ETV Bharat / state

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା: ସଜେଇ ହେଲାଣି କେନ୍ଦ୍ରାପଡା, ରାତିରେ ଜାରି ରହିବ କର୍ଫ୍ୟୁ

author img

By

Published : Oct 18, 2021, 8:48 PM IST

ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା, ହଟହଟା କରୁଛି କୋଭିଡ
ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା, ହଟହଟା କରୁଛି କୋଭିଡ

ଆଉ ଦିନକ ପରେ କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ପାର୍ବଣରେ ବାଧା ସାଜିଛି ମହାମାରୀ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନଥିବାବେଳେ ରାତିରେ ଜାରି ରହିବ କର୍ଫ୍ୟୁ । କୋଭିଡ କଟକଣାରେ ନିରାଡମ୍ବର ଭାବେ ଶେଷ ହେବ ପୂଜା । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଦୁର୍ଗତିନାସିନୀ ମା' ଦୁର୍ଗାଙ୍କ ଧରାପୃଷ୍ଠରୁ ପ୍ରତ୍ୟାବର୍ତ୍ତନ ପରେ ଧନଧାନ୍ୟର ଦେବୀ ମା' ଗଜଲଷ୍ମୀଙ୍କ ଧରାପୃଷ୍ଠକୁ ଅବତରଣ ପାଇଁ ସବୁଆଡେ ଚାଲିଛି ସଜବାଜ। ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହେଉଛି କେନ୍ଦ୍ରାପଡା ସହର । ପ୍ରତିବର୍ଷ କୁଆଁରପୁନେଇ ଜହ୍ନ ଉଠିବା ପରେ କେନ୍ଦ୍ରାପଡା ସହରରେ ମା' ଗଜଲକ୍ଷ୍ମୀଙ୍କ ସମେତ ବିଭିନ୍ନ ଦେବାଦେବୀଙ୍କ ପୂଜା ଆରମ୍ଭ ହେବାର ପରମ୍ପରା ରହିଛି ।

ଗଣପର୍ବ ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା, ହଟହଟା କରୁଛି କୋଭିଡ

ଚଳିତବର୍ଷ କେନ୍ଦ୍ରାପଡା ସହରରେ ୬୯ଟି ଏବଂ ସହର ଉପକଣ୍ଠରେ ଥିବା ଡେରାବିଶ,ମାର୍ଶାଘାଇ,ମହାକାଳପଡା,ଆଳି,ପଟ୍ଟାମୁଣ୍ଡାଇ,ରାଜନଗର, ରାଜକନିକା,ଗରଦପୁର ଥିବା ୧୫୦ରୁ ଅଧିକ ମେଢ଼ ଚଳିତବର୍ଷ ପୂଜା ପାଇବେ। ତେବେ କୋରୋନା କଟକଣା ପାଇଁ ଗତ ଦୁଇବର୍ଷ ହେବ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୪ଫୁଟରେ ସୀମିତ ରହିଥିବାବେଳେ ମଣ୍ଡପକୁ ଭିତର ପାର୍ଶ୍ବରୁ ଝିଲମିଲ କରିବା ପାଇଁ କାରିଗର ଲାଗି ପଡିଛନ୍ତି । ଚଳିତବର୍ଷ ନିରାଡ଼ମ୍ବର ଭାବେ ପୂଜା କରିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଏହାକୁ ପରିଚାଳନା ପାଇଁ ଲାଗି ପଡିଛନ୍ତି କମିଟି କର୍ମକର୍ତ୍ତା ।

ମା' ଲକ୍ଷ୍ମୀ ଓ ଅନ୍ୟାନ୍ୟ ଦେବାଦେବୀ ବିଭିନ୍ନ ମଣ୍ଡପରେ ଆସନ୍ତାକାଲି ଠାରୁ ପୂଜା ପାଇବା ସହ ୨୬ ତାରିଖରେ ନିରାଡ଼ମ୍ବର ଭାବେ ଭସାଣ ଉତ୍ସବ ପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରାକୃତିକ ରଙ୍ଗ ବ୍ୟବହାର ସହିତ ପୂଜା ମଣ୍ଡପ ଗୁଡିକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରି ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ପୁରସ୍କୃତ ହେବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି।

ଅନ୍ୟପଟେ ମୂର୍ତ୍ତିର ଉଚ୍ଚତା ୪ଫୁଟରେ ସୀମିତ ରହୁଥିବାରୁ ପ୍ରଭାବିତ ହେଉଛନ୍ତି ପାରମ୍ପରିକ ମୂର୍ତ୍ତି କାରିଗର । ପୂଜା କମିଟିମାନେ ପୂର୍ବରୁ ଏକ-ତୃତୀୟାଂଶ ଅର୍ଥରାଶି ପ୍ରଦାନ କରୁଥିବାବେଳେ ବର୍ତ୍ତମାନ ମୂର୍ତ୍ତି ଉଚ୍ଚତା କମ ହେବାର ପ୍ରଭାବିତ ହୋଇଥିବା କହିଛନ୍ତି ମୂର୍ତ୍ତି କାରିଗର । ସରକାରୀ ସ୍ତରରେ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି କାରିଗରମାନେ ଅନୁରୋଧ ମଧ୍ୟ କରିଛନ୍ତି ।

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଡାକି କୋରୋନା କଟକଣା ନେଇ ଆଲୋଚନା ହୋଇଛି । ଏଥିସହ ପ୍ରତ୍ୟକ ପୂଜା ମଣ୍ଡପରେ ୭ଜଣ ସଦସ୍ୟଙ୍କ ମଧ୍ୟରେ ପୂଜା ସମାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଚଳିତବର୍ଷ ମଧ୍ୟ ଗତବର୍ଷ ଭଳି କୌଣସି ପୂଜା ମଣ୍ଡପରେ ସାଂସ୍କୃତିକ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବାବେଳେ ଭସାଣ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।

ପୂଜା ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ଓ ଟ୍ରାଫିକକୁ ନିୟନ୍ତ୍ରଣରେ ରଖିବା ପାଇଁ ସହରର ବିଭିନ୍ନ ଛକରେ ସିସିଟିଭିର ବ୍ୟବସ୍ଥା କରାଯିବା ସହ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ସହରରେ ନାଇଟ କର୍ଫ୍ୟୁ ଲାଗୁ ରହିଛି । ନୂଆ ବସଷ୍ଟାଣ୍ଡର ଥାନପତି ଠାକୁରାଣୀଙ୍କର ଆସନ୍ତାକାଲି ଅପରାହ୍ନରେ କଳସ ଶୋଭାଯାତ୍ରା ଓ ପୂଜା ପରେ ଅନ୍ୟ ମଣ୍ଡପରେ ଠାକୁରାଣୀ ପୂଜା ପାଇବେ ବୋଲି ସୂଚନା ଦେଇଛନ୍ତି କମିଟି ସଭ୍ୟ। ଏହି ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ପାଳନ କରିବା ପାଇଁ କେନ୍ଦ୍ରାପଡାବାସୀ ଅପେକ୍ଷା କରିଥିବାବେଳେ କୋରୋନା ମହାମାରୀ ଚଳିତବର୍ଷ ଗଣପର୍ବକୁ ଫିକା କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.