ETV Bharat / state

ବିପଦରେ ସବୁଜିମା, ସୁଲିଆ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ପଦା କରିଦେଲେ

author img

By

Published : Apr 14, 2023, 4:03 PM IST

Etv Bharat
Etv Bharat

ବିପଦରେ ଜଙ୍ଗଲ ସମ୍ପଦ । ଲଣ୍ଡା ସଦୃଶ ଦୃଶ୍ୟମାନ ହେଉଛି ସବୁଜ ବନାନୀ ସୁଲିଆ ଜଙ୍ଗଲ । ବନ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

ସୁଲିଆ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ପଦା କରିଦେଲେ

ଭବାନୀପାଟଣା: ଅମୂଲ୍ୟ ସମ୍ପଦ ଜଙ୍ଗଲ, ଜଙ୍ଗଲରେ ଗଛ ବଞ୍ଚିଲେ ଆମେ ବଞ୍ଚିବା । ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ଅତୁଳନୀୟ ଭୂମିକା ରହିଥିବା ବେଳେ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଜଙ୍ଗଲ । କିନ୍ତୁ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି ଜଙ୍ଗଲ ସମ୍ପଦ । କେଉଁଠି ଜଙ୍ଗରେ ନିଆଁ ବଡ ବଡ ଗଛ ଜଳି ଗଲାଣି ତ ଆଉ କେଉଁଠି ଜଙ୍ଗଲରୁ ଗଛ କାଟି ସଫା କରି ଦେଉଛନ୍ତି ମାଫିଆ । ବଣ ଜଙ୍ଗଲ ଘେରା କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡରେ ରହିଥିବା ସବୁଜ ବନାନୀ ସୁଲିଆ ଜଙ୍ଗଲ ଏବେ କ୍ଷୟ ହେବାକୁ ବସିଲାଣି । ପୋଡୁ ଚାଷ ଯୋଗୁଁ ଜଙ୍ଗଲରେ ଗଛ ଜଳି ନଷ୍ଟ ହୋଇଯାଉଥିବା ବେଳେ ଗଛ ସବୁ କଟା ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଗଛ କିଏ କାଟିଲା ସେନେଇ ବନ ବିଭାଗ ପାଖରେ ଖବର ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

୧୫୩୯ ବର୍ଗ କିଲୋମିଟର ଓ ୫ଟି ରେଞ୍ଜକୁ ନେଇ ଗଠିତ ଜିଲ୍ଲାର ଉତ୍ତର ବନଖଣ୍ଡ । ୫ଟି ରେଞ୍ଜରେ ୨୦୦ ସହରୁ ଊର୍ଦ୍ଧ୍ବ ଭିଏସଏସ ଟିମ ଓ ପ୍ରାୟ ୩୦୦ ସହ ବନ କର୍ମଚାରୀ ଏହି ବନ ବିଭାଗରେ ଥିବା ବେଳେ ଜଙ୍ଗଲକୁ ସୁରକ୍ଷା ଦେବାରେ ଫେଲ ମାରିଛି ବନ ବିଭାଗ । ଫଳରେ ଏକର ଏକର ଜଙ୍ଗଲ ଜମିରେ ଥିବା ଗଛ ସବୁକୁ କାଟି ସଫା କରି ଦିଆଯାଇଛି । ଘାଟିରେ ଥିବା ଲକ୍ଷାଧିକ ସଂଖ୍ୟାରେ ଗଛ କଟା ଯାଇଥିବା ଦେଖିବାକୁ ମିଳିଛି । ହେଲେ କିଏ ଏ ଗଛ କାଟିଛି ତାହା ବନ ବିଭାଗ ପାଖରେ ଖବର ନାହିଁ । କେବଳ ଏ ଗୋଟିଏ ଅଞ୍ଚଳ ନୁହେଁ ବରଂ ଘାଟିରେ ଥିବା ପାଖାପାଖି ୧୦ କିଲୋମିଟର ପରିସୀମା ମଧ୍ୟରେ ଥିବା ସମସ୍ତ ଗଛ କଟା ଯାଇଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଦିନକୁ ଦିନ କାଠ ମାଫିଆଙ୍କ ଉତପାତ ବୃଦ୍ଧି ପାଇଥିଲେ ହେଁ ବନ ବିଭାଗର ଅପାରଗତା ଯୋଗୁଁ ବିପଦରେ ପଡିଛି ଜଙ୍ଗଲ ସମ୍ପଦ। ଠିକ ଭାବରେ ବନ ବିଭାଗ ପକ୍ଷରୁ ରାତ୍ରି ପାଟ୍ରୋଲିଂ କରାଯାଉନଥିବା ଯୋଗୁଁ ଏଭଳି ଗଛ କଟା ଚାଲିଥିବା ଅଭିଯୋଗ ହୋଇଛି।

ଗୋଟିଏ ପଟେ ପୋଡୁ ଚାଷ ପାଇଁ ଜଙ୍ଗଲ କ୍ଷୟ ହେଉଥିବା ବନ ବିଭାଗ କହୁଥିବା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଓ ଜଙ୍ଗଲ ବିଭାଗର ଉଦାସୀନ ମନଭାବ ଯୋଗୁଁ ପ୍ରାୟ ଧ୍ବଂସାଭିମୁଖୀ ଏହି ଜଙ୍ଗଲ ସମ୍ପଦ। କେତେବେଳ ଜଙ୍ଗଲରେ ନିଆଁ ଲାଗୁଛି ତ, ଆଉ କେତେ ବେଳେ ମଣିଷ କାଟି ନେଉଛି ବିଶାଳକାୟ ବୃକ୍ଷ । ଅନ୍ୟପଟେ ଜଙ୍ଗଲୀ ଜନ୍ତୁ ଶିକାର ହେଉଥିବା ନେଇ ମଧ୍ୟ ନଜିର ରହିଛି । ପ୍ରଶାସନର ସବୁ ନିଷ୍ପତି ସ୍ବତେ ଆଜି ଅସୁରକ୍ଷିତ ହୋଇପଡ଼ିଛି ଜଙ୍ଗଲ । ପରିବେଶ ସନ୍ତୁଳନ ରକ୍ଷା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ପୁରୁଣା ଜଙ୍ଗଲର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନା ବଞ୍ଚୁଛି ନୂଆ ବୃକ୍ଷ, ନା ସୁରକ୍ଷା ପାଉଛି ପୁରଣା ଜଙ୍ଗଲ । ଏହି ସବୁ ସଙ୍ଗୀନ ଅଭିଯୋଗ ବନବିଭାଗର କାର୍ଯ୍ୟକୁ ନେଇ ସୃଷ୍ଟି କରିଛି ତମାମ ପ୍ରଶ୍ନ । ଏନେଇ ଉତ୍ତର ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ଏ ବିଷୟରେ ଗଣମାଧ୍ୟମରୁ ଖବର ପାଇବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.