ETV Bharat / state

କେନ୍ଦ୍ରାପଡା ପୌରପାଳିକାରେ ଅବ୍ୟବସ୍ଥା, ବୈଠକକୁ ବୟକଟ୍ କଲେ କାଉନସିଲର

author img

By

Published : Aug 21, 2022, 11:34 AM IST

କେନ୍ଦ୍ରାପଡା ପୌରପାଳିକାରେ ଅବ୍ୟବସ୍ଥା, ବୈଠକକୁ ବୟକଟ୍ କଲେ କାଉନସିଲର
କେନ୍ଦ୍ରାପଡା ପୌରପାଳିକାରେ ଅବ୍ୟବସ୍ଥା, ବୈଠକକୁ ବୟକଟ୍ କଲେ କାଉନସିଲର

କେନ୍ଦ୍ରାପଡା ପୌରପାଳିକାରେ ସମସ୍ୟା ମାଳମାଳ ହେଲେ ସମାଧାନ ଶୂନ । ବୈଠକ ପରେ ବୈଠକ ବସୁଛି ହେଲେ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି କାଉନସିଲର । ଏହାର ପ୍ରତିବାଦରେ ପୌରପାଳିକାର ବୈଠକକୁ ବୟକଟ କରିଛନ୍ତି 9ଜଣ କାଉନସିଲର । ଅଧିକ ପଢନ୍ତୁ

କେନ୍ଦ୍ରାପଡା: କେନ୍ଦ୍ରାପଡା ପୌରପାଳିକାରେ ସମସ୍ୟା ମାଳମାଳ ହେଲେ ସମାଧାନ ଶୂନ । ପାନୀୟ ଜଳ ଯୋଗାଣଠୁ ନେଇ ଡ୍ରେନ ସମସ୍ୟା, ଜଳ ନିଷ୍କାସନ ଭଳି ଅନେକ ମୌଳିକ ସମସ୍ୟା ରହିଛି । ସମସ୍ୟାର ସମାଧାନ ଦାବୀ ନେଇ ପୌରପାଳିକାର ବୈଠକକୁ ବୟକଟ କରିଛନ୍ତି କାଉନସିଲର ।

154 ବର୍ଷର ପୌରପାଳିକାରେ ଅବ୍ୟବସ୍ଥା

କେନ୍ଦ୍ରାପଡା ପୌରପାଳିକାର ଗତ ତିନୋଟି ବୈଠକରେ ପୌରାଧକ୍ଷା, ନିର୍ବାହୀ ଅଧିକାରୀ ଓ ବିଧାୟକ ବାରମ୍ବାର ପ୍ରତିଶୃତି ଦେଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ବୈଠକ ପରେ ବୈଠକ ବସୁଛି ହେଲେ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି କାଉନସିଲର । ଏନେଇ କଂଗ୍ରେସ ଦଳର 5 କାଉନସିଲରଙ୍କ ସମେତ 4ଜଣ ସ୍ବାଧୀନ କାଉନସିଲର ବୈଠକରେ ହଟ୍ଟଗୋଳ କରିଥିଲେ । ଏହାର ପ୍ରତିବାଦରେ ପୌରପାଳିକାର ବୈଠକକୁ ବୟକଟ କରିଛନ୍ତି 9ଜଣ କାଉନସିଲର ।

154 ବର୍ଷର ପୌରପାଳିକା ହୋଇଥିଲେ ହେଁ ଡ୍ରେନେଜ, ଜଳ ନିଷ୍କାସନ, ପାନୀୟଜଳ ଆଦି କ୍ଷେତ୍ରରେ ବହୁ ପଛରେ ପଡିଛି କେନ୍ଦ୍ରାପଡ଼ା ସହର । ଲଗାଣ ବର୍ଷା ସମୟରେ ବିଭିନ୍ନ ୱାର୍ଡରେ ଜଳ ନିଷ୍କାସନ ହୋଇପାରୁନାହିଁ । ପୌରପାଳିକାରେ ସମସ୍ୟାର ତାଲିକା ଖୁବ ଲମ୍ବା ହେଲେ ସମସ୍ୟାର ବାଟ ବାହାରି ପାରୁନାହିଁ । ଯାହାକୁ ନେଇ କାଉନସିଲରମାନେ ମ୍ୟୁନିସିପାଲିଟି ଅଧିକାରୀ,ଏଇ, ଜେଇଙ୍କୁ ଅସୁବିଧା ସମ୍ପର୍କରେ ଅବଗତ କରିବା ପାଇଁ ପ୍ରୟାସ କରିଥିଲେ। ହେଲେ ସେମାନଙ୍କ ସହ ଯୋଗାଯୋଗ ହୋଇପାରିନଥିବା କହିଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଏହି ଅଧିକାରୀଙ୍କୁ ଘଣ୍ଟ ଘୋଡାଇବାକୁ ନାପସନ୍ଦ କରି ବୈଠକ ଅଧାରୁ ଉଠି ଆସି ବିଧାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି କାଉନସିଲର ।

ଅନ୍ୟପଟେ ସହରସାରା ଷ୍ଟ୍ରିଟ ଲାଇଟ ଲଗାଯାଇଥିଲେ ସୁଦ୍ଧା ତାହା ଜଳୁନଥିବା ଅଭିଯୋଗ ହୋଇଛି । ହେଲେ ଦୀର୍ଘ ୫ ମାସ ଧରି ନିର୍ବାଚିତ ହୋଇଥିବା କାଉନସିଲରମାନଙ୍କ କଥାକୁ ଭୃକ୍ଷେପ କରାନଯିବାରୁ ଏହି ବୈଠକ ବୟକଟ କରାଯାଇ ଥିବା କହିଛନ୍ତି କାଉନସିଲର । ସମସ୍ୟାର ସମାଧାନ ନ ହେଲେ ଭବିଷ୍ୟତରେ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କାଉନସିଲର ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.