ETV Bharat / state

ପାର୍ବଣରେ କାଶତଣ୍ଡିର ସମ୍ଭାର, ଆନମନା କବି ଓ ଲେଖକ

author img

By

Published : Sep 15, 2022, 10:23 PM IST

Updated : Sep 16, 2022, 1:42 PM IST

ପାର୍ବଣରେ କାଶତଣ୍ଡିର ସମ୍ଭାର, ଆନମନା କବି ଲେଖକ
ପାର୍ବଣରେ କାଶତଣ୍ଡିର ସମ୍ଭାର, ଆନମନା କବି ଲେଖକ

ଶାନ୍ତିର ପ୍ରତୀକ ଧବଳ ବର୍ଣ୍ଣର କାଶତଣ୍ଡି ଫୁଲ । ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି । ମା' ଦୁର୍ଗାଙ୍କ ଆଗମନ ହେଲେ ଧରାପୃଷ୍ଠରେ ଖିଲି ଖିଲି ହସେ ଧବଳମତୀ କାଶତଣ୍ଡି । ପବନରେ ଦୋଳୀୟମାନ ଏହି ସୁନ୍ଦର ଫୁଲକୁ ଦେଖି କବିପ୍ରାଣରେ ନୂଆ ରୋମାଞ୍ଚ ଭରିଯାଏ । କଳାହାଣ୍ଡିରେ କାଶତଣ୍ଡିର ଏପରି କିଛି ଅପୂର୍ବ ନୈସର୍ଗିକ ଶୋଭାରାଜି ଦେଖିବାକୁ ମିଳିଲାଣି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

ଭବାନୀପାଟଣା: ସୋନ୍ଦର୍ଯ୍ୟର ପ୍ରତୀକ ଧବଳମତି କାଶତଣ୍ଡି । ଶାରଦୀୟ ଦୁର୍ଗା ପୂଜା ଆସୁଥିବା ବେଳେ ଧଳା ପାଟ ଶାଢୀ ପିନ୍ଧି ଫୁଲେଇ ହେଲାଣି କାଶତଣ୍ଡି । ଆଉ ଗୁଣୁ ଗୁଣ ହୋଇ କାନରେ ମା'ଙ୍କ ଆଗମନକୁ ସୂଚିତ କଲାଣି । ଧଳା ପାଟ ଶାଢୀ ପିନ୍ଧି ଧରଣୀ କୋଳରେ କାଶତଣ୍ଡି ଲୋଟି ପଡୁଥିବା ବେଳେ ଏହାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡ଼ିଛନ୍ତି ଲେଖକଙ୍କଠୁ ଆରମ୍ଭ କରି ପଥିକ । କଳାହାଣ୍ଡି ଜିଲ୍ଲାର ଏପରି ଶୋଭାରାଜି ଦେଖିବାକୁ ମିଳିଥିବା ବେଳେ କବିଙ୍କ କଲମ ମୁନ ହୋଇଉଠିଛି ଚଳଚଞ୍ଚଳ ।

ପାର୍ବଣରେ କାଶତଣ୍ଡିର ସମ୍ଭାର,

କାଶତଣ୍ଡି ଫୁଲର ବାସ ନାହିଁ ସତ କିନ୍ତୁ ଶରତ ଆସିଲେ ଦୁନିଆଁ ଖୋଜେ ତା ହସ । ଶରତରେ ଧରଣୀ ରାଣୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରେ ଏହି କାଶତଣ୍ଡି । ଜଣାଇଦିଏ ଧରାପୃଷ୍ଠକୁ ମା'ଙ୍କ ଆଗମନ ସମ୍ପର୍କରେ । ଦିନକେଇଟା ପରେ ଶାରଦୀୟ ଦୁର୍ଗାପୂଜା ମାଆଙ୍କୁ ସ୍ୱାଗତ କରିବାକୁ ନଦୀପଠା, ରାସ୍ତାକଡ଼ରେ ଦୋଳି ଖେଳୁଛି କାଶତଣ୍ଡି ଫୁଲ । ଧଳା ରଙ୍ଗର ଏଇ ଫୁଲ ପ୍ରକୃତିର ସୌନ୍ଦର୍ଯ୍ୟ ବଢ଼ାଉଥିବା ବେଳେ କବି ଲେଖ ଆନମନା ହୋଇ ପଡିଛନ୍ତି ।

ପବନରେ କାଶତଣ୍ଡିର ଦୋଳୀୟମାନ ଶୋଭାରାଜିକୁ ପାଖରୁ ଦେଖିଲେ ଯେ କେହିବି ଆନମନା ହୋଇଯିବ । ଆଉ ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇପଡିଛି ଧଳା ଚାଦରଟିଏ । ବାସହୀନ କାଶତଣ୍ଡି ଦେବ ପୂଜାରେ ବି ଲାଗେନାହିଁ ସତ, ହେଲେ ଶରତରେ ଧରାପୃଷ୍ଠର ସୌନ୍ଦର୍ଯ୍ୟ ମଣ୍ଡନ କରେ । କାଶତଣ୍ଡି ଫୁଟିବା ପାଇଁ ଲୋଡ଼ା ନ ଥାଏ କୌଣସି ଉଦ୍ୟାନ କିମ୍ବା ମାଳିର ଯତ୍ନ । ନଦୀପଠା, ରାସ୍ତାପାର୍ଶ୍ଵ ବିଲ ପାଖ ଯେଉଁଠି ପାରୁଛି ସେଇଠି ଫୁଟୁଛି ଆଉ ବଢ଼ାଉଛି ଧରଣୀ ରାଣୀର ସୌନ୍ଦର୍ଯ୍ୟ ।

ସୋନ୍ଦର୍ଯ୍ୟର ପ୍ରତୀକ ଯେତିକି, କାଶତଣ୍ଡି ଓଡି଼ଆ ସଂସ୍କୃତିରେ ସେତିକି ଅଙ୍ଗାଙ୍ଗୀ ଭାବେ ଜଡି଼ତ । ରେଖା ପଞ୍ଚମୀରେ କାଶତଣ୍ଡୀ ଫୁଲର ବେଣୀ ଘରେ ଘରେ କବାଟରେ ବାନ୍ଧି ପୂଜା କରାଯାଏ । କାଶତଣ୍ଡୀ ଫୁଲର ଦୋଳାୟିତ ଚାମରରେ ଧରାବତରଣ କରନ୍ତି ଦୁର୍ଗତି ନାଶିନୀ ମା' ଦୁର୍ଗା । ଶରତ ଋତୁରେ ଆବିର୍ଭାବ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗପୂଜାର ପ୍ରତୀକ, କାଶତଣ୍ଡୀ ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟର ସୁଧା ବିକିରଣ କରିଥାଏ । ଏହି ଫୁଲର ଆଗମନରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ଉତ୍ସବମୁଖର ହୋଇଉଠେ । ପ୍ରକୃତିର ଏହି ଫୁଲ ପରିବେଶରେ ଶାନ୍ତି ଆଣିଥାଏ ବୋଲି କୁହନ୍ତି କବି ।


କାଶତଣ୍ଡି ଫୁଟିଲେ ଲାଗେ ସତେଯେମିତି ଧରଣୀରାଣୀ ଶୁଭ୍ର ଶାଢ଼ୀ ପିନ୍ଧି ମା'ଙ୍କ ସ୍ୱାଗତ ପାଇଁ ଅନାଇ ବସିଛି । କାଶତଣ୍ଡି ପବନରେ ଯେତିକି ଜୋରରେ ହସି ଦୋଳି ଖେଳୁଛି ଖରାରେ ସେତିକି ଚକଚକ କରୁଛି । ସେଇଥିପାଇଁତ କବି, ଲେଖକ ଟିକିଏ ଅଧିକ ଭାବୁକ ହୋଇପଡିଛନ୍ତି । କାଶତଣ୍ଡି ଏମାନଙ୍କ କଲମ ମୁନକୁ ଅଧିକ ଚଳଚଞ୍ଚଳ କରୁଛି ।

ତେବେ ଏନେଇ ଗବେଷକ ପରମେଶ୍ବର ମୁଣ୍ଡ କହିଛନ୍ତି, "ନୀଳ ଆକାଶରେ ଧଳା ଧଳା ମେଘ ଯେପରି ମାଟିରେ ସବୁଜ ଗାଲିଚା ଭିତରେ ଧଳା ଧଳା କାଶତଣ୍ଡି ଠିକ ସେହିଭଳି । କାଶତଣ୍ଡି ଆସିଲେ ଆମକୁ ଲାଗେ ପୃଥିବୀ ଶୀତଳ ହେବାକୁ ଲାଗୁଛି । ଆଉ ଶୀତଳତାର ସ୍ପର୍ଶ ପାଇ ଜଗତ ଜନନୀ ମା' ଦୁର୍ଗା ନିଜ ସମ୍ଭାର ନେଇ ଧରାପୃଷ୍ଠକୁ ଅବତରଣ କରୁଛନ୍ତି । ମା' ଦୁର୍ଗାଙ୍କ ଆଗମନର ବାର୍ତ୍ତା ହେଉଛି ଏହି କାଶତଣ୍ଡି ।"



ଇଟିଭି ଭାରତ, କଳାହାଣ୍ଡି

Last Updated :Sep 16, 2022, 1:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.