ETV Bharat / state

ବ୍ରାହ୍ମଣୀ ନଦୀରେ ନିମ୍ନମାନର ପଥର ପ୍ୟାକିଂ କାମ, ବିପଦରେ ସାହୁପଡା ଗାଁ !

author img

By

Published : Feb 10, 2023, 3:38 PM IST

low quality work in stone spoor packing at aali
low quality work in stone spoor packing at aali

ଆଳିରେ ପଥର ସ୍ପର ପ୍ୟାକିଂ କାମ ନିମ୍ନମାନର ହୋଇଥିବା ଅଭିଯୋଗ ଆଣିଲେ ସାହୁପଡ଼ା ଗ୍ରାମବାସୀ । ଅଧିକ ପଢନ୍ତୁ

ବ୍ରାହ୍ମଣୀ ନଦୀରେ ନିମ୍ନମାନର ପଥର ପ୍ୟାକିଂ କାମ

କେନ୍ଦ୍ରାପଡା: ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ପଥର ଓ ସ୍ପର୍‌ ପ୍ୟାକିଂ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । କିନ୍ତୁ ନିମ୍ନମାନର ପଥର ପ୍ୟାକିଂ କାର୍ଯ୍ୟ ଯୋଗୁଁ ବନ୍ୟା ଆସିଲେ ତାହା ନଦୀ ଗର୍ଭକୁ ଚାଲି ଯାଇଥାଏ । ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତର ସାହୁପଡା ଗ୍ରାମଟି ବ୍ରାହ୍ମଣୀ ନଦୀ କୂଳରେ ଥିବା ବେଳେ ପଥର ପ୍ୟାକିଂ ପାଇଁ ଦୀର୍ଘଦିନ ହେବ ଦାବି କରି ଆସୁଥିଲେ ଗ୍ରାମବାସୀ । ଏନେଇ ତଟ ବନ୍ଧ ବିଭାଗ ପକ୍ଷରୁ 10 କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ପଥର ପ୍ୟାକିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତାହା ନିମ୍ନମାନର ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ବ୍ରାହ୍ମଣୀ ନଦୀର ଅତଡା ଧାରରେ ଝୁଲି ରହିଛି ସାହୁପଡ଼ା ଗାଁ । ନଦୀନାଳ ଘେରା ଅଞ୍ଚଳ ଭାବେ ପରିଚିତ ସାହୁପଡା ଗ୍ରାମଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ । ଗ୍ରାମରେ ପ୍ରାୟ ଦୁଇଶହ ପରିବାର ବସବାସ କରୁଥିବା ବେଳେ ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ସେମାନଙ୍କ ପାଇଁ ବିପଦ ପାଲଟିଛି । ନଦୀ ବାରମ୍ବାର ଗତିପଥ ପରିବର୍ତ୍ତନ କରୁଥିବାରୁ ଅନେକ ଘର ନଦୀରେ ଲୀନ ହୋଇ ଯାଇଥିବା ବେଳେ ଏବେ ଆହୁରି ଅନେକ ଘର ନଦୀ ଆଁକୁ ଚାଲି ଯିବାର ଭୟ ସୃଷ୍ଟି ହୋଇଛି । ଏଣୁ ପଥର ପ୍ୟାକିଂ ପାଇଁ ଦାବି ପରେ ଆରମ୍ଭ ହୋଇଥିଲା କାମ । କିନ୍ତୁ ଏହି କାର୍ଯ୍ୟ କରୁଥିବା ଠିକାଦାର ସାହୁପଡାବାସୀଙ୍କ ଜୀବିକା କଥା ଭୁଲିଯାଇ ନିଜ ଜୀବିକା କିପରି ହେବ ସେନେଇ ଚିନ୍ତା କରୁଥିବା ଅଭିଯୋଗ ହୋଇଛି ।

ନିମ୍ନ ମାନର କାମ ଯୋଗୁଁ ଥରେ ବନ୍ୟା ଆସିଲେ ଫଥର ପ୍ୟାକିଂ ଭାଙ୍ଗିଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଏଠାରେ କାମ କରୁଥିବା ଠିକାଦାର ଜଣକ ନିଜ ଲାଭ ଅପେକ୍ଷା ସାହୁପଡ଼ା ବାସୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି ଗ୍ରାମବାସୀ । ଯଦି ଠିକ ଭାବେ କାର୍ଯ୍ୟ ନହୁଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି । ନଦୀ ଆଁରେ ସେମାନଙ୍କ ଘର ଥିଲେ ସୁଦ୍ଧା ମାଟିଡିହ ଓ ବଡ଼ବଡ଼ ଗଛ ସେମାନଙ୍କୁ ବନ୍ୟା ଦାଉରୁ ଅନେକ ସମୟରେ ରକ୍ଷା କରୁଥିବା ବେଳେ ପଥର ପ୍ୟାକିଂ କାର୍ଯ୍ୟ କରୁଥିବା ଠିକାଦାର ନଦୀ କୂଳରେ ଥିବା ସବୁ ଗଛକାଟି ସଫା କରି ଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ତଟବନ୍ଧ ବିଭାଗର ଅଧିକାରୀ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି l ଫଳରେ ଠିକାଦାର ଆଉ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର କାମ ହେଉଥିବା କୁହାଯାଉଛି। ଅନ୍ୟପଟେ ଆଳି ତଟବନ୍ଧ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳ ପରିଦର୍ଶନ କରିଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁନାହାନ୍ତି l ଦେଖିବାକୁ ବାକି ରହିଲା ଆଳି ତଟବନ୍ଧ ବିଭାଗ ନିମ୍ନ ମାନର କାମ ନେଇ କେବେ ନେଉଛି କାର୍ଯ୍ୟାନୁଷ୍ଠାନ l

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.