ETV Bharat / state

୫-ଟି ସଚିବଙ୍କ ଆଳି ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କଲା କଂଗ୍ରେସ

author img

By

Published : Apr 28, 2023, 1:42 PM IST

୫-ଟି ସଚିବଙ୍କ ଆଳି ଗସ୍ତକୁ କଂଗ୍ରେସର ବିରୋଧ
୫-ଟି ସଚିବଙ୍କ ଆଳି ଗସ୍ତକୁ କଂଗ୍ରେସର ବିରୋଧ

୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଆଳି ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କଲା କଂଗ୍ରେସ । ଅଧିକ ପଢନ୍ତୁ

କଂଗ୍ରେସର ବିରୋଧ

କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କଲା ଆଳି କଂଗ୍ରେସ । ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମାଙ୍କ ସମେତ କଂଗ୍ରେସର ନେତୃବୃନ୍ଦ ଗତକାଲି(ଗୁରୁବାର) ସାମ୍ବାଦିକ ସମ୍ମିଳନୀ କରି ବିରୋଧ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କ୍ରମରେ ଆଜି ୫-ଟି ସଚିବ ପାଣ୍ଡିଆନ ଆଳି ଗସ୍ତ କରିବା ସମୟରେ କୋଳିଗଛ ଛକ ନିକଟରେ କଂଗ୍ରେସର ଶତାଧିକ କର୍ମୀ ମୁଣ୍ଡରେ କଳା ପଟି ବାନ୍ଧି ତାଙ୍କୁ ବିରୋଧ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ଅନୁଯାୟୀ ଏହି ବିରୋଧ କରାଯାଉଥିବା କହିଛନ୍ତି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥଶର୍ମା ।

ଆଳି ବିଧାୟକ ତଥା ରାଜ୍ୟ ସରକାରଙ୍କ ହେଭିୱେଟ ମନ୍ତ୍ରୀ ପ୍ରତାପ ଦେବଙ୍କ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ପ୍ରସଙ୍ଗ ଉଠାଇଛନ୍ତି । ଯେଉଁଥିରେ ପ୍ରତାପ ଦେବ "ଗୋଟିଏ ପଞ୍ଚାୟତ ପାଇଁ ପୋଲ କଲେ ମୋତେ କଣ ଲାଭ ମିଳିବ । ସେ ପଇସା ବ୍ଲକ ସାରା ଖର୍ଚ୍ଚ କଲେ ଭୋଟ ଆହୁରି ବଢିବ'' କହୁଥିବାର ଶୁଣାଯାଇଛି । ଏହାସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ଆଳି ନିର୍ବାଚନ ମଣ୍ଡଳୀ ବହୁତ ପଛରେ ରହି ଯାଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଜଣେ ଟାଣୁଆ ସଚିବଙ୍କୁ ବିରୋଧ କଲେ ହିଁ ରାଜ୍ୟ ସରକାର ନିଦ୍ରାଭଙ୍ଗ ହେବ ଓ ସେ ଲୋକମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବେ ବୋଲି ଦେବେନ୍ଦ୍ର ନାଥଶର୍ମା କହିଛନ୍ତି ।

ଦେବେନ୍ଦ୍ର ନାଥଶର୍ମା ଆଳି ଓ ରାଜକନିକାକୁ ମେଡିକାଲ ମାନ୍ୟତା ଏବଂ କଣ୍ଡିଆହାଟ ଓ ଗୋବିନ୍ଦପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଦାବି କରିଛନ୍ତି । ଆଳିର ବିକାଶକୁ ବିଜେଡି ସରକାର ବହୁ ପଛକୁ ନେଇଯାଇଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ବ୍ୟକ୍ତିଗତ ସତ୍ୟାଗ୍ରହ ସାମୁହିକ ସତ୍ୟାଗ୍ରହରେ ପରିଣତ ହେବା ଆଗରୁ ସରକାର ଧ୍ୟାନ ଦିଅନ୍ତୁ । ଶିଳ୍ପ ଓ ଶକ୍ତିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଦେବ ରାଜା ରାଜୁଡା ବ୍ୟବସ୍ଥାରେ ଶାସନ କରୁଛନ୍ତି । ଫଳରେ ଆଳି ନିର୍ବାଚନ ମଣ୍ଡଳୀରେ ଗଣତନ୍ତ୍ର ବିପର୍ଯ୍ୟସ୍ତ ହୋଇଯାଇଛି । ବ୍ରାହ୍ମଣୀ ନଦୀର ଆଁରେ ଗତକାଲି ଦୁଇଟି ଜୀବନ ଯାଇଥିବା ବେଳେ କାହିଁକି ପ୍ରସ୍ତାବିତ ପୋଲ ଏ ଯାଏ କରାଯାଇନାହିଁ ବୋଲି ଜବାବ ମାଗିଛନ୍ତି କଂଗ୍ରେସ ନେତା ।

୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ତାଙ୍କର ପ୍ରତିନିଧିତ୍ୱ ସମୟରେ ନଳପାହି ସେତୁ, ଶ୍ରୀରାମପୁର ସେତୁ, ବଳିତଳ ଘାଟ ସେତୁ, ଆରଡ଼ି ସେତୁ ଆଦିର ଶିଳାନ୍ୟାସ ହୋଇ ଏଗ୍ରିମେଣ୍ଟ ହୋଇଥିଲା । ହେଲେ ଏହାର ଏଗ୍ରିମେଣ୍ଟକୁ କାହା ସ୍ୱାର୍ଥରେ ନାକଚ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ଏକମାଣିଆ ପଞ୍ଚାୟତର ନଳପାହି ନିକଟରେ ଗତକାଲି ହୋଇଥିବା ଡଙ୍ଗା ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ପାଇଁ ମଧ୍ୟ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସକଙ୍କୁ ଦାୟୀ କରିଛନ୍ତି ପୂର୍ବତନ ବିଧାୟକ ।

ଆଜି ସକାଳୁ ୫-ଟି ସଚିବଙ୍କ ଆଳି ଓ ରାଜକନିକା ଗସ୍ତ ସମୟରେ ସ୍ଥାନୀୟ କୋଳିଗଛ ଛକ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ବିରୋଧ କରିଛି । ଆଳି ମେଡ଼ିକାଲରେ ୩୦୦ ଶଯ୍ୟା ପୂର୍ବରୁ ରହିଥିବାବେଳେ ଏବେ ଏହି ମେଡ଼ିକାଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ସେହିପରି ଓଳାଭର ଏବଂ କଣ୍ଡିଆହାଟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.