ETV Bharat / state

ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା କଲେ ଶାଶୁଘର ଲୋକେ !

author img

By

Published : Jul 27, 2023, 8:33 AM IST

ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ
ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ

ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ । ଶାଶୁଘର ଲୋକେ ପେଟ୍ରୋଲ ଢାଳି ପୋଡି ମାରି ଦେଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ବାପା । ଅଧିକ ପଢନ୍ତୁ

ମହିଳାଙ୍କୁ ପେଟ୍ରୋଲ ଢାଳି ହତ୍ୟା

ଭବାନୀପାଟଣା: ସଇତାନ ସାଜିଲେ ଶାଶୁଘର ଲୋକ । ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡି ଦେଲେ ସ୍ବାମୀ, ଶାଶୁ ଓ ଜା' । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝିଗୁଡା ଗ୍ରାମରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ମୃତ ମହିଳା ହେଉଛନ୍ତି ଉର୍ମିଳା ନାଗ ଓରଫ ପୂଜା । ଶାଶୁଘର ଲୋକେ ତାଙ୍କୁ ପୋଡି ମାରି ଦେଇଥିବା ମହିଳାଙ୍କ ବାପା କୋକସରା ଥାନାରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ଅଭିଯୋଗ ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ଦିପେନ ସାଗରଙ୍କ ଝିଅ ଉର୍ମିଳା ସାଗର ଓରଫ ପୂଜାଙ୍କ ବିବାହ ସାମାଜିକ ରୀତିନୀତିରେ ୨୦୨୦ ମାର୍ଚ୍ଚ ୨୦ ତାରିଖରେ ମାଝିଗୁଡା ଗ୍ରାମର ବାଲେଶ୍ଵର ନାଗଙ୍କ ପୁଅ ଜୟନ୍ତ ନାଗଙ୍କ ସହିତ ହୋଇଥିଲା । ବିବାହର କିଛି ମାସ ଦାମ୍ପତ୍ୟ ଜୀବନ ହସଖୁସିରେ କଟିଥିଲା । ଏହାରି ଭିତରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ପୂଜା । ହେଲେ କିଛି ଦିନ ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଅକଥନୀୟ ନିର୍ଯାତନା । ପୂଜାଙ୍କୁ ଅନେକ ସମୟରେ ସ୍ବାମୀ, ଶାଶୁ ଓ ବଡ଼ ଜା' ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବାପା ମା’ ସରକାରୀ ଶିକ୍ଷକ; ପକେଟରୁ ଟଙ୍କା ଚୋରି କରିଥିଲା ପୁଅ, ଆକଟ କରିବାରୁ ଜୀବନ ହାରିଲେ

ଗତ ୨୩ ତାରିଖରେ ପୂଜା ନିଜ ମାଆକୁ ଫୋନରେ ଶାଶୁଘର ଲୋକେ ତାଙ୍କ ଚରିତ୍ର ଉପରେ ଆକ୍ଷେପ କରି ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଜଣାଇଥିଲେ । ତାଙ୍କୁ ଆସି ଶାଶୁଘରୁ ଶୀଘ୍ର ନେଇଯିବାକୁ ଅନୁରୋଧ କରିଥିଲେ । ହେଲେ ସେହିଦିନ ସନ୍ଧ୍ୟାରେ ଖବର ମିଳିଲା ଯେ, ଝିଅ ନିଆଁରେ ପୋଡି ହୋଇ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଏହାଶୁଣି ତାଙ୍କର ମାଆ କୋକସରା ଡାକ୍ତରଖାନାରେ ପହଞ୍ଚିବା ପରେ ଝିଅର ସମ୍ପୂର୍ଣ୍ଣ ଶରୀର ପୋଡି ଯାଇଥିବା ଦେଖିବାକୁ ପାଇଥିଲେ । ପୂଜାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ପୁଣି ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶେଷରେ ଗତକାଲି(ବୁଧବାର) ଚିକିତ୍ସାଧୀନ ଅବସ୍ଥାରେ ପୂଜାଙ୍କ ମୃତ୍ୟୁ ହୋଇଥିଲା ।

ଝିଅର ମୃତ୍ୟୁ ଖବର ପାଇବା ପରେ ବାପା ଦିପେନ ସାଗର କୋକସରା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି । ସ୍ବାମୀ, ଶାଶୁ ଓ ବଡ ଜା' ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ପେଟ୍ରୋଲ ଢ଼ାଳି ପୋଡି ମାରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣା ପରେ କୋକସରା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୂଜାଙ୍କ ସ୍ଵାମୀକୁ ଅଟକ ରଖିଥିବା ଜଣାପଡିଛି । ଏହି ଘଟଣାରେ କୋକସରା ଥାନାରେ କେସ ନମ୍ବର ୧୯୩/୨୩ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.