ETV Bharat / state

ସିଟି ହସ୍ପିଟାଲ ବଞ୍ଚାଅ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦାେଳନ

author img

By

Published : Feb 1, 2023, 4:04 PM IST

Kriyanusthana committe protest
ସିଟି ହସ୍ପିଟାଲ ବଞ୍ଚାଅ

ସିଟି ହସ୍ପିଟାଲ ଦାବିରେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦାେଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହେଲା ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ସିଟି ହସ୍ପିଟାଲ ବଞ୍ଚାଅ

କେନ୍ଦ୍ରାପଡ଼ା : ପୁଣିଥରେ ପ୍ରକମ୍ପିତ ହେଲା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଆମ ମେଡ଼ିକାଲ ଆମକୁ ଫେରାଇ ଦିଅ, ପୁରୁଣା ମେଡିକାଲ ବା ସିଟି ହସ୍ପିଟାଲ ଆମର ଦାବିରେ ଶହଶହ ସହରବାସୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜକୁ ଏକ ସପ୍ତାହ ଧରି ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଜିଲ୍ଲାପ୍ରଶାସନ ନିଦାବିଷ୍ଣୁ ସାଜିଛି । କୌଣସି ପ୍ରଶାସନିକ ଅଧିକାରୀ ଏପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ନଥିବା ବେଳେ ଦିନକୁ ଦିନ ଆନ୍ଦୋଳନରେ ଲୋକଙ୍କ ଅଧିକ ସମାଗମ ଏକ ଦୁର୍ବାର ଆନ୍ଦୋଳନକୁ ଖୋରାକ ଯୋଗାଉଛି ।

ପୀଢ଼ି ପରେ ପୀଢ଼ି ସହର ମଧ୍ୟରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଆସୁଥିବା ସହରବାସୀଙ୍କୁ ଏବେ ସାମାନ୍ୟତମ ଚିକିତ୍ସା ପାଇଁ ଏଠାରୁ ୬ କିଲୋମିଟର ଦୂର ଶ୍ୟାମଗୁଡ଼ିଆକୁ ଯିବାକୁ ପଡୁଛି । ଏଥିପାଇଁ ଅଟୋ ଭଡା ସର୍ବନିମ୍ନ ୫୦୦ ଟଙ୍କା ଖର୍ଚ୍ଚ ହେଉଛି । ତେବେ ଜଣେ ଅଭାବୀ ଗରିବ ପରିବାରର ଲୋକ କେମିତି ଏହି ଗସ୍ତ ଖର୍ଚ୍ଚ ବହନ କରିବ ସେନେଇ ପ୍ରଶ୍ନ କରିଛନ୍ତି ଜନସାଧାରଣ । ଅନ୍ୟପଟେ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଓ ସହରର ୨୧ ଜଣ କାଉନସିଲରଙ୍କ ସମେତ ପୌରାଧ୍ୟକ୍ଷା ସହରରେ ଥିବା ହସ୍ପିଟାଲରେ ୨୪ ଘଣ୍ଟିଆ ଡାକ୍ତର ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ପାଖରେ ଦାବି କରୁଛନ୍ତି । ହେଲେ ଏଯାବତ ଏମାନଙ୍କ ଦାବିକୁ କର୍ଣ୍ଣପାତ କରିନାହାଁନ୍ତି ଜିଲ୍ଲାପାଳ । ଯେଉଁଥିପାଇଁ ଭବିଷ୍ୟତରେ ଏକ ବିରାଟ ଜନଆନ୍ଦୋଳନର ବହ୍ନି ଦାନା ବାନ୍ଧୁଥିବା ଦେଖାଯାଇଛି ।

ପ୍ରକାଶ ଥାଉକି, କେନ୍ଦ୍ରାପଡ଼ା ପୌରାଞ୍ଚଳରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ପୌରାଞ୍ଚଳରେ କେବଳ ଆଉଟଡୋର ଚିକିତ୍ସା ପାଇଁ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରଖିବା ବିରୁଦ୍ଧରେ ପ୍ରତିବାଦ କରି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି କେନ୍ଦ୍ରାପଡ଼ା ବନ୍ଦ ଡାକରା ଦେଇଥିଲା । ସକାଳ ୬ଟାରୁ ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବରେ ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଏଥିରୁ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ଆମ୍ବୁଲାନ୍ସ ସେବା ଇତ୍ୟାଦିକୁ ବାଦ୍ ଦିଆଯାଇଥିଲା ।

ହେଲେ ଏହି ବନ୍ଦ ଡାକରା ପରେ ପୁରୁଣା ମେଡିକାଲ ନିକଟରେ ଥିବା ବିଭିନ୍ନ ମେଡିସିନ ଦୋକାନ, ପାଥୋଲାବ ଓ ନର୍ସିଂହୋମ ଉପରେ ଚଢାଉ ହୋଇଥିଲା । ଚଢାଉ ସମୟରେ ମେଡିସିନର ବୈଧତା, କାଗଜପତ୍ର ଓ କର୍ମଚାରୀଙ୍କ ଯୋଗ୍ୟତା, ଚିକିତ୍ସା ଉପକରଣ ଓ ରୋଗୀସେବାର ମାନ ଯାଞ୍ଚ କରାଯାଇଥିଲା । ପାଥୋଲାବର ଆବଶ୍ୟକୀୟ କାଗଜପତ୍ର ଓ ଲାଇସେନ୍ସ ନଥିବା ଯୋଗୁଁ ଏହାକୁ ସିଲ୍ କରାଯାଇଥିବା ସୂଚନା ଦିଆଯାଇଥିଲା । ସେହିପରି ଏକ୍ସପାରି ଡେଟ୍ ସରିଯାଇଥିବା ମେଡ଼ିସିନ୍ ପାଇବାରୁ ଔଷଧ ଦୋକାନକୁ ସିଲ କରାଯାଇଥିବା କୁହାଯାଇଛି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.