ଥମୁନି ଦାଦନ ଦୁଃଖ, କାମ କରିବାକୁ ଯାଇ ସିକନ୍ଦରାବାଦରେ ଗଲା ଯୁବକଙ୍କ ଜୀବନ

author img

By

Published : Dec 4, 2022, 9:06 PM IST

ଥମୁନି ଦାଦନ ଦୁଃଖ, କାମ କରିବାକୁ ଯାଇ ସିକନ୍ଦରାବାଦରେ ଗଲା ଯୁବକଙ୍କ ଜୀବନ

କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଦାଦନ ଦୁଃଖ । କାମ କରିବାକୁ ଯାଇ ସିକନ୍ଦରାବାଦରେ ଗଲା ଯୁବକଙ୍କ ଜୀବନ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଦାଦନ ଦୁଃଖ । କାମ କରିବାକୁ ଯାଇ ସିକନ୍ଦରାବାଦରେ ଗଲା ଯୁବକଙ୍କ ଜୀବନ (Kalahandi migrant labour died) । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ସର୍ଗିଗୁଡା ଗାଁର ତେଜନ ନାଏକ । ପରିବାର ପ୍ରତିପୋଷଣ ଆଶାରେ ଗତ ୭ ମାସ ତଳେ ସିକନ୍ଦରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଆଜି କାମ କରୁଥିବା ସମୟରେ ହଠାତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଛନ୍ତି ।

ଥମୁନି ଦାଦନ ଦୁଃଖ, କାମ କରିବାକୁ ଯାଇ ସିକନ୍ଦରାବାଦରେ ଗଲା ଯୁବକଙ୍କ ଜୀବନ

ତେଜନ ଓମ୍ ସାଇ ଗ୍ୟାଲେକ୍ସି ନାମକ ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । କାମ କରି ପ୍ରତ୍ୟେକ ମାସରେ ପରିବାର ପ୍ରତିପୋଷଣ ପାଇଁ ଟଙ୍କା ମଧ୍ୟ ପଠାଉଥିଲେ । ଯେଉଁଥିରେ ତାଙ୍କ ପରିବାର ଚଳୁଥିଲା । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଆଜି କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ହିଁ ତେଜନଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ସେଠାରେ ଉପସ୍ଥିତ ଥିବା ଶ୍ରମିକମାନେ ତୁରନ୍ତ ଠିକା ସଂସ୍ଥା ମାଲିକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଠିକା ସଂସ୍ଥା ମାକିକ ଏନେଇ ତେଜନ ନାଏକଙ୍କ ପରିବାରକୁ ଜଣାଇବା ସହ ଆମ୍ବୁଲାନ୍ସ ଯୋଗେ ତେଜନଙ୍କ ମୃତଦେହ ଗାଁକୁ ପଠାଇଥିଲେ । ଅନ୍ୟପକ୍ଷରେ ଘରର ଏକମାତ୍ର ରୋଜଗାରିଆ ଲୋକକୁ ହରାଇ ଏବେ ବେସାହାରା ହୋଇପଡ଼ିଛି ପୁରା ପରିବାର ।

କାନ୍ଦ ବୋବାଳିରେ ଫାଟି ପଡୁଛି ସର୍ଗିଗୁଡା ଗାଁ ଦାଣ୍ଡ । ଶୋକାକୁଳ ପରିବେଶ ପାଲଟିଛି ପୁରା ପରିବେଶ । ଜଣେ ବାପାକୁ ହରାଇ କାନ୍ଦୁଛି ତ ଆଉ ଜଣେ ନିଜ ସ୍ବାମୀ ତ ମାଆ ପୁଣି ନିଜ ଭେଣ୍ଡିଆ ପୁଅକୁ ହରାଇ ଆତ୍ମହରା ହୋଇପଡ଼ିଛି । ଏତେ ବଡ଼ ଦୁଃଖକୁ ପରିବାର ମୁଣ୍ଡାଇବା ପାଇଁ ଅସମର୍ଥ ହୋଇ ପଡ଼ିଛି । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. ଦାଦନ ଖଟିବାକୁ ଯାଇ ଗୋଆରେ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରି ପାରିଲାନି ମୃତଦେହ

କିନ୍ତୁ ଏହି ଯୋଜନାର ସଠିକ ରୂପାୟନ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ସେଠାରୁ କେହି ମୃତ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହୋଇଫେରୁଛି । ଆଉ କିଏ ଫେରି ମଧ୍ୟ ପାରୁନାହାଁନ୍ତି । ତେବେ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ମାସ ମଧ୍ୟରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର । ଯାହା ଆମ ବ୍ୟବସ୍ଥାର ପାରିବାପଣିଆ ଉପରେ ଉଠାଇଛି ଏକ ବିରାଟ ପ୍ରଶ୍ନବାଚୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.