ETV Bharat / state

ଚାକିରି ଛାଡି ଆପଣାଇଲେ ଚାଷ, ଆର୍ମନିର୍ଭରଶୀଳ ହେବା ସହ 5 ପରିବାରକୁ ଦେଲେ ରୋଜଗାର

author img

By ETV Bharat Odisha Team

Published : Dec 8, 2023, 3:25 PM IST

ଚାକିରି ଛାଡି ଆପଣାଇଲେ ଚାଷ
ଚାକିରି ଛାଡି ଆପଣାଇଲେ ଚାଷ

kendrapara successful farmer: ଦିନେ ଚାକିରି କରି ପରିବାର ପ୍ରତିପୋଷଣ ପାଇଁ ପଣ କରିଥିଲେ ଆଉ ଆଜି ଚାକିରି ଛାଡି ନିଜେ ଆତ୍ମ ନିର୍ଭରଶୀଳ ହୋଇ ଅନ୍ୟ ମାନଙ୍କୁ ଦେଇ ପାରିଛନ୍ତି ନିଯୁକ୍ତି । ଚାଷକୁ ଆପଣାଇ ସଫଳ ଚାଷୀ ହୋଇପାରିଛନ୍ତି କେନ୍ଦ୍ରାପଡାର ଚନ୍ଦ୍ରଶେଖର ମାନ୍ନା । ଦେଖନ୍ତୁ ଏହି ରିପୋର୍ଟ

ସଫଳ ଚାଷୀ ଚନ୍ଦ୍ରଶେଖର

କେନ୍ଦ୍ରାପଡା: କଥାରେ ଅଛି,"ଚାଷ ଅଛି ଯାହାର କି ଆନନ୍ଦ ତାହାର" ଆଉ ଏହି ପଂକ୍ତିକୁ ସଫଳ କରି ଦେଖାଇଛନ୍ତି କେନ୍ଦ୍ରାପଡା ରାଜନଗର ବ୍ଲକ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ଜୁନୁସନଗର ଗ୍ରାମର ଚାଷୀ ଚନ୍ଦ୍ରଶେଖର ମାନ୍ନା । ନିଜ ଚାଷ ଜମିରେ ପରିଶ୍ରମ କରି ଫଳାଇଛନ୍ତି ସୁନାର ଫସଲ । ବର୍ତ୍ତମାନ ଚାଷ କାର୍ଯ୍ୟକୁ ଯୁବପିଢି ହୀନ ମନେ କରୁଥିବା ବେଳେ ଚାକିରି ଛାଡି ଚାଷ ବୃତ୍ତିକୁ ବାଛି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଚନ୍ଦ୍ରଶେଖର ।

ବର୍ତ୍ତମାନର ଯୁବପିଢ଼ି ଏବେ ଚାଷ କରିବାକୁ ହୀନ ମନେ କରି ଏବେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଚନ୍ଦ୍ରଶେଖରଙ୍କ ନିକଟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜୁନୁସନଗର ଗ୍ରାମର ସଫଳ ଚାଷୀ ଚନ୍ଦ୍ରଶେଖର ମାନ୍ନା ନିଜର ହାଡଭଙ୍ଗା ପରିଶ୍ରମ ବଳରେ ଚାଷଜମିରେ ଫଳାଇଛନ୍ତି ସୁନାର ଫସଲ ଓ ଅନ୍ୟ ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଏକ ଆଦର୍ଶ ।

ଚନ୍ଦ୍ରଶେଖର ନିଜ ୫ ଏକର ଜମିରେ ବିଭିନ୍ନ ପ୍ରକାର ପନିପରିବା ଅର୍ଥାତ୍ ବାଇଗଣ, ଟମାଟୋ, ଝୁଡଙ୍ଗ, ଭେଣ୍ଡି, କଲରା, ଜହ୍ନି, କାକୁଡି, ବିଭିନ୍ନ ପ୍ରକାରର କଦଳୀ, କ୍ୟାପ୍ସିକମ, ଲଙ୍କା ଭଳି ପନିପରିବା ସହ ଡ୍ରାଗନ ଫଳ ଫସଲ କରୁଛନ୍ତି । ଏଥିସହିତ ଦେଶୀ ଓ ବନରାଜ କୁକୁଡ଼ା ଏବଂ ବିଭିନ୍ନ କିସମର ଦେଶୀ ମାଛ ଚାଷ କରି ବେଶ ଲାଭବାନ ହୋଇଛନ୍ତି । କିଛି ଜମିରେ ଧାନ ଓ ଆଖୁ ଚାଷ ମଧ୍ୟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ସମନ୍ବିତ ଚାଷରୁ ସ୍ବାବଲମ୍ବୀ ସାଆନ୍ତା

ଚଳିତ ବର୍ଷ ଚନ୍ଦ୍ରଶେଖର ନିଜ ଚାଷ ଜମିରେ ଜୈବିକ ପ୍ରକ୍ରିୟାରେ ଚାଷକରି ଉନ୍ନତ ମାନର ଡ୍ରାଗନ ମଧ୍ୟ ଫଳାଇଛନ୍ତି । ତେବେ ଉପକୂଳ ଅଞ୍ଚଳର ମଟାଳ ମାଟିରେ ଏହି ବିଦେଶୀ ଫଳ ଫଳିବା ବେଶ ବିରଳ । ରାଜନଗର ବଜାରରେ ହେଉ ବା ଆଖପାଖ ଅଞ୍ଚଳରେ ଚନ୍ଦ୍ରଶେଖରଙ୍କ ପରିବା ବେଶ ଚାହିଦା ରହିଥିବା ବେଳେ ବେଶ ଦି ପଇସା ଲାଭବାନ ହୋଇଛନ୍ତି । ନିଜେ ପରିଶ୍ରମ କରି ଆତ୍ମନିର୍ଭରଶୀଳ ହେବା ସହ ୫ ପରିବାରଙ୍କୁ ନିଜ ଚାଷ କାମରେ ଲଗାଇ ସେମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିପାରିଛନ୍ତି ।

ଚାଷୀ ଚନ୍ଦ୍ରଶେଖର ମାନ୍ନାଙ୍କ କହିବାନୁଯାୟୀ, "ପିଲାଟି ବେଳୁ ବାପାଙ୍କ ସହିତ ବିଲକୁ ଆସି ବାପା କରୁଥିବା ପନିପରିବା ଚାଷକୁ ଦେଖି ଅଳ୍ପ କିଛି ଜାଣିଥିଲି । ମ୍ୟାଟ୍ରିକ ପାଠପଢା ଶେଷକରି ରାଜନଗର ବନଖଣ୍ଡ ଅଧିନ ଭିତରକନିକା ଜାତୀୟ ଉଦ୍ୟାନ ବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ପାଇ କଇଁଛ ମାନଙ୍କ ଅଣ୍ଡାକୁ ସୁରକ୍ଷା ଦେଉଥିଲି । ହେଲେ ସ୍ୱଳ୍ପ ବେତନରେ ପରିବାର ଚଳାଇବା କଷ୍ଟକର ଅନୁଭବ କରି ଓ ଚାଷ ପ୍ରତି ଦୁର୍ବଳତା ଥିବାରୁ ଚାକିରି ଛାଡି ପୁଣି ବାପାଙ୍କ ସହିତ ଚାଷ କରିବାକୁ ଗାଁ ମାଟିକୁ ଫେରିଥିଲି ।"

ଅନ୍ୟପଟେ ଚନ୍ଦ୍ରଙ୍କ ବାପା ଅଶୋକ କୁମାର ମାନ୍ନା ଜଣେ ଚାଷୀ ଭାବେ ୨୦୧୭ ମସିହାରେ ମାନପତ୍ର ପାଇଛନ୍ତି । ଆଉ ପୁଅର ପରିଶ୍ରମ ଦେଖି ବାପା ଅଶୋକ ନିଜେ ବିଲକୁ ଯାଇ ତଦାରଖ କରିବା ସହିତ କିଭଳି ଭାବରେ ପୁଅକୁ ଆହୁରି ସଫଳତା ମିଳିବ ସେନେଇ ପୁଅକୁ ପରାମର୍ଶ ଦେଇଥାନ୍ତି । ଆହୁରି ମଧ୍ୟ ଅଶୋକ,ଚନ୍ଦ୍ରଶେଖରଙ୍କ ଠାରୁ ନୂଆ ନୂଆ ଜିନିଷ ଶିଖୁଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଧାନଚାଷ ଦେଇଛି ପରିଚୟ, ଗୋଟିଏ ଗଛରେ ଫଳୁଛି ୯ କେଣ୍ଡା ଧାନ

ବିନା ତାଲିମ ଓ ବିନା ବିଶେଷଜ୍ଞମାନଙ୍କ ପରାମର୍ଶରେ ଚନ୍ଦ୍ରଶେଖର ଚାଷ କାର୍ଯ୍ୟରେ ସଫଳ ହୋଇଛନ୍ତି । ଯଦି ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ ପ୍ରୋତ୍ସାହନ ପ୍ରଶିକ୍ଷଣ ଓ ଶୀତଳ ଭଣ୍ଡାର ସହ ବଜାରର ଦର ନିୟନ୍ତ୍ରଣ ରଖାଯାଏ ତେବେ ଯୁବପିଢ଼ି ଚାଷ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରି ଦାଦନ ଖଟି ବାକୁ ଯାଆନ୍ତେ ନାହିଁ ବୋଲି କହିଛନ୍ତି ଚନ୍ଦ୍ରଶେଖର ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.