ETV Bharat / state

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ମହାଲିଙ୍ଗରୁ ଗୋବିନ୍ଦଙ୍କ ହାତଲେଖା ରେଜିଷ୍ଟର ଓ ଡାଏରୀ ଜବତ କଲା କ୍ରାଇମବ୍ରାଞ୍ଚ

author img

By

Published : Dec 24, 2022, 7:56 PM IST

ମହାଲିଙ୍ଗରେ କ୍ରାଇମବ୍ରାଞ୍ଚ ଟିମ
ମହାଲିଙ୍ଗରେ କ୍ରାଇମବ୍ରାଞ୍ଚ ଟିମ

ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ କରୁଛି CID କ୍ରାଇମବ୍ରାଞ୍ଚ । ଗୋବିନ୍ଦଙ୍କ ସ୍ତ୍ରୀ କିନ୍ତୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ । ମାମଲାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ମହାଲିଙ୍ଗରେ ପହଞ୍ଚିଥିଲେ । ଏଠାରୁ ଗୋବିନ୍ଦଙ୍କ ହାତ ଲେଖା ରେଜିଷ୍ଟର ଓ ଡାଏରୀ ଜବତ କରି ଫେରିଛି କ୍ରାଇମବ୍ରାଞ୍ଚ ଟିମ । ଅଧିକ ପଢ଼ନ୍ତୁ

ଭବାନୀପାଟଣା: ବହୁଚର୍ଚ୍ଚିତ ମହାଲିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ଘଟଣାର ତଦନ୍ତ କରୁଛି CID କ୍ରାଇମବ୍ରାଞ୍ଚ । ଗୋବିନ୍ଦଙ୍କ ସ୍ତ୍ରୀ କିନ୍ତୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଥିଲେ । ତେବେ ଏହି ମାମଲାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଟିମ ମହାଲିଙ୍ଗରେ ପହଞ୍ଚିଥିଲେ । ଏଠାରେ ତଦନ୍ତ କରି କଲେଜରୁ ଗୋବିନ୍ଦଙ୍କ ହାତ ଲେଖା ଥିବା ରେଜିଷ୍ଟର ଓ ଗୋବିନ୍ଦଙ୍କ ଘରୁ ତାଙ୍କର ଏକ ଡାଏରୀ ଜବତ କରି ଫେରିଯାଇଛି ଏହି ଟିମ୍‌ ।

ମହାଲିଙ୍ଗରେ କ୍ରାଇମବ୍ରାଞ୍ଚ ଟିମ

ଗୋବିନ୍ଦ ସାହୁ ଗତ ଡିସେମ୍ବର ୨୦ ତାରିଖ (ମଙ୍ଗଳବାର) ବଲାଙ୍ଗୀର କଣ୍ଟାବାଞ୍ଜି ଜେଲ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା । ସେପଟେ କିନ୍ତୁ ଗୋବିନ୍ଦଙ୍କ ସ୍ତ୍ରୀ ଗୋବିନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଏନେଇ ହାଜତ ମୃତ୍ୟୁ ପାଇଁ ଥିବା ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ଏନଏଚଆରସିର ସ୍ଵତନ୍ତ୍ର ନିୟମ ଅନୁଯାୟୀ କ୍ରାଇମବ୍ରାଞ୍ଚର ୧୦ ଜଣିଆ ସ୍ବତନ୍ତ୍ର ଟିମ ବୁଧବାର ଠାରୁ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମ କଣ୍ଟାବାଞ୍ଜି ଜେଲ ଯାଇ ମୃତଦେହ ମିଳିଥିବା ସ୍ଥାନର ଝରକାର ତଦାରଖ କରିଥିଲେ । ଏଥି ସହ କାଠ ଗଣ୍ଡି, ଗାମୁଛା ମଧ୍ୟ ଜବତ କରିଥିଲା କ୍ରାଇମବ୍ରାଞ୍ଚ । ଏଠାରୁ ଶୁକ୍ରବାର ଗୋବିନ୍ଦଙ୍କର ହାତଲେଖା କିଛି କାଗଜ ପତ୍ର ମଧ୍ୟ ଜବତ ହୋଇଥିଲା ।

ତେବେ ଘଟଣାର ଅଧିକ ତଦନ୍ତ ପାଇଁ ଶନିବାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ ମହାଲିଙ୍ଗ ଠାରେ ପହଞ୍ଚିବା ପରେ ପ୍ରଥମେ ମହାଲିଙ୍ଗ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ସେଠାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଠାରେ କଲେଜର ସମ୍ପାଦକ କିରଣ କୁମାର ସିଂ ଓ ଇନଚାର୍ଜ ପ୍ରିନ୍ସପାଲ ଜୟଦେବ ମିଶ୍ରକୁ ପଚରାଉଚରା କରିବା ସହ ଗୋବିନ୍ଦଙ୍କ ହାତ ଲେଖା ଥିବା ଏକ ରେଜିଷ୍ଟରକୁ ଜବତ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍‌ । ପରେ ଗୋବିନ୍ଦଙ୍କ ଘରକୁ ଯାଇ ସେଠାରେ ତାଙ୍କ ସ୍ତ୍ରୀ ତଥା ପରିବାର ଲୋକଙ୍କ ସହିତ ଆଲୋଚନା କରିବା ପରେ ଗୋବିନ୍ଦଙ୍କ ହାତ ଲେଖା ଥିବା ଗୋଟିଏ ଡାଏରୀକୁ ମଧ୍ୟ ଜବତ କରି ଫେରି ଯାଇଛି କ୍ରାଇମବ୍ରାଞ୍ଚ ଟିମ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.