ETV Bharat / state

ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଲାଗିଥିବା CCTV ଅଚଳ, ଭିଡର ଫାଇଦା ନେଇ ଭକ୍ତଙ୍କ ଗହଣା ଲୁଟିଲେ ଦୁର୍ବୃତ୍ତ

author img

By

Published : Jan 15, 2023, 3:20 PM IST

loot from baladevjew temple
loot from baladevjew temple

କେନ୍ଦ୍ରାପଡା ଜିଲ୍ଲାର ବଳଦେବଜୀଉଙ୍କ ପୀଠରୁ ଚୋରି । ମକର ସଂକ୍ରାନ୍ତିରେ ଭିଡର ଫାଇଦା ନେଇ ୫ଜଣ ଭକ୍ତଙ୍କ ଠାରୁ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ବଳଦେବଜୀଉଙ୍କ ପୀଠରେ ଭକ୍ତଙ୍କ ଗହଣା ଲୁଟିଲେ ଦୁର୍ବୃତ୍ତ

କେନ୍ଦ୍ରାପଡା: ଜିଲ୍ଲାରେ ମାତିଲେ ଚୋର । ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀଉଙ୍କ ପୀଠରେ ଆତଙ୍କ ମଚାଇଲେ ଚୋର । ଗହଳିର ସୁଯୋଗ ନେଇ ୫ଭକ୍ତଙ୍କ ଠାରୁ ଝାମ୍ପି ନେଲେ ସୁନା ଚେନ । ପୋଲିସର ସୁରକ୍ଷା ବ୍ୟବସ୍ଥାର ଅବହେଳା ଏବଂ CCTV କାମ ନକରିବା ଯୋଗୁଁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି ।

ଶନିବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ବଳଦେବଜୀଉଙ୍କ ପୀଠ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ପୁରି ଉଠୁଥିଲା । ତେବେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କୌଶଳ କରି ଅନ୍ୟୁନ ୫ ଭକ୍ତଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେବାରେ ସଫଳ ହୋଇଛନ୍ତି । ଦୀର୍ଘ ୨ ବର୍ଷ ଧରି କୋଭିଡ କଟକଣା ପାଇଁ ମକର ସଂକ୍ରାନ୍ତି ଅବସରରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଚଳିତବର୍ଷ ସନ୍ଧ୍ୟା ମକର ବେଢ଼ା ପରିକ୍ରମା ସୁଦ୍ଧା ୪ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ଦିର ପରିସର ଓ ଚୌହଦିରେ ଏତେ ସଂଖ୍ୟକ ଭକ୍ତଙ୍କ ପାଇଁ ସ୍ଥାନ ଅଭାବ କାରଣରୁ ଭିଡ଼ ସକାଳୁ ଧୀରେଧୀରେ ବୃଦ୍ଧି ପାଇଥିଲା । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମହିଳା, ବରିଷ୍ଠ ନାଗରିକଙ୍କ ବେକରୁ ଚତୁରତାର ସହ ସୁନା ଚେନ ଓ ଲକେଟ ଝାମ୍ପି ନେବାରେ ସଫଳ ହୋଇଛନ୍ତି । ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ପୋଲିସ ମୁତୟନ ନହେବା ଓ ମନ୍ଦିରରେ ଲାଗିଥିବା CCTVଗୁଡ଼ିକ କାମ ନକରିବା ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ଧନହାନି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: Hockey World Cup: ଆଜି ଭାରତ-ଇଂଲଣ୍ଡ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

ମୁଖ୍ୟମନ୍ତ୍ରୀ ବଳଦେବଜୀଉ ମନ୍ଦିରର ବିକାଶ ପାଇଁ ସାଢ଼େ ଦଶ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବା ବେଳେ ପ୍ରାଥମିକତା ଭିତ୍ତିରେ ମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ବିଭିନ୍ନ ସ୍ଥାନରେ CCTV ଲଗା ଯାଇଥିଲା । ତେବେ CCTV ଲଗାଯିବାର ମାତ୍ର ମାସକ ମଧ୍ୟରେ ଏଗୁଡିକ ଖରାପ ହୋଇଯିବା ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁନଃ ଏହାକୁ ସଜଡ଼ା ଯାଇଥିବା ବେଳେ ବର୍ତ୍ତମାନ ଏଗୁଡିକ ଖରାପ ହୋଇ ଯାଇଥିବା ଜଣାପଡିଛି । ଯେଉଁଥିପାଇଁ ଲୁଟେରାମାନେ ପବିତ୍ର ସଂକ୍ରାନ୍ତି ଭଳି ଦିନରେ ପ୍ରାୟ ୫୦ ଗ୍ରାମରୁ ଊର୍ଦ୍ଧ୍ବ ସୁନାଗହଣା ଭକ୍ତଙ୍କ ବେକରୁ ଲୁଟି ନେବାରେ ସଫଳ ହୋଇଛନ୍ତି । ଗହଣା ଚୋରିକୁ ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.