ETV Bharat / state

କେନ୍ଦ୍ରାପଡା ଲକ୍ଷ୍ମୀପୂଜାର ନିଆରା ପରମ୍ପରା ‘ଗୁରୁବାର ବ୍ରତ’

author img

By

Published : Nov 5, 2020, 10:45 PM IST

Updated : Nov 5, 2020, 10:50 PM IST

କେନ୍ଦ୍ରାପଡା ଲକ୍ଷ୍ମୀପୂଜାରେ ନିଆରା ପରମ୍ପରା
କେନ୍ଦ୍ରାପଡା ଲକ୍ଷ୍ମୀପୂଜାରେ ନିଆରା ପରମ୍ପରା

କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଥାନପତି ଗଜଲକ୍ଷ୍ମୀଙ୍କ ପାଖରେ ଗୁରୁବାର ବ୍ରତ ପାଳନ ହୋଇଯାଇଛି । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଚାଲିଛି ପବିତ୍ର କାର୍ତ୍ତିକ ମାସ । ହିନ୍ଦୁ ଧର୍ମାବଲମ୍ବୀ ବିଶେଷ କରି ଓଡ଼ିଆ ମାନଙ୍କ ପାଇଁ ପବିତ୍ର ମାସ କୁହାଯାଉଥିବା ଏହି ମାସରେ ଅତୁଟ ରହିଛି ଭିନ୍ନ ପରମ୍ପରା । କାର୍ତ୍ତିକ ମାସରେ ପାଳନ କରାଯାଉଛି ମାଣବସା ଗୁରୁବାର ଓଷା ।

କେନ୍ଦ୍ରାପଡା ଲକ୍ଷ୍ମୀପୂଜାରେ ନିଆରା ପରମ୍ପରା

ଆଜି ହେଉଛି ପବିତ୍ର ମାଣବସା ଗୁରୁବାର ବ୍ରତ । କାର୍ତ୍ତିକ ମାସରେ ସମ୍ପନ୍ନ ହେବ ମାର୍ଗଶିର ମାସ ଗୁରୁବାର ଓଷାର ସମସ୍ତ ପରମ୍ପରା। ବହୁ ବର୍ଷରୁ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଥାନପତି ଗଜଲକ୍ଷ୍ମୀଙ୍କ ପାଖରେ ଏହି ଗୁରୁବାର ବ୍ରତ ପାଳନ ରକରାଯାଉଛି ।

୧୯୩୭ ମସିହାରୁ ମା'ଗଜଲକ୍ଷ୍ମୀଙ୍କ 9 ଦିନ ପୂଜା ମଧ୍ୟରେ ପଡୁଥିବା ଗୁରୁବାର ଦିନ ମାଣବସା ଓଷା କରିବା ପାଇଁ କେନ୍ଦ୍ରାପଡ଼ା ସହରର ମର୍ଦ୍ଦରାଜ ପରିବାର ସେବା ପାଇଛନ୍ତି । ସମ୍ପୂର୍ଣ୍ଣ ଓଡ଼ିଆ ବିଧି ମୁତାବକ ମା'ଙ୍କୁ ମାଣ ଖଟୁଲିରେ ବସାଯାଇ ଧାନ ବେଣ୍ଟି, ମୂଳା, ଆଖୁ, କଦଳୀ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀରେ ସୁସଜ୍ଜିତ କରି ମା’ଙ୍କୁ ଭୋଗ ଲାଗି କରାଯାଇଥାଏ ।

ମଧ୍ୟାହ୍ନରେ ଦହି ପଖାଳ, ଶାଗ ଇତ୍ୟାଦି ଭୋଗ ଲାଗି କରି ସନ୍ଧ୍ୟାରେ ମଣ୍ଡାପିଠା ନୈବେଦ୍ୟ ଅର୍ପଣ କରି ପୂଜା ଶେଷ କରିଥାନ୍ତି ମହିଳା। ତେବେ ସୁନ୍ଦର ଭାବେ ଚିତା ପକାଇବା ସହ ପ୍ରତ୍ୟେକ ବର୍ଷ ଏହି ପୂଜା ମଣ୍ଡପକୁ ମାଣବସା ଗୁରୁବାର ବ୍ରତ କରିବା ପାଇଁ କାହିଁ କେତେ ସ୍ଥାନରୁ ଛୁଟି ଆସିଥାନ୍ତି ମହିଳା ।

ତେବେ ଚଳିତବର୍ଷ କୋଭିଡ ସଂକ୍ରମଣ ଜନିତ କଟକଣାକୁ ଦୃଷ୍ଟିରେ ରଖି ଓ ପରଦା ପଛରେ ମା'ଲକ୍ଷ୍ମୀଙ୍କୁ ପୂଜା କରାଯାଉଥିବାରୁ କେହି ବ୍ରତଧାରୀ ଏଠାକୁ ଆସିନଥିବା ବେଳେ ସେବା ପାଇଥିବା ମର୍ଦ୍ଦରାଜ ପରିବାରର ବଡ଼ବୋହୂ ଆଜି ପ୍ରତ୍ୟୁଷରୁ ମା'ଲକ୍ଷ୍ମୀଙ୍କ ମାଣବସା ଓଷା କରିବା ପାଇଁ ଆସିଛନ୍ତି ।

ଏହି ମଣ୍ଡପରେ ମା ଲକ୍ଷ୍ମୀଙ୍କୁ ତୁଳସୀପତ୍ରରେ ପୂଜା କରାଯାଉଥିବା କିମ୍ବଦନ୍ତୀ ରହିଛି । କୋଭିଡ ପାଇଁ ଭକ୍ତଙ୍କୁ ମା'ଙ୍କ ଦର୍ଶନ ବାରଣ ଥିବା ବେଳେ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ଏଠାରେ ପୂଜାକାର୍ଯ୍ୟ ସମ୍ପାଦନ କରାଯାଉଛି । ଅନ୍ୟପଟେ ଚଳିତବର୍ଷ ପୂଜାର ମାହୋଲ ସମ୍ପୂର୍ଣ୍ଣ ଦୁଃଖଦ ଥିବା ବେଳେ ମା'କୃପା କଲେ ଆସନ୍ତା ବର୍ଷକୁ ପୁଣି ଜାକଜମକରେ ପୂଜା କରାଯିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଭକ୍ତ ତଥା ଓଷା କରିଥିବା ମହିଳାଙ୍କ ସ୍ବାମୀ ।

ଏହି ନୂଆ ବସଷ୍ଟାଣ୍ଡ ଥାନପତି ମେଢ଼ ମେଳଣକୁ ଯିବାବେଳେ କାନ୍ଧରେ ଯାଇଥାନ୍ତି ଯେତେବେଳେ କି ଅନ୍ୟ ମେଢ଼ ଗୁଡିକ ବିଭିନ୍ନ ଗାଡ଼ିରେ ମେଳଣକୁ ଯାଆନ୍ତି । ପାରମ୍ପରିକ ଓ କୌଳିକ ସେବା ଭାବେ ମର୍ଦ୍ଦରାଜ ପରିବାରକୁ ଦିଆଯାଇଥିବା ମାଣବସା ଗୁରୁବାର ବ୍ରତ ଦାୟିତ୍ବ ପାଇ ସେମାନେ ବହୁତ ଖୁସି ବୋଲି କୁହନ୍ତି କମିଟି ସଦସ୍ୟ ।

କୋରୋନା ଜନିତ ଏତେ କଟକଣା ଥାଇ ଓ ପରଦା ପଛରେ ମା’ଲକ୍ଷ୍ମୀଙ୍କ ଅବସ୍ଥାନ ରହିଥିବା ବେଳେ ନିଜର ସେବା ଓ କୌଳିକ ବୃତ୍ତିକୁ ନଭୁଲି ଓଷା ଜାରି ରଖିଛନ୍ତି ଓଡ଼ିଆଣି ରୋଜାଲିନ । ଲକ୍ଷ୍ମୀପୂଜା ଶେଷ ହେବାକୁ ଆଉମାତ୍ର ଦୁଇଦିନ ବାକି ରହିଥିବା ବେଳେ ବିଭିନ୍ନତା ମଧ୍ୟରେ ଏକତା ଓ ଭାଇଚାରାର ସହର କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ ହେଉଥିବା ଏହି ନିଆରା ପୂଜାକୁ ସମସ୍ତେ ପ୍ରଶଂସା କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Nov 5, 2020, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.