ETV Bharat / state

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Aug 8, 2022, 10:30 PM IST

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କନ୍ଧମାଳ ଜି.ଉଦୟଗିରି ଥାନା ଅଞ୍ଚଳରେ ୨୦୧୯ ଏପ୍ରିଲ ୧୩ ତାରିଖରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତକୁ ୨୦ ହଜାର ଟଙ୍କା ଜୋରିମାନା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ସୁପାରିଶ । ଅଧିକ ପଢ଼ନ୍ତୁ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ସୋମବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ମାମଲାର ବିଚାର କରୁଥିବା ସ୍ବତନ୍ତ୍ର ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତକୁ ୨୦ ହଜାର ଟଙ୍କା ଜୋରିମାନା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ୨୦୧୯ ଏପ୍ରିଲ ୧୩ ତାରିଖରେ ଜି.ଉଦୟଗିରି ଥାନା ଅଞ୍ଚଳରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଜିତେନ୍ଦ୍ର କୁମାର ଦିଗାଲ ।

ସୂଚନା ଅନୁସାରେ, ୨୦୧୯ ଏପ୍ରିଲ ୧୩ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ୍ଦ୍ର ଏକ ରୁଟିରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ଖାଇବାକୁ ଦେଇଥିଲା । ଏହାକୁ ଖାଇବା ପରେ ନାବାଳିକାଙ୍କ ମୁଣ୍ଡ ବୁଲାଇଥିଲା । ଏହାପରେ ଜିତେନ୍ଦ୍ର ଘର ପାଖରୁ କିଛି ଦୂରରେ ଥିବା ମଶାଣି ପାଖକୁ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଘର ଲୋକେ ଆସି ଝିଅକୁ ବହୁ ଖୋଜାଖୋଜି କରିବା ପରେ ରାତି ୧୦ଟା ସମୟରେ ମଶାଣି ପାଖରେ ଝିଅ ଉଲଗ୍ନ ଅବସ୍ଥାରେ ପଡିଥିବା ଦେଖିଥିଲେ । ଭୂତପ୍ରେତ ସବାର ହୋଇଥିବା ଭାବି ତାଙ୍କୁ ମେଡିକାଲକୁ ନେଇ ନଥିଲେ ।

ସେହି ମାସ ୨୦ ତାରିଖରେ ନାବାଳିକା ଘଟଣା ସମ୍ପର୍କରେ ଘର ଲୋକଙ୍କୁ କହିଥିଲେ । ୨୧ରେ ତାଙ୍କ ଭାଇ ଥାନାରେ ଏତଲା ଦେବାରୁ ପୋଲିସ ୫୨/୧୯ରେ ମାମଲା ରୁଜୁ କରି ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା । ୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ସଞ୍ଜିତ କୁମାର ବେହେରା ଅଭିଯୁକ୍ତକୁ ୨୦ ହଜାର ଟଙ୍କା ଜୋରିମାନା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ବର୍ଷେ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ସେହିଭଳି ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୬ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି କୋର୍ଟ । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.