ETV Bharat / state

କଳାହାଣ୍ଡିରୁ ୨ କୋଟିର ଗଞ୍ଜେଇ ଜବତ, ଫେରାର୍ ମାରିଲେ ୩ ମାଫିଆ

author img

By

Published : Jun 8, 2023, 8:52 AM IST

କଳାହାଣ୍ଡିରୁ ୨ କୋଟିର ଗଞ୍ଜେଇ ଜବତ
କଳାହାଣ୍ଡିରୁ ୨ କୋଟିର ଗଞ୍ଜେଇ ଜବତ

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରୁ ୩୦୦ କେଜି ଗଞ୍ଜେଇ ଜବତ । ଆନୁମାନିକ ୨ କୋଟି ଟଙ୍କା । ଅଧିକ ପଢନ୍ତୁ

କଳାହାଣ୍ଡିରୁ ୨ କୋଟିର ଗଞ୍ଜେଇ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢୁଛି ଗଞ୍ଜେଇ ଚୋରା ଚାଲାଣ । ଅନେକ ସମୟରେ ପୋଲିସ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ କରି ଚୋରା ଚାଲାଣକାରୀଙ୍କୁ ଗିରଫ କରୁଥିଲେ ହେଁ ସାବାଡ ହେଉନାହାନ୍ତି ଗଞ୍ଜେଇ ମାଫିଆ । ଗତକାଲି(ବୁଧବାର) ପୁଣି କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରୁ ଉତ୍ତରପ୍ରଦେଶକୁ ପାଖାପାଖି ୩୦୦ କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ମଦନପୁର ରାମପୁର ଥାନା ଅନ୍ତର୍ଗତ ସଦେଲ ସଂରକ୍ଷିତ ଜଙ୍ଗଲ ଦେଇ ଏକ ଭ୍ୟାନରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଗାଡିଟିକୁ ଯାଞ୍ଚ କରିବାକୁ ଅଟକାଇ ଥିଲା । ହେଲେ ଫିଲ୍ମ ଷ୍ଟାଇଲରେ ପୋଲିସକୁ ଚକମା ଦେଇ ଫେରାର ମାରିଥିଲେ ଗଞ୍ଜେଇ ମାଫିଆ । ପୋଲିସ ଭ୍ୟାନର ପିଛା କରିବା ପରେ ଅଧବାଟରେ ଗାଡିକୁ ଛାଡି ୩ ଜଣ ମାଫିଆ ଫେରାର୍ ମାରିଥିଲେ । ପୋଲିସ ଘଟଣାସ୍ଥଳରୁ ଭ୍ୟାନକୁ ଜବତ କରିବା ପରେ ସେଥିରୁ ପ୍ରାୟ ୨ କୋଟି ଟଙ୍କାର ୩୦୦ କେଜି ଗଞ୍ଜେଇ ଜବତ କରାଯାଇଛି ।

କେତେବେଳେ ଜଙ୍ଗଲୀ ରାସ୍ତା ତ ପୁଣି ଆଉ କେତେବେଳେ ୨୬ନଂ ଜାତୀୟ ରାଜପଥରେ ବିଭିନ୍ନ ଆଳରେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଅନେକ ସମୟରେ ହଜାର ହଜାର କ୍ବିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ କରାଯାଉଛି, ତଥାପି ନୂଆ ନୂଆ ଉପାୟରେ ଚୋରା ଚାଲାଣ କରୁଛନ୍ତି ମାଫିଆ । ଗତ ୩ ବର୍ଷ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପୋଲିସ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି । କେତେବେଳେ ବୋଲେରୋରୁ ତ ପୁଣି କେତେବେଳେ ଦାମୀ କାର, କଣ୍ଟେନରରୁ ମିଳିଛି ଗଞ୍ଜେଇ । ଏବେ ଏହି ରାକେଟରେ ମହିଳାଙ୍କୁ ମଧ୍ୟ ସାମିଲ କରୁଛନ୍ତି ମାଫିଆ । ବିଶେଷକରି କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ଏନଏଚ ୨୬ ସମେତ ବିଭିନ୍ନ ରାଜ୍ୟ ରାଜପଥ ଏବେ ମାଫିଆଙ୍କ ପାଇଁ ଏକ ସୁରକ୍ଷିତ କରିଡର ପାଲଟିଛି ।

୨୦୨୦ ବର୍ଷରେ କଳାହାଣ୍ଡି ଜିଲ୍ଲାରେ ୨୧ଟି ଗଞ୍ଜେଇ ଚୋରା ଚାଲାଣ ମାମଲା ରୁଜୁ ହୋଇଥିଲା ଓ ଏକ ହଜାର କେଜି ଗଞ୍ଜେଇ ଜବତ କରାଯାଇଥିଲା । ୨୦୨୧ ବର୍ଷ ୨୦ଟି ମାମଲା ରୁଜୁ ହୋଇଥିବା ବେଳେ ଜବତ ହୋଇଥିଲା ୪ ହଜାର କେଜି ଗଞ୍ଜେଇ । ସେହିପରି ୨୦୨୨ ମେ' ମାସ ସୁଦ୍ଧା ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ୧୫୦୦ କେଜି ଗଞ୍ଜେଇ ଠାବ ହୋଇଥିଲା । ବିଗତ ୩ ବର୍ଷ ମଧ୍ୟରେ ୨୭ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି । ଚୋରା ଚାଲାଣରେ ବ୍ୟବହୃତ ଅନେକ ଗୁଡ଼ିଏ ଗାଡି ମଧ୍ୟ ଜବତ କରାଯାଇଛି । ଏସବୁ ଘଟଣାରୁ ଏନଏଚ ୨୬ରେ ଗଞ୍ଜେଇ ମାଫିଆ ସକ୍ରିୟ ଥିବା କଥା ଜଣାପଡୁ ଥିବାବେଳେ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କଳାହାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ବ୍ଲକିଂ ଓ ଚେକିଂ ପୋଷ୍ଟ ଥିଲେ ହେଁ ମାଫିଆମାନେ ଅଧିକାଂଶ ସମୟରେ ଖସି ଯାଉଥିବା ମଧ୍ୟ ଦେଖାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.