ETV Bharat / state

ଘଟଗାଁ ତାରିଣୀ ପୀଠରେ ଚଇତି ପର୍ବ, ସୁନା ବେଶରେ ଦର୍ଶନ ଦେଲେ ମା’

author img

By

Published : Apr 14, 2023, 9:09 AM IST

ତାରିଣୀ ପୀଠରେ ପଣା ସଂକ୍ରାନ୍ତି
ତାରିଣୀ ପୀଠରେ ପଣା ସଂକ୍ରାନ୍ତି

ଆଜି ଘଟଗାଁ ନିବାସୀନି ମା’ତାରିଣୀ ପୀଠରେ ଧୁମଧାମରେ ପଣା ସଂକ୍ରାନ୍ତି ପାଳିତ ହେଉଛି । ମା' ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଶହ ଶହ ଭକ୍ତଙ୍କ ଭିଡ ହୋଇଛି । ଅଧିକ ପଢନ୍ତୁ

ତାରିଣୀ ପୀଠରେ ପଣା ସଂକ୍ରାନ୍ତି

କେନ୍ଦୁଝର: ମନ୍ଦାର ନଡିଆ ଯାହାଙ୍କ ପ୍ରିୟ । କୋଟିକୋଟି ଓଡିଆଙ୍କ ଆରାଧ୍ୟ ଦେବୀ ସେ ଘଟଗାଁ ନିବାସୀନି ମା’ତାରିଣୀ । ଆରମ୍ଭ ହୋଇଛି ମା’ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ । ଯାହାକୁ ନେଇ ଚଳଞ୍ଚଳ ହୋଇ ଉଠିଛି କେନ୍ଦୁଝର । ଅନ୍ୟପଟେ ଆଜି ପବିତ୍ର ପଣା ସଂକ୍ରାନ୍ତି । ମାଙ୍କ ପ୍ରିୟ ପର୍ବ ପଣା ସଂକ୍ରାନ୍ତି । ଆଜିଠାରୁ ଓଡ଼ିଆ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହି ଅବସରରେ ସକାଳୁ ମା’ଙ୍କ ଶାବରୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ଆଳତୀ ପରେ ମା’ ସମସ୍ତ ଭକ୍ତଙ୍କୁ ସ୍ୱତନ୍ତ୍ର ସୁନାବେଶରେ ଦର୍ଶନ ଦେଇ ମନସ୍କାମନା ପୂର୍ଣ୍ଣ କରିଛନ୍ତି । ମା'ଙ୍କ ଏହି ଦିବ୍ୟରୂପ ଦେଖିବା ପାଇଁ ଅନେକ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି ।

ମାଆ ତାରିଣୀଙ୍କ ୮୭ତମ ଚଇତି ପର୍ବ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହେବ । ଶେଷ ଦିନରେ ଶହଶହ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରାଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଇତି ପର୍ବରେ ଆଜି ମା'ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି । ୭ଦିନ ଧରି ମା' ସୁନାବେଶରେ ଦର୍ଶନ ଦେଉଥିବା ବେଳେ ଆଜି ପଣାସଂକ୍ରାନ୍ତିରେ ମା'ଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।

ଏନେଇ ଧାଡିରେ ଠିଆ ହୋଇଥିବା ଜଣେ ଶ୍ରଦ୍ଧାଳୁ କହିଛନ୍ତି, "ମା'ଙ୍କ ସୁନେବେଶ ଦର୍ଶନ କରିବା ସହ ଦୁଃଖ ଜଣାଇବା ପାଇଁ ଆସିଛି । ସମଗ୍ର ବିଶ୍ବବାସୀ ସୁଖରେ ରୁହନ୍ତୁ ବୋଲି କରୁଣା କରିବା ପାଇଁ କହିବି । ପଣା ସଂକ୍ରାନ୍ତିରେ ମା'ଙ୍କ ଅପୂର୍ବ ରୂପ ଦେଖିବାକୁ ମିଳେ । ଆଜିର ଦିନରେ ମା' ନିଜେ ଆର୍ବିଭାବ ହେଲା ଭଲି ମନେ ହୁଏ ।"

ଅନ୍ୟପଟେ ଖରାକୁ ମୁକାବିଲା ସହ ଶାନ୍ତିଶୃଙ୍ଖଳା ପାଇଁ ପଦକ୍ଷପ ନିଆଯାଇଛି । ଏଥି ସହିତ ମନ୍ଦିରରେ ଭକ୍ତ ମାନଙ୍କ ଶୃଙ୍ଖଳା ଦର୍ଶନ, ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ତଥା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରବଳ ଖରା କାରଣରୁ ଅଶୁଂଘାତର ମୁକାବିଲା ପାଇଁ ମନ୍ଦିର ପରିସର, ଘଟଗାଁ ପାଲା ମଣ୍ଡପକୁ ପାଲରେ ଛାଉଣି ବ୍ୟବସ୍ଥା କରାଯାଇଛି । ସାତ ଦିନ ଧରି ମା'ତାରିଣୀ ସୁନା ବେଶରେ ଦର୍ଶନ ଦେବା ସହିତ ମନ୍ଦିର ପରିସରରେ ହୋମ ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଠିତ ହେଉଛି ।

ଏହି ଅବସରରେ ମା’ଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି । ଶୃଙ୍ଖଳା ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ଲଗାଯିବା ସହ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଚଇତି ପର୍ବରେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଘଂମାନେ ସହଯୋଗର ହାତ ବଢାଇଥାନ୍ତି । ତେବେ ଏହି ଚଇତି ପର୍ବ ସାତ ଦିନ ଧରି ପୀଠରେ ଭଜନ ସମାରୋହ, ପ୍ରବଚନ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦିପାଲା ଆଦି ଅନୁଷ୍ଠିତ ହୋଇ ଏକ ଆଧ୍ୟ୍ୟାତ୍ମକ ପରିବେଶ ସୃଷ୍ଟି କରୁଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.