ETV Bharat / state

ଆସନ୍ତାକାଲି ମା' ମାଣିକେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ

author img

By

Published : Sep 4, 2022, 4:05 PM IST

nuakhai celebration in gadajata area kalahandi
ଆସନ୍ତାକାଲି ମା' ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ

କଳାହାଣ୍ଡିରେ ପର୍ଯ୍ୟାୟକ୍ରମେ ପାଳିତ ହେଉଛି ନୂଆଁଖାଇ । ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ପଶ୍ଚିମ ଓଡିଶାର ବଡ଼ପର୍ବ ନୂଆଁଖାଇ (nuakhai 2022) । ଚଳିତ ବର୍ଷ ଚାରିଆଡ଼େ ବେଶ ଧୁମଧାମରେ ନୂଆଁଖାଇ ପାଳନ ହୋଇଛି । ତେବେ କଳାହାଣ୍ଡି ଜିଲ୍ଲାରେ ରହିଛି କିଛି ନିଆରା ପର୍ବ । ପର୍ଯ୍ୟାୟକ୍ରମେ ଏଠାରେ ନୂଆଖାଇଁ ପାଳନ କରାଯାଏ । ତେବେ ପର୍ଯ୍ୟାୟକ୍ରମେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହି ଅବସରରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ମଧ୍ୟ ନୂଆଁଖାଇ (Nuakhai Celebration in Gadajata Area Kalahandi ) ପାଳିତ ହେବ ।

ଆସନ୍ତାକାଲି ମା ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବ

କଳାହାଣ୍ଡି ଜିଲ୍ଲାରେ ପ୍ରଥମେ ସପ୍ତପୁରୀ ଅମାବାସ୍ୟା ପରଦିନ ଜିଲ୍ଲାର କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଥାନ୍ତି । ପରେ ପରେ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜିଲ୍ଲାର ଅନେକ ଅଞ୍ଚଳରେ ନୂଆଁଖାଇ ପାଳନ ହୋଇଥାଏ । ପୁଣି ଦଶମୀ ତିଥିରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତ ଗଡ଼ଜାତ ଅଞ୍ଚଳରେ ପାଳିତ ହୋଇଥାଏ ନୂଆଁଖାଇ । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କ ନବାନ୍ନ ଲଗ୍ନ ସ୍ଥିର ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୯ଘଣ୍ଟା ୧୫ ମିନିଟରୁ ୧୦ ଘଣ୍ଟା ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବେରୀଙ୍କ ଠାରେ ଲାଗି ହେବ ନବାନ୍ନ ।

ପରେ ସର୍ବସାଧାରଣ ଦିନ ୧୧ ଘଟିକାରୁ ୧୨ଘଟିକା ୪୮ ମିନିଟ ମଧ୍ୟରେ ନୂଆଁଖାଇ ପାଳନ ନେଇ ସମୟ ଧାର୍ଯ୍ୟ ହୋଇଛି । ତେଣୁ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ଲାଞ୍ଜିଗଡ, ଜୟପାଟଣା, ଭବାନୀପାଟଣା, ମଦନପୁର- ରାମପୁର ଓ ମାଣିକେଶ୍ବରୀଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ନୂଆଁଖାଇ ପାଳିତ ହେବ । ସକାଳ ୯ଟାରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଦ୍ବାର ଖୋଲାହେବ ।

ଏହା ମଧ୍ୟ ପଢ଼ନ୍ତୁ: ଜମୁଛି ନୂଆଁଖାଇ ଭେଟଘାଟ ଆସର, ନାଚଗୀତରେ ଦୁଲୁକୁଛି ଗାଁ ଦାଣ୍ଡ

ଅଧିଷ୍ଠାତ୍ରୀ ଦେବୀଙ୍କ ଠାରେ ନବାନ୍ନ ଲାଗିବା ପରେ ମନ୍ଦିରରୁ ଭୋଗ ନେଇ ନିଜ ନିଜ ଘରେ ନବାନ୍ନ ଭକ୍ଷଣ କରିବେ ଗଡ଼ଜାତ ଅଞ୍ଚଳବାସୀ । ଏନେଇ ଜିଲ୍ଲାବାସୀ କହିଛନ୍ତି, "ଚାଷ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ନୂଆଁଖାଇକୁ ଅପେକ୍ଷା କରି ରହିଥାଉ । ପ୍ରଥମ ପର୍ଯ୍ୟାୟ ନୂଆଁଖାଇ ଶେଷ ହୋଇସାରିଥିବାବେଳେ ଆସନ୍ତାକାଲି ଗଡ଼ଜାତ ଅଞ୍ଚଳରେ ଏହି ପର୍ବ ପାଳନ ହେବ । ବର୍ଷର ପ୍ରଥମ ଶସ୍ୟକୁ ମା' ମାଣିକେଶ୍ବରୀଙ୍କୁ ଅର୍ପଣ କରି ଘରେ ଘରେ ସପରିବାରଙ୍କ ସହ ନୂଆଁଖାଇ ପାଳନ କରିବୁ । ଏଥିପାଇଁ ବେଶ ଖୁସି ଅଛୁ ।"

କଳାହାଣ୍ଡି ମହାରାଜଙ୍କ ଘୋଷଣା ପରେ ଚଳଚଞ୍ଚଳ ହୋଇ ଉଠିଛି ଗଡ଼ଜାତ ଅଞ୍ଚଳ । ବଜାର ଘାଟ ସବୁଠି ଭିଡ ପରିଲକ୍ଷିତ ହୋଇଛି । କିଏ ନୂଆ ଧାନ କିଣିବାରେ ବ୍ୟସ୍ତ ତ ଆଉ କିଏ ନୂଆ ଚୁଡା, ଗୁଡ କିଣିବାରେ । ଲୁଗା ଦୋକାନରେ ମଧ୍ୟ ପ୍ରବଳ ଭିଡ । ନୂଆଁଖାଇକୁ ନେଇ ଏବେ ଚାରିଆଡେ ଉତ୍ସାହର ମାହୋଲ ଥିବାବେଳେ ବ୍ୟବସାୟୀ ମଧ୍ୟ ଭଲ ରୋଜଗାର ନେଇ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.