ETV Bharat / state

ରକ୍ତର ଭାଇ ସାଜିଲା ରାକ୍ଷସ; ଭଉଣୀକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଭାଇ ସମେତ ୫ ଗିରଫ

author img

By ETV Bharat Odisha Team

Published : Dec 4, 2023, 10:33 PM IST

ରକ୍ତର ଭାଇ ସାଜିଲା ରାକ୍ଷସ । ସାଙ୍ଗମାନଙ୍କ ସହ ମିଶି ଭଉଣୀକୁ ଗଣଦୁଷ୍କର୍ମ ପରେ କଲା ହତ୍ୟା । ମୁଖ୍ୟ ଅଭିଯୁକ୍ତ ଭାଇ ସମେତ ୫ ଅଭିଯୁକ୍ତଙ୍କୁ ବାନ୍ଧିଲା କନ୍ଧମାଳ ଚକାପାଦ ପୋଲିସ । ଅଧିକ ପଢ଼ନ୍ତୁ

ଭଉଣୀକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଭାଇ ସମେତ ୫ ଗିରଫ
ଭଉଣୀକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଭାଇ ସମେତ ୫ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ତଥା ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସାଙ୍ଗମାନଙ୍କ ସହ ନିଜ ଭଉଣୀକୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ଭାଇ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ମୃତକଙ୍କ ନିଜ ଭାଇ ଓ ତାର ସାଙ୍ଗମାନେ ତାଙ୍କୁ ବଳାତ୍କାର କରି ହତ୍ୟା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଉ ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଚକାପାଦ ଥାନା ଚାହାଳି ପଞ୍ଚାୟତର ଜନୈକା ନିଜ ବାପାଙ୍କ ସହ ରହୁଥିଲେ । ଘର ନିକଟରେ ତାଙ୍କ ବଡ଼ଭାଇ ପରେଶ ଭୋଇ ନିଜ ପତ୍ନୀଙ୍କ ସହିତ ଅଲଗା ରହୁଥିଲେ । ତେବେ କିଛିଦିନ ହେଲା ସେ ନିଜ ଶାଳୀଙ୍କୁ ଆଣି ପାଖରେ ରଖିଥିଲେ । ଶାଳୀଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ନିଜ ଭାଇଙ୍କୁ ବିରୋଧ କରି ଆସୁଥିଲେ ଭଉଣୀ । ଏହାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା । ଗତ ନଭେମ୍ବର ୩ ତାରିଖ ଦିନ ଭଉଣୀ ଜଣକ ଶିଆଳି ପତ୍ର ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ପରେଶ ମଧ୍ୟ ସେହି ସ୍ଥାନକୁ ଗାଇ ଚରାଇବା ପାଇଁ ଯାଇଥିଲା । ଭଉଣୀକୁ ସେଠାରେ ଦେଖି ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା ଅଭିଯୁକ୍ତ ପରେଶ । କିଛି ସାଙ୍ଗଙ୍କୁ ଫୋନ କରି ସେଠାକୁ ଡକାଇଥିଲା । ସେଠାରେ ସମସ୍ତେ ମଦ ପିଇବା ପରେ ଭଉଣୀକୁ ଗଣଦୁଷ୍କର୍ମ କରିଥିଲେ । ଏନେଇ ଜନୈକା ପ୍ରତିରୋଧ କରି ପାଟି କରିବାରୁ ଭାଇ ପରେଶ ତାଙ୍କ ତଣ୍ଟି ଚିପି ଦେଇଥିଲା । ସେ ଅଚେତ ହୋଇଯିବା ପରେ ଡାଳ କାଟିବା ପାଇଁ ଆଣିଥିବା ଟାଙ୍ଗିଆରେ ସମସ୍ତେ ମିଶି ତାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଏକ ପଥର ସନ୍ଧିରେ ଫିଙ୍ଗିଦେଇ ଚାଲିଯାଇଥିଲେ ।

ସେପଟେ ଝିଅ ଘରକୁ ନଫେରିବାରୁ ବାପା ଖୋଜାଖୋଜି କରି କୌଣସି ସନ୍ଧାନ ନପାଇବାରୁ ପରେଶକୁ ଝିଅ ନିଖୋଜ ଥିବା କହିଥିଲେ । ଘଟଣାଟି ନଭେମ୍ବର ୩ ତାରିଖ ଦିନ ଘଟାଇଥିଲେ ପରେଶ ଓ ତାର ସାଙ୍ଗମାନେ । ତଥାପି ମଧ୍ୟ କିଛି ନଜାଣିବା ଭଳି ପରେଶ ନିଜେ ୬ ତାରିଖ ଦିନ ଭଉଣୀ ନିଖୋଜ ଥିଲା ଏବଂ ତାର ମୃତଦେହ ଜଙ୍ଗଲରେ ଠାବ ହୋଇଥିବା ନେଇ ଚକାପାଦ ଥାନାରେ ଅଭିଯୋଗ କରିଥିଲା । ୭ ତାରିଖ ଦିନ ପୋଲିସ ଚାହାଳି ଲିଆଗଡ଼ ଜଙ୍ଗଲ ମଧ୍ୟରୁ ଜନୈକାଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ମୃତଦେହ ନଷ୍ଟ ହୋଇଯାଇଥିବାବେଳେ ଡାକ୍ତର ବ୍ୟବଚ୍ଛେଦ କରି ତିନି ଜାଗାରେ କ୍ଷତଚିହ୍ନ ଥିବା ରିପୋର୍ଟ ଦେଇଥିଲେ । ରିପୋର୍ଟ ଆଧାରରେ ପୋଲିସ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଜାଣିପାରି ଅପରାଧୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା । ଏତିକି ବେଳେ ୧୩ ତାରିଖ ଦିନ ଘଟଣାରେ ସଂପୃକ୍ତ ପରେଶର ଜଣେ ସାଙ୍ଗ ଚନ୍ଦ୍ରମଣି ଭୋଇ ଆସି ପରେଶ ସହ ପାଟିତୁଣ୍ଡ କରିବା ସହ ହତ୍ୟା ଧମକ ଦେଇଥିଲା । ଏହାପରେ ପରେଶ ୨୩ ତାରିଖରେ ସମ୍ପୃକ୍ତ ସାଙ୍ଗ ତା ଭଉଣୀକୁ ହତ୍ୟା କରିଥିବା ନେଇ ଥାନାରେ ଏକ ଏତଲା ଦେଇଥିଲା । ପୋଲିସ ଅଭିଯୁକ୍ତ ଚନ୍ଦ୍ରମଣି ଭୋଇକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା । ଚନ୍ଦ୍ରମଣିର ବୟାନ ଅନୁଯାୟୀ ପୋଲିସ ମୃତକଙ୍କ ବଡ଼ଭାଇ ପରେଶ ଭୋଇ, ଟୁନା ଭୋଇ, ବିମଳା ନାୟକ ଏଭଳି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଚରାଉଚରା କରିବାରୁ ଗଣଦୁଷ୍କର୍ମ ପରେ କିଭଳି ହତ୍ୟା କରିଥିଲେ ସବୁ ବଖାଣିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ତାଲାବନ୍ଦ ଘରୁ ଫାଷ୍ଟଫୁଡ ମାଲିକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଏନେଇ ୧୩୯/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ ତଥା ଚକାପାଦ ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତମୋହନ ସାଗର । ତେବେ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଆମେ ଥାନାକୁ ଯାଇଥିଲେ ମଧ୍ୟ ସେ ଥାନାରେ ଅନୁଉପସ୍ଥିତ ଥିବାରୁ ଫୋନ ଯୋଗେ ଘଟଣାର ସମସ୍ତ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.