ETV Bharat / state

କେନ୍ଦ୍ରାପଡାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସଭାସ୍ଥଳରେ ଅଣ୍ଡାମାଡ଼

author img

By ETV Bharat Odisha Team

Published : Dec 28, 2023, 6:21 AM IST

Updated : Dec 28, 2023, 6:29 AM IST

Nua-O Program: କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟ ପରିସରରେ ଆୟୋଜିତ "ନୂଆ-ଓ" ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଅଣ୍ଡାମାଡ଼ । ଅଧିକ ପଢ଼ନ୍ତୁ

ଯୁବ ଓଡ଼ିଶା ନବୀନ ଓଡ଼ିଶା ସଭାସ୍ଥଳରେ ଅଣ୍ଡାମାଡ଼
ଯୁବ ଓଡ଼ିଶା ନବୀନ ଓଡ଼ିଶା ସଭାସ୍ଥଳରେ ଅଣ୍ଡାମାଡ଼

ଯୁବ ଓଡ଼ିଶା ନବୀନ ଓଡ଼ିଶା ସଭାସ୍ଥଳରେ ଅଣ୍ଡାମାଡ଼

କେନ୍ଦ୍ରାପଡା: ସାରା ରାଜ୍ୟରେ ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ହେଉଛି "ନୂଆ-ଓ" ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଥିବାବେଳେ ଯୁବବର୍ଗଙ୍କୁ ନିଜ ଦଳ ଆଡ଼କୁ ଆକର୍ଷିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ବିଜେଡି ସରକାର ଆପଣାଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ବିରୋଧ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ବୁଧବାର କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ।

ବୁଧବାର ଥିଲା "ନୂଆ-ଓ" ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉଦଯାପନୀ ଦିବସ । ପାଟକୁରା ନିର୍ବାଚନ ମଣ୍ଡଳୀ କୋରୁଆ ସ୍ଥିତ ଲୋକନାଥ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଯୋଗ ଦେଇଥିଲେ । ତେବେ ପୂର୍ବରୁ ମହାବିଦ୍ୟାଳୟରେ କିଟ୍‌ କିଣା ଦୁର୍ନୀତିକୁ ନେଇ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ଦିନ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଘେରିଥିବା ବେଳେ ବୁଧବାର ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ସଞ୍ଜୟ ମଞ୍ଚ ମଣ୍ଡନ କରିବା ପରେ ବିଭିନ୍ନ ଦିଗରୁ ସଭାମଞ୍ଚର ଚତୁଃପାର୍ଶ୍ଵରେ ଅଣ୍ଡାମାଡ଼ କରିଥିଲେ ଦୁର୍ବୃତ୍ତ । ଏହି ଅଣ୍ଡାଗୁଡିକ ମଧ୍ୟରୁ କିଛି ଛାତ୍ରୀଙ୍କ ଦେହରେ ବାଜିଥିବା ବେଳେ ଆଉ କିଛି ମଞ୍ଚ ତଳେ ଉପସ୍ଥିତ ଅତିଥିଙ୍କ ଦେହରେ ବାଜିଥିଲା । ସେହିଭଳି ଆଉ କିଛି ଅଣ୍ଡା କାର୍ଯ୍ୟକ୍ରମ ସିଲିଂରେ ପଡିଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ବିରୋଧ, ଛାତ୍ରଛାତ୍ରୀଙ୍କ ଧାରଣା

ତେବେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଟିକେଟ ଦାବିଦାର ବୋଲାଉଥିବା ସଞ୍ଜୟଙ୍କ ସଭାମଞ୍ଚରେ କିଏ ଓ କାହିଁକି ଅଣ୍ଡାମାଡ଼ କଲା ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ମଧ୍ୟ ଏହାର ଟେର ପାଇନାହିଁ । ତେବେ କାର୍ଯ୍ୟକ୍ରମ ପୂର୍ବରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜ ଫାଟକରେ ଦୀର୍ଘ ସମୟ ଧରି ତାଲା ପକାଇଥିବା ଦେଖିବାକୁ ମିଳିଥିଲା । କୁଦାନଗରୀ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ପରେ କଲେଜ ଫାଟକରୁ ତାଲା ଖୋଲିଥିଲେ ଛାତ୍ରଛାତ୍ରୀ । ଅନ୍ୟପଟେ ସଞ୍ଜୟଙ୍କୁ ଅଣ୍ଡାମାଡ଼ ଘଟଣା ନେଇ ପଚରାଯିବାରୁ କିଏ ଜଣେ ଲୁଚି ଆସି ଅଣ୍ଡା ଫୋପାଡ଼ି ଦେଇ ଚାଲିଗଲା ସେ ସମ୍ପର୍କରେ ସେମାନେ ଜାଣିନଥିବା କହିଛନ୍ତି । ତେବେ ସାଧାରଣ ନିର୍ବାଚନ ଆଗରୁ ସଞ୍ଜୟଙ୍କ ସଭାରେ ଅଣ୍ଡାମାଡ଼ ଅନେକ ଦିଗକୁ ସୂଚାଉଥିବା ବେଳେ ପାଟକୁରା ବିଜେଡିର ଅନ୍ତଃକନ୍ଦଳ ଦିନକୁ ଦିନ ବଢୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated :Dec 28, 2023, 6:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.