜନ କରାଯିବ । ବ୍ଲକ୍‌ର ସମସ୍ତ ପୁରାତନ ଛାତ୍ରଛାତ୍ରୀ କମିଟିର ସଭାପତି ତଥା ପ୍ରତିନିଧିମାନେ ଏକାଠି ହୋଇ ବିଦ୍ୟାଳୟର ଉନ୍ନତି ଦିଗରେ ଆଲୋଚନା କରିବେ । ରାଜ୍ୟର ସମସ୍ତ ବିଦ୍ୟାଳୟରେ ସେପ୍ଟେମ୍ବର ୮ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୁରାତନ ଛାତ୍ରଛାତ୍ରୀ କମିଟି ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ସ୍ତରରେ ପୁରସ୍କାର ରହିଛି । ଏ ପୁରସ୍କାର କେମିତି ମିଳିପାରିବ, ସେଥିପାଇଁ ସମସ୍ତ କମିଟି ଯୋଜନା ପ୍ରସ୍ତୁତ କରିବେ । ଏହାସହ ଶିକ୍ଷାର ବିକାଶ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସମସ୍ତଙ୍କୁ ଅବଗତ କରାଯିବ ।"

‘ମୋ ସ୍କୁଲ୍‌’ ଦୁଇଟି ନୂତନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏଥିନେଇ ପରିଷଦ ବୈଠକରେ ଆଜି ଅନୁମୋଦନ ମିଳିଛି । ଆକାଂକ୍ଷୀ ପାଠ୍ୟକ୍ରମର ‘ଜିଜ୍ଞାସା’ କ୍ଲବ୍ ଅଧୀନରେ ଜୈବବିବିଧତା ଶିକ୍ଷା ପାଇଁ ନନ୍ଦନକାନନ ଜୀବ ଉଦ୍ୟାନ କର୍ତ୍ତୃପକ୍ଷ ଓ ‘ମୋ ସ୍କୁଲ୍‌’ର ମିଳିତ ଉଦ୍ୟମରେ ଛାତ୍ରଛାତ୍ରୀ ଜୀବ ଉଦ୍ୟାନ ଉପରେ ଅଧିକ ଜ୍ଞାନ ପାଇବେ । ନନ୍ଦନକାନନ ଆଖପାଖରେ ଥିବା କଟକ ଓ ଖୋର୍ଦ୍ଧା ଜିଲ୍ଲାର ୪୦ଟି ବିଦ୍ୟାଳୟକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇ ଛାତ୍ରଛାତ୍ରୀଙ୍କୁ ଜୈବ ବିବିଧତା ଉପରେ ଶିକ୍ଷା ଦିଆଯିବ। ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟରେ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଖାନ୍ ଏକାଡେମୀ ଓ ‘ମୋ ସ୍କୁଲ୍‌’ ମଧ୍ୟରେ ମିଳିତ ଚୁକ୍ତିନାମା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.