ETV Bharat / state

ଯୋରନ୍ଦା ମହିମା ମନ୍ଦିର ଉଚ୍ଛେଦ ଘଟଣା, ଗର୍ଜିଲେ ମହିମା ସନ୍ଥ

author img

By

Published : Dec 10, 2022, 9:41 AM IST

ଯୋରନ୍ଦା ମହିମା ମନ୍ଦିର ଉଚ୍ଛେଦକୁ ବିରୋଧ କରି କଳାହାଣ୍ଡି ରାଜରାସ୍ତାରେ ଗର୍ଜିଲେ ମହିମା ସନ୍ଥ । ଅଧିକ ପଢ଼ନ୍ତୁ

joranda mahima temple demolition Saints protest in kalahandi
ଯୋରନ୍ଦା ମହିମା ମନ୍ଦିର ଉଚ୍ଛେଦ ଘଟଣା, ଗର୍ଜିଲେ ମହିମା ସନ୍ଥ

ଭବାନୀପାଟଣା: ଯୋରନ୍ଦା ମହିମା ମନ୍ଦିର ଉଚ୍ଛେଦକୁ ବିରୋଧ କରି କଳାହାଣ୍ଡି ରାଜ ରାସ୍ତାରେ ଗର୍ଜିଲେ ମହିମା ସନ୍ଥ । ଗତ କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠରେ ନିର୍ମାଣ ହୋଇଥିବା ବତୀ ମନ୍ଦିର, ଧୂନି ମନ୍ଦିର ଓ ଭେକ ମନ୍ଦିରକୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଜବର ଦଖଲ ଉଚ୍ଛେଦ କରିବା ସହ ଏହି ମନ୍ଦିର ମାନଙ୍କୁ ଜେସିବି ଲଗାଇ ଭାଙ୍ଗିଥିଲା । ଯାହାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲାରେ ଥିବା ଶତାଧିକ କୌପିନଧାରୀ ମହିମା ସମାଜର ସନ୍ଥମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଶୋଭାଯାତ୍ରା କରିଛନ୍ତି ।

ଭବାନୀପାଟଣା ସହରର ବାଲାଜୀ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସନ୍ଥମାନଙ୍କ ଦାବି ଅନୁଯାୟୀ, ଏହି ପୀଠ ସହିତ ଦେଶର ହଜାର ହଜାର ସାଧୁ-ଭକ୍ତଙ୍କ ଆଧ୍ୟାତ୍ମିକ ଓ ଭାବଗତ ସମ୍ପର୍କ ଥିଲା । ଏହି ନିର୍ମାଣ ନେଇ ଆମ୍ଭ କୌପିନଧାରୀ ମହିମା ସମାଜ ସହିତ ଯୋରନ୍ଦାରେ ଥିବା ବକ୍କଳଧାରୀ ସମାଜ ମଧ୍ୟରେ ଦୀର୍ଘ ଦିନରୁ ବିବାଦ ରହି ଆସୁଥିଲା । ତେଣୁ ଦୁଇ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ବିଷୟ ନେଇ ଅନେକ ଗୁଡାଏ କେସ ପତ୍ର କୋର୍ଟ ମାନଙ୍କରେ ବିଚାରଧିନ ଥିବା ସ୍ଥାନୀୟ ପ୍ରଶାସନ ମଧ୍ୟ ଅବଗତ ଅଛି । ଏସବୁ ସତ୍ତ୍ଵେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ, କୋର୍ଟ ଆଦେଶର ଦ୍ବାହି ଦେଇ କୌପିନଧାରୀ ସମାଜକୁ ତାଙ୍କ ପକ୍ଷ ରଖିବାକୁ କୌଣସି ସୁଯୋଗ ନଦେଇ ଅତି ତରବରିଆ ଓ ବେପରୁଆ ଭାବେ ମନ୍ଦିର ଓ ଉପାସନା ପୀଠକୁ ଭାଙ୍ଗିଦେଥିବା ନେଇ ସନ୍ଥମାନେ ଅଭିଯୋଗ କରିଛନ୍ତି ।

ପ୍ରଶାସନର ଏଭଳି ବେଆଇନ, ଅମାନବୀୟ ଓ ଏକପାଖିଆ ଆଚରଣ ମହିମା ଧର୍ମ ପିପାସୁ ହଜାର ହଜାର ସାଧୁ ଭକ୍ତ ଓ ଧର୍ମପ୍ରେମୀ ମାନଙ୍କୁ ଗଭୀର ଆଘାତ ଦେଇଥିବା ସେମାନେ କହିଛନ୍ତି । ଜିଲ୍ଲା ପ୍ରଶାସନ ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରିଛି । ଏଥିସହ ଉଚ୍ଛେଦ ସ୍ଥାନକୁ ସର୍ବସାଧାରଣ ପ୍ରବେଶ ନିଷେଧ କରିଛି ପୋଲିସ । ଆନ୍ଦୋଳନକାରୀ କହିଛନ୍ତି,"ପ୍ରଶାସନ କୋକୁଆ ଭୟ ଦେଖାଇ ପୂଜାପୀଠକୁ ଧ୍ବଂସ କରିବା ଘଟଣାକୁ ଆମେ କଟୁ ଭାଷାରେ ନିନ୍ଦା କରୁଛୁ । ଏହି ଘଟଣା ସମ୍ବିଧାନ ପ୍ରଦତ୍ତ ଧାର୍ମିକ ଅଧିକାର ଓ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି । "

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.