ETV Bharat / state

ସମବାୟ ମନ୍ତ୍ରୀଙ୍କ ଜିଲ୍ଲାରେ ବିଳମ୍ବରେ ଖୋଲିଲା ଧାନ ମଣ୍ଡି

author img

By ETV Bharat Odisha Team

Published : Jan 7, 2024, 11:49 AM IST

ମନ୍ତ୍ରୀଙ୍କ ଜିଲ୍ଲାରେ ବିଳମ୍ବରେ ଖୋଲିଲା ଧାନମଣ୍ଡି, ଉଦଘାଟନ ପୂର୍ବରୁ ଧାନ ନେଇଗଲେଣି ବାହାର ଦଲାଲ
ମନ୍ତ୍ରୀଙ୍କ ଜିଲ୍ଲାରେ ବିଳମ୍ବରେ ଖୋଲିଲା ଧାନମଣ୍ଡି, ଉଦଘାଟନ ପୂର୍ବରୁ ଧାନ ନେଇଗଲେଣି ବାହାର ଦଲାଲ

Paddy Procurement: କେନ୍ଦ୍ରାପଡ଼ା ଜିଲ୍ଲାରେ ସପ୍ତାହ ବିଳମ୍ବରେ ଖୋଲିଲା ଖରିଫ ଧାନ ମଣ୍ଡି । ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଷୀମାନେ ଧାର୍ଯ୍ୟ କେନ୍ଦ୍ରରେ ଧାନ ବିକ୍ରି କରିପାରିବେ । ଜିଲ୍ଲାରେ ୧୧୮ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ଜିଲ୍ଲାରେ ବିଳମ୍ବରେ ଖୋଲିଲା ଧାନମଣ୍ଡି, ଉଦଘାଟନ ପୂର୍ବରୁ ଧାନ ନେଇଗଲେଣି ବାହାର ଦଲାଲ

କେନ୍ଦ୍ରାପଡ଼ା: ପ୍ରାୟ ୧୦ ଦିନ ବିଳମ୍ବରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିଜସ୍ୱ ଜିଲ୍ଲାରେ ଖୋଲିଛି ଚଳିତ ଖରିଫ ବର୍ଷ ପାଇଁ ଧାନ ମଣ୍ଡି । ଏଣିକି ଚାଷୀମାନେ ଏହି ମଣ୍ଡିରେ ନିଜ ଧାନ ବିକ୍ରି କରିପାରିବେ । କେନ୍ଦ୍ରାପଡ଼ା ଜମଧର ସ୍ଥିତ ନିୟନ୍ତ୍ରିତ ବଜାର କମିଟି(RMC) କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନ କିଣା ଆରମ୍ଭ ହୋଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଷୀମାନେ ଧାର୍ଯ୍ୟ କେନ୍ଦ୍ରରେ ଧାନ ବିକ୍ରି କରିପାରିବେ । ଏଥିପାଇଁ ଜିଲ୍ଲାରେ ମୋଟ ୧୧୮ କେନ୍ଦ୍ର କରାଯାଇଛି । ପୂର୍ବପରି ଚାଷୀମାନଙ୍କ ଆକାଉଣ୍ଟକୁ ସିଧା ଟଙ୍କାର ଯିବାର ବ୍ୟବସ୍ଥା ରହିଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀମାନଙ୍କ ପାଇଁ ଶନିବାରଠାରୁ ଖୋଲିଛି ଧାନ ମଣ୍ଡି । ଜମଧର ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଧାନ ମଣ୍ଡିକୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ମୋଟ ୧୧୮ ଗୋଟି କୃଷି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରାଯିବ । ଚଳିତ ଋତୁରେ ଜିଲ୍ଲାରେ ୪୧ ହଜାର ୭୪୧ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୮୫ ହଜାର କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅନଲାଇନରେ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରି କରିପାରିବେ ।

ଚଳିତ ବର୍ଷ ସପ୍ତାହକୁ ୩ ଦିନ ଧାନ କ୍ରୟ କରିବା ପାଇଁ ପ୍ରଶାସନ ନିୟମ କରିଛନ୍ତି । ଗୁରୁବାର ଏବଂ ଜାତୀୟ ଛୁଟି ଦିବସ ବ୍ୟତୀତ ଅନ୍ୟ ସବୁ ଦିନ ଧାନ ବିକ୍ରି କରିପାରିବେ ଚାଷୀ । ମାର୍ଚ୍ଚ ୩୧ ତାରିଖ ଯାଏ ଚାଷୀମାନେ ଧାର୍ଯ୍ୟ କେନ୍ଦ୍ରରେ ଧାନ ବିକ୍ରି କରିପାରିବେ ବୋଲି କହିଛନ୍ତି ଅଧିକାରୀ । ସକାଳ ୮ଟାରୁ ଦିନ ୨ଟା ମଧ୍ୟରେ ଚାଷୀମାନେ ଧାନ ବିକ୍ରି କରିପାରିବେ । ତେବେ ଏଫଏକ୍ୟୁ(FAQ) ଫେଆର ଆଭରେଜ କ୍ୱାଲିଟି ମାନର ଧାନ କ୍ୱିଣ୍ଟାଲ ପ୍ରତି ୨ହଜାର ୧ଶହ ୮୩ ଟଙ୍କା ଏବଂ ଗ୍ରେଡ 'ଏ' ମାନର ଧାନ କ୍ୱିଣ୍ଟାଲ ପ୍ରତି ଦର ୨ ହଜାର ୨ଶହ ତିନି ଟଙ୍କାରେ ସଂଗ୍ରହ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଧାନ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ, ଛତିଶଗଡ଼ ଓ ଆନ୍ଧ୍ର ଯାଉଛି ଓଡ଼ିଶା ଧାନ

ତେବେ ଧାନ ବିକ୍ରି ସମୟରେ ଚାଷୀମାନେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ତୁରନ୍ତ ଜିଲ୍ଲାସ୍ତରୀୟ କଣ୍ଟ୍ରୋଲ ରୁମରୁ ସହାୟତା ନେଇପାରିବେ । ଅନ୍ୟ ପକ୍ଷରେ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ପାନୀୟ ଜଳ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ଗତବର୍ଷ ୩୧ ଜଣ ମିଲର ଧାନ କ୍ରୟରେ ଅଂଶ ଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ୨୭ ଜଣ ମିଲର ଭାଗ ନେଇଛନ୍ତି । ଧାନ କ୍ରୟ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସରଳ କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଥିବା ବେଳେ ମିଲରମାନଙ୍କ ମନମାନୀକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି । ସରକାରଙ୍କ ଠାରୁ ମିଳିଥିବା ଟୋକନ ଅନୁଯାୟୀ ମିଲର ଅନେକ ସମୟରେ ଧାନ କ୍ରୟ କରନ୍ତି ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାସହ କଟନୀ ଛଟନୀ ବନ୍ଦ କରିବା ପାଇଁ ଦାବି କରିଛନ୍ତି ଚାଷୀ ।

ତେବେ ଚଳିତ ବର୍ଷ ନକଲି ଚାଷୀ ବାଦ ପଡିବା ଘଟଣାକୁ ଚାଷୀମାନେ ସ୍ୱାଗତ କରିଛନ୍ତି । କେନ୍ଦ୍ରାପଡା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିଜସ୍ୱ ଜିଲ୍ଲା ହୋଇଥିବା ବେଳେ ବିଳମ୍ବରେ ଧାନ ମଣ୍ଡି ଖୋଲିବା ଓ ଚାଷୀମାନଙ୍କ ଅଖା ପଇସା ନମିଳିବା ସାଙ୍ଗକୁ କଟନୀ ଛଟନୀ ଏବେ ଚିନ୍ତା ବଢ଼ାଉଛି ।


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.