ETV Bharat / state

ବଢୁଛି ଦାଦନ ଦୁଃଖ, କାନ୍ଦୁଛି କଳାହାଣ୍ଡି

author img

By

Published : Feb 15, 2020, 5:19 PM IST

migrant labours of kalahandi, kalahandi latest news, kalahandi migrant labours pain, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌, କଳାହାଣ୍ଡିରେ ଦାଦନ ଦୁଃଖ, କଳାହାଣ୍ଡିର ଦାଦନ ଶ୍ରମିକ
ଦାଦନ ଦୁଃଖରେ ଭସ୍ମୀଭୂତ କଳାହାଣ୍ଡି

ରାଜ୍ୟରେ କଳାହାଣ୍ଡି ଜିଲ୍ଲାରେ ଲାଗି ରହିଛି ଦାଦନ ଦୁଃଖ । କାମ ଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଆଉ କର୍ମକ୍ଷେତ୍ରରେ ନିର୍ଯାତିତା ହେବା ପରେ କିଏ ଦୁର୍ଘଟଣାର ଶିକାର ହୋଇ ଅକର୍ମଣ୍ୟ ହେଉଛି ତ ଆଉ କିଏ ପଡୁଛି ମୃତ୍ୟୁ ମୁଖରେ ।

କଳାହାଣ୍ଡି: ଦାଦନ ଦୁଃଖରେ କାନ୍ଦୁଛି କଳାହାଣ୍ଡି । କାମ ଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି ଜିଲ୍ଲାବାସୀ । କିଏ କର୍ମକ୍ଷେତ୍ରରେ ନିର୍ଯାତିତ ହେଉଛି ତ କିଏ ଦୁର୍ଘଟଣାର ଶିକାର ହୋଇ ଅକର୍ମଣ୍ୟ ହେଉଛି । ଏପରିକି କିଛି ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଆଉ ଏସବୁକୁ ଦେଖିଲେ ଲାଗେ ସତେ ଯେମିତି ସାଧାରଣ ଲୋକଙ୍କ ସାମଗ୍ରିକ ବିକାଶକୁ ନେଇ ନିଜକୁ ଉତ୍ତରଦାୟୀ ମଣୁଥିବା ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ରହିଛି । ଏଭଳି କିଛି ଘଟଣାବଳୀକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

ଦାଦନ ଦୁଃଖରେ ଭସ୍ମୀଭୂତ କଳାହାଣ୍ଡି

ଏ ହେଉଛି ସଦର ବ୍ଲକ ମୁସିଗୁଡା ଗାଁର ଉମା ଗୌଡଙ୍କ ଘର । ଭୂମିହୀନ ପରିବାରରେ ଉମା ହିଁ ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ପରିବାର କହିଲେ ମାଆ, ସ୍ତ୍ରୀ ଓ ଦୁଇ ଝିଅ । ମୂଲ ଲାଗିଲେ ପରିବାରର ଚୁଲି ଜଳେ । ହେଲେ ଗାଁରେ କାମ ଧନ୍ଦା ଅଭାବରୁ ଶେଷରେ ବ୍ୟାଙ୍କ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀରୁ ମୋଟ 40 ହଜାର ଋଣ କରି ଛେଳି ମେଣ୍ଢା ଚାଷ କରୁଥିଲେ । ହେଲେ ଛେଳି ମେଣ୍ଢା ମରିଯିବାରୁ ଋଣ ଭାର ବଢିଥିଲା । ଫଳରେ ଦୁଇ ପଇସା ରୋଜଗାର ଆଶାରେ ଉମା ଗତ ମେ ମାସରେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ ।

ସେଠାରେ ବାଲାଜୀ ବୋର ୱେଲରେ ଶ୍ରମିକ ଭାବେ କାମ କରୁଥିଲେ ଉମା । ତେବେ ଏକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ମାଲିକ ସହାୟତାରେ ତାଙ୍କର ମୃତଦେହ ପହଞ୍ଚିଥିଲା ଗାଁରେ । ସାଙ୍ଗରେ ଆସିଥିଲା 40 ହଜାର ଟଙ୍କା । ହେଲେ ଅନେକ ଆଶା ଓ ସ୍ବପ୍ନ ନେଇ ଯାଇଥିବା ଉମା ନିଜେ ତ ଫେରି ପାରିଲେନି, ମରଶରୀର ହୋଇ ଫେରିଲା ତାଙ୍କ ଶରୀର ।

ଜିଲ୍ଲାରେ ଅନ୍ୟ ଏକ ହୃଦୟ ବିଦାରକ ଘଟଣା, ଯାହା ରାଜ୍ୟ ତଥା ଜାତୀୟସ୍ତରରେ ସୃଷ୍ଟି କରିଥିଲା ହଇଚଇ । କହିବାକୁ ଗଲେ କଳାହାଣ୍ଡି ଇତିହାସର ଏକ କଳଙ୍କିତ ଅଧ୍ୟାୟ । ଦାଦନ ଶ୍ରମିକର ପାପୁଲି କଟା ଘଟଣା ସରକାରୀ ବ୍ୟବସ୍ଥା ଉପରେ ସୃଷ୍ଟି କରିଥିଲା ଅନେକ ପ୍ରଶ୍ନବାଚୀ । ଦୋହଲି ଯାଇଥିଲା ଉଭୟ ଶାସନ ଓ ପ୍ରଶାସନ । 2013 ମସିହା ଡିସେମ୍ବର 16 ତାରିଖରେ ଜିଲ୍ଲାର ଜୟପାଟଣା ଅଞ୍ଚଳରୁ 10 ରୁ 15 ଜଣ ଦାଦନ ଶ୍ରମିକ ଅଗ୍ରୀମ ଟଙ୍କା ନେଇ ଦଲାଲ ସହାଯୋଗରେ ଛତିଶଗଡ ଯାଉଥିଲେ । ଆଉ ଠିକ ବେଲପଡା ନିକଟରେ କିଛି ଶ୍ରମିକ ଶୌଚ ବାହାନାରେ ଖସି ଯିବାରୁ ଦଲାଲମାନେ ଉତକ୍ଷିପ୍ତ ହୋଇ ଦୁଇ ଶ୍ରମିକ ଦିଆଲୁ ନିଆଲ ଓ ନିଳାମ୍ବର ଧଙ୍ଗଡା ମାଝୀଙ୍କ ହାତ ପାପୁଲି କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ପରେ ପର୍ଯାୟକ୍ରମେ ଉଭୟଙ୍କ ଚିକିତ୍ସା ହୋଇଥିଲା । ନିଳାମ୍ବର ଆଜି ଆଉ ନାହାନ୍ତି ସତ, ହେଲେ ଘଟଣାରେ ସମ୍ପୃକ୍ତ ଦୋଷୀକୁ ମିଳିଲା ଦଣ୍ଡ । ସେପଟେ ରୋଜଗାର ଆଶାରେ ଦାଦନ ମୁହାଁ ଦିଆଲୁ ଏବେ ଏକ ଅଭିଶପ୍ତ ଜୀବନ କାଟୁଛନ୍ତି । ସେ ସମୟରେ ଘଟଣାର ପ୍ରାସଙ୍ଗିକତାକୁ ଦେଖି ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଥିଲେ ଆଉ ପ୍ରଶାସନକୁ ଅନେକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ ତାହା ଆଜି ପାଣିର ଗାର । ଏହା କେବଳ ଯେ ଉମା ଗୌଡ କିମ୍ବା ଦିଆଲୁଙ୍କ କଥା ନୁହେଁ , ସେ ସଦର ବ୍ଲକ ଇଛାପୁର ଗାଁର ପୀତବାସ ଦୁର୍ଗା ହୁଅନ୍ତୁ ଅବା ନର୍ଲା ବ୍ଲକ ବାଲିପଡାର ସୂର୍ଯ୍ୟ ଝରା, ସମସ୍ତେ ଆଜି ଦାଦନ ଜୁଇରେ ଭସ୍ମିଭୂତ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.