ETV Bharat / state

SLSWCA ବୈଠକରେ ୧୯ ପ୍ରକଳ୍ପକୁ ମୋହର; ୪୮୦୪ କୋଟି ନିବେଶ, ୧୭୫୫୩ ନିଯୁକ୍ତି

author img

By ETV Bharat Odisha Team

Published : Dec 7, 2023, 9:10 PM IST

Single Window Clearance Authority Meeting
Single Window Clearance Authority Meeting

ଲୋକସେବା ଭବନରେ ଅନୁଷ୍ଠିତ ହେଲା SLSWCA ବୈଠକ । ବୈଠକରେ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି SLSWCA ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ବିଭିନ୍ନ କ୍ଷେତ୍ରରେ ଏହା ୧୭,୫୫୩ ନିଯୁକ୍ତି ସୃଷ୍ଟି କରିବ ।

ପୋଷାକ ଓ ବୟନଶିଳ୍ପ, ଇସ୍ପାତ ଡାଉନଷ୍ଟ୍ରିମ, ପେଣ୍ଟ, ପ୍ଲାଷ୍ଟିକ, ମେଟାଲ ଡାଉନଷ୍ଟ୍ରିମ, ରସାୟନିକ, ଖାଦ୍ୟ, ପାନୀୟ ଓ ଆନୁଷଙ୍ଗିକ କ୍ଷେତ୍ର, ଇସ୍ପାତ, ଆଇଟି ଭିତ୍ତିଭୂମି, କୃଷି ପ୍ରକ୍ରିୟାକରଣ, ସର୍କୁଲାର ଅର୍ଥନୀତି ଏବଂ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରରେ ପୁଞ୍ଜିନିବେଶ ହେବ । ଏହି ପୁଞ୍ଜିନିବେଶ ରାଜ୍ୟର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ । ଏହା ସହ ସଂପୃକ୍ତ ଅଞ୍ଚଳର ସମୃଦ୍ଧ ଖଣିଜ ସମ୍ପଦ, ଧାତବ ବିଜ୍ଞାନ ଦକ୍ଷତା ଏବଂ ଆଇଟି କ୍ଷେତ୍ରରେ ବୈଷୟିକ ଉନ୍ନତି କରିବ । କୃଷି ଶିଳ୍ପରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ଯାହା ରାଜ୍ୟର କୃଷି ସମ୍ଭାବନାକୁ ଉପଯୋଗ କରିଛି । ୧୦ଟି ଜିଲ୍ଲାରେ ବିସ୍ତାରିତ ଏହି ରଣନୈତିକ ପୁଞ୍ଜିନିବେଶ ଓଡ଼ିଶା ପାଇଁ ବ୍ୟାପକ ଶିଳ୍ପ ବିକାଶ ରଣନୀତିକୁ ପ୍ରତିଫଳିତ କରୁଛି ।

କେନ୍ଦ୍ରାପଡ଼ାରେ ଟେକ୍ସଟାଇଲ ସୁବିଧା ପ୍ରତିଷ୍ଠା, ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ରରେ ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ବୃଦ୍ଧି ପାଇଁ ୱେଲସ୍ପନ ଲିଭିଂ ଲିମିଟେଡ ୨୦୦ କୋଟି ଟଙ୍କା ବିନିଯୋଗ କରିବ । ଟାଟା ଷ୍ଟିଲ ଡାଉନଷ୍ଟ୍ରିମ ପ୍ରଡକ୍ଟସ ଲିମିଟେଡ ପକ୍ଷରୁ ଯାଜପୁରର କଳିଙ୍ଗ ନଗରରେ ୧୦ ଲକ୍ଷ ମେଟ୍ରିକ ଟନ ଇସ୍ପାତ ସେବା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏଥିଲେ ୭୩୫ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୩୩୫ ସମ୍ଭାବ୍ୟ ନିଯୁକ୍ତି ପ୍ରତିଶ୍ରୁତି ମିଳିଛି । ଇସ୍ପାତ କ୍ଷେତ୍ରରେ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ ଲିମିଟେଡ ଯାଜପୁରରେ ୯୭୭.୪୩ କୋଟି ଟଙ୍କା ବିନିଯୋଗ କରିବ । ୨ ଲକ୍ଷ ୨୦ ହଜାର ମେଟ୍ରିକ ଟନ ଫେରୋ କ୍ରୋମ ଏବଂ ୨୦ ମେଗାୱାଟ ଡବ୍ଲ୍ୟୁଏଚଆରବି ପାୱାର ଉତ୍ପାଦନ କରି ୧୧୯୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହା ବି ପଢନ୍ତୁ- SLSWCA ବୈଠକରେ ୧୨ ପ୍ରକଳ୍ପକୁ ଅନୁମୋଦନ; ୪,୭୧୫ ନିଯୁକ୍ତି ସମ୍ଭାବନା

ଜିନ୍ଦଲ ଷ୍ଟେନଲେସ ଲିମିଟେଡ ୧୫୦ କୋଟି ଟଙ୍କା ବିନିଯୋଗ ଏବଂ ଇସ୍ପାତ ଶିଳ୍ପରେ ୩୧୫ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରଖିଛି । ତେଣୁ ଯାଜପୁରର ଜେଏସଏଲ ଷ୍ଟେନଲେସ ଷ୍ଟିଲ ପାର୍କରେ ଏକ ଷ୍ଟେନଲେସ ଷ୍ଟିଲ ସର୍ଭିସ ସେଣ୍ଟର ୟୁନିଟ ସ୍ଥାପନକୁ ମଞ୍ଜୁରୀ ମିଳିଛି । କେନ୍ଦୁଝରର ବଡବିଲରେ ଆନୁଷଙ୍ଗିକ ସୁବିଧା ଥିବା ୫୨,୮୦୦ ମେଟ୍ରିକ ଟନ ଇସ୍ପାତ କାଷ୍ଟିଂ ମିଲ ଓ ରୋଲିଂ ମିଲ ପ୍ରତିଷ୍ଠା ପାଇଁ କ୍ରାକର୍ସ ଇଣ୍ଡିଆ ଆଲଏଜ ଲିମିଟେଡ ୧୦୧.୫୦ କୋଟି ବିନିଯୋଗ କରିବ । ଏହି ଇସ୍ପାତ ଶିଳ୍ପ ୨୪୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସୁନ୍ଦରଗଡ଼ରେ ଏନଭାଇରୋକେୟାର ଇନଫ୍ରାସଲ୍ୟୁସନ ପ୍ରାଇଭେଟ ଲିମିଟେଡର ୧୦୦ କୋଟି ଟଙ୍କା ବିନିଯୋଗରେ ୨,୮୮,୦୦୦ ଟିପିଏ କ୍ଷମତା ବିଶିଷ୍ଟ ଏକ ମାଇଲ୍ଡ ଷ୍ଟିଲ ଷ୍ଟ୍ରିପ ଏବଂ ପାଇପ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ଯାହା ଷ୍ଟିଲ ଡାଉନଷ୍ଟ୍ରିମରେ ୨୯୫ ସମ୍ଭାବ୍ୟ ନିଯୁକ୍ତି ପ୍ରଦାନ କରିବ ।

ରୁଙ୍ଗଟା ପେଣ୍ଟସ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ପେଣ୍ଟସ, ଆଲାଇଡ ପ୍ରଡକ୍ଟସ ଏବଂ ଇଣ୍ଟରମିଡିଏଟର ଏକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ୯୯୧ କୋଟି ଟଙ୍କାର ନିବେଶ କେମିକାଲ ଶିଳ୍ପରେ କରିବ । ଯାହା ୭୦୦ ନିଯୁକ୍ତି ସୃଷ୍ଟି କରିବ । ବାଲେଶ୍ୱରର ବାଲିଆପାଳ ଶିଳ୍ପାଞ୍ଚଳରେ ମୋଡୁଲୁସ ଓଲିଓକେମ ଆଣ୍ଡ ସର୍ଫେକ୍ଟଣ୍ଟାସ ପ୍ରାଇଭେଟ ଲିମିଟେଡର ବ୍ୟାପକ ରାସାୟନିକ ଉତ୍ପାଦନ ୟୁନିଟ ହେଉଛି । ୩୧୩.୫୧ କୋଟି ଟଙ୍କାର ପୁଞ୍ଜିନିବେଶରେ ରସାୟନିକ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ୩୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଟ୍ରାନ୍ସନୋଭା ଏକ୍ସପ୍ରେସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୧୨୦ .୩୯ କୋଟି ଟଙ୍କା ନିବେଶ କରିବ । ଇଣ୍ଡଷ୍ଟ୍ରିଆଲ କେମିକାଲ ଷ୍ଟୋରେଜ, ରିପ୍ୟାକିଂ ଏବଂ ହ୍ୟାଣ୍ଡଲିଂ ସୁବିଧା ସ୍ଥାପନ କରି ୨୫୮ଟି ସମ୍ଭାବ୍ୟ ନିଯୁକ୍ତି ସୃଷ୍ଟି କରିବ ।

ପେଣ୍ଟ ଜିଆଣ୍ଟ ବର୍ଗର ଏହାର ଦୁଇଟି ଆନୁଷଙ୍ଗିକ କମ୍ପାନି ମଧ୍ୟରୁ ପ୍ରଥମଟି ଗ୍ରୋମ୍ୟାକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ପ୍ଲାଷ୍ଟିକ ରଙ୍ଗ ବାଲଟି, ଢାଙ୍କୁଣି, ବୋତଲ ଓ ଡ୍ରମ ଉତ୍ପାଦନ ୟୁନିଟରେ ୫୪.୫୫ କୋଟି ଟଙ୍କା ନିବେଶ କରିବ । ପ୍ଲାଷ୍ଟିକ କ୍ଷେତ୍ରରେ ୧୫୨ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଦ୍ବିତୀୟଟି ହେଉଛି ଅନୁପମ ପ୍ରଡକ୍ଟସ ଲିମିଟେଡ । ଯାହା ଖୋର୍ଦ୍ଧାରେ ଖାଲି ମେଟାଲ ଟିଣ କଣ୍ଟେନର ପାଇଁ ୫୧ କୋଟି ଟଙ୍କାର ଉତ୍ପାଦନ ୟୁନିଟ ସ୍ଥାପନ କରିବ । ପ୍ୟାକେଜିଂ ଏବଂ ମେଟାଲ ଡାଉନଷ୍ଟ୍ରିମ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ୨୩୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ରାଜଶ୍ରୀ ପଲିପ୍ୟାକ ଲିମିଟେଡ ଏବଂ କେଶବ ପ୍ଲାଷ୍ଟଟେକ ଲିମିଟେଡ ଯଥାକ୍ରମେ ଖୋର୍ଦ୍ଧା ଓ ରେଙ୍ଗାଲି ଶିଳ୍ପାଞ୍ଚଳ, ସମ୍ବଲପୁରରେ ଉତ୍ପାଦନ ୟୁନିଟ ସହିତ ପ୍ଲାଷ୍ଟିକ ଶିଳ୍ପରେ ଯୋଗଦାନ ରଖିଛନ୍ତି । ମିଳିତ ଭାବେ ୧୦୨.୨୫ କୋଟି ଟଙ୍କା ବିନିଯୋଗରେ ଏହି ଦୁଇଟି ପ୍ରକଳ୍ପ ଦ୍ବାରା ୫୫୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସୁନ୍ଦରଗଡ଼ରେ ପିଏମ-ଗତି ଶକ୍ତି ମଲ୍ଟି ମୋଡାଲ ଟର୍ମିନାଲ ଯୋଜନା ଅଧୀନରେ ଢଂସର ଗ୍ରୁପ ଏକ ଘରୋଇ ମାଲ ପରିବହନ ଟର୍ମିନାଲ ଆରମ୍ଭ କରିଛି । ୧୯୦ କୋଟି ଟଙ୍କା ବିନିଯୋଗ ଏବଂ ଭିତ୍ତିଭୂମି କ୍ଷେତ୍ରରେ ୧୬୦ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି । କୈବଲ୍ୟା ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଥିବା ଏକ ମଲ୍ଟି ମୋଡାଲ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ୧୧୦ କୋଟି ଟଙ୍କା ବିନିଯୋଗ କରିବ । ୪୮୦ ଟି ସମ୍ଭାବ୍ୟ ନିଯୁକ୍ତି ସହିତ ଖାଦ୍ୟ ଉତ୍ପାଦ, ରପ୍ତାନି ପ୍ରକ୍ରିୟାକରଣ ଏବଂ ସୀମା ଶୁଳ୍କ କ୍ଲିୟରିଂ ସୁବିଧା ପାଇଁ ଭିତ୍ତିଭୂମି ପ୍ରଦାନ କରିବ । ଆଶୀର୍ବାଦ ଫୁଡ ପ୍ରୋସେସିଂ ପ୍ରାଇଭେଟ ଲିମିଟେଡ ଯାଜପୁରରେ ୫୬.୩୫ କୋଟି ଟଙ୍କା ବିନିଯୋଗରେ ଏକ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଅଟା କଳ ସ୍ଥାପନ କରିବ । ଏହା ୧୧୮ ନିଯୁକ୍ତି ସୃଷ୍ଟି କରିବ ।

ସୁମ୍ମା ରିଅଲ ମିଡିଆ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ୨୨୬.୫୭ କୋଟି ଟଙ୍କା ବ୍ୟୟରେ ଏକ ଆଇଟି ଭିତ୍ତିଭୂମି କମ୍ପ୍ଲେକ୍ସର ଶୁଭାରମ୍ଭ କରିଛି । ଯେଉଁଥିରେ ୧୦ ହଜାର ଆଇଟି ପ୍ରଫେସନାଲ ନିଯୁକ୍ତି ସୁଯୋଗ ପାଇବେ । ଭବାନୀ ଷ୍ଟିଲ ପ୍ରାଇଭେଟ ଲିମିଟେଡ ନୂଆପଡ଼ାରେ ଏକ ୫ ମେଗାୱାଟର କୋ-ଜେନ ପାୱାର ପ୍ଲାଣ୍ଟ ସହିତ ୨୦୦ କେଏଲପିଡି ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛି । ଯାହା ବିଜୁ ଅର୍ଥନୈତିକ କରିଡରରେ ୨୩୭.୮୦ କୋଟି ଟଙ୍କା ବିନିଯୋଗ କରିବ । କୃଷି ପ୍ରକ୍ରିୟାକରଣରେ ଉଲ୍ଲେଖନୀୟ ଯୋଗଦାନ ଦେବ । ୧୫୦ ନିଯୁକ୍ତି ସୃଷ୍ଟି କରିବ । ସେହିପରି ଜିଏଆଇଏ ନିଓ ଏନର୍ଜି ପ୍ରାଇଭେଟ୍ ଲିମିଟେଡ ୮୭ କୋଟି ଟଙ୍କା ବିନିଯୋଗରେ କଟକ ବାଙ୍କୀ-ଡମପଡ଼ାରେ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରୁଛି । ବାର୍ଷିକ ୩,୬୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟ ୭୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.