ETV Bharat / state

ରାତି ପାହିଲେ ଝାରସୁଗୁଡା ରେଜଲ୍ଟ: ବିଜୟ ପାଇଁ ତିନି ଦଳର ଦୃଢୋକ୍ତି, ଫଳାଫଳ ନେଇ ଚାଲିଛି ଅଙ୍କକଷା

author img

By

Published : May 12, 2023, 11:44 AM IST

ଝାରସୁଗୁଡା ଉପନିର୍ବାଚନ ଫଳାଫଳ
ଝାରସୁଗୁଡା ଉପନିର୍ବାଚନ ଫଳାଫଳ

ରାତି ପାହିଲେ ଆସିବ ଝାରସୁଗୁଡା ଉପନିର୍ବାଚନ ଫଳାଫଳ । କିଏ ହାତେଇବ ଝାରସୁଗୁଡା ଆସନ ତାକୁ ନେଇ ଚାଲିଛି ଅଙ୍କକଷା । ଅଧିକ ପଢନ୍ତୁ

ରାତି ପାହିଲେ ଝାରସୁଗୁଡା ରେଜଲ୍ଟ

ଭୁବନେଶ୍ବର: ଆସନ୍ତକାଲି( ମେ’ 13) ବାହାରିବ ଉପନିର୍ବାଚନ ଫଳାଫଳ । କିଏ ଜିତିବ ଝାରସୁଗୁଡା ସିଟ୍ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । କାହାକୁ ମିଳିବ ଜନତା ଜନାର୍ଦ୍ଦନଙ୍କ ସମର୍ଥନ ? କିଏ ହେବେ ଝାରସୁଗୁଡାବାସୀଙ୍କ ପ୍ରଥମ ପସନ୍ଦ ? ବିଜେଡି ପ୍ରାର୍ଥୀ ଦୀପାଲି ଦାଶ ଅଧିକ ଭୋଟ ପାଇ ବାପାଙ୍କ ପଦାଙ୍କ ଅନୁସରଣ କରିବେ ନା ବିଜେପିର ଟଙ୍କଧର ନୂଆ ରଚିବେ ଇତିହାସ, ନା କଂଗ୍ରେସର ପୂର୍ବ ଗଡ କୁହାଯାଉଥିବା ଝାରସୁଗୁଡାରେ ତରୁଣ ବାଜି ମାରିନେବେ, ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପ୍ରମୁଖ ରାଜନୈତିକ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଜେଡି କହିଛି ନବୀନଙ୍କ ସ୍ବଚ୍ଛ ଶାସନ ପାଇଁ ଝାରସୁଗୁଡାବାସୀ ବିଜେଡିକୁ ବିପୁଳ ଭୋଟ ବ୍ୟବଧାନରେ ଜୟଯୁକ୍ତ କରାଇବେ । ବିରୋଧୀ ମଧ୍ୟ ଫଳାଫଳ ନିଜ ସପକ୍ଷରେ ଯିବା ନେଇ ମତ ରଖିଛନ୍ତି ।

ଝାରସୁଗୁଡା ଉପନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି, ''ଝାରସୁଗୁଡା ଉପନିର୍ବାଚନରେ କାଣ୍ଟେ କି ଟକ୍କର ହୋଇଛି । ତ୍ରିମୁଖୀ ଲଢେଇ ହୋଇଛି । ଝାରସୁଗୁଡାରେ କଂଗ୍ରେସ ବହୁ ପରିଶ୍ରମ କରିଛି । ଅନ୍ୟ ନିର୍ବାଚନ ପରି ବିରୋଧୀଙ୍କୁ ଏହି ଉପନିର୍ବାଚନ ଏତେ ସହଜ ହେବନାହିଁ । କଂଗ୍ରେସ ଝାରସୁଗୁଡା ଉପନିର୍ବାଚନରେ ନିଶ୍ଚିତ ବିଜୟୀ ହେବ । ବିରୋଧୀଙ୍କ ବିପୁଳ ଅର୍ଥ କାମ ଦେବନି । ବିଜେଡି ଓ ବିଜେପିକୁ ଓଡ଼ିଶାର ଜନସାଧାରଣ ଚିହ୍ନି ସାରିଲେଣି । ତେଣୁ କଂଗ୍ରେସ ଝାରସୁଗୁଡାରେ ଜିତିବ ।''

ବିଧାୟକ ସୁର ରାଉତରାୟ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ହିଁ ଝାରସୁଗୁଡାରେ ବିଜୟୀ ହେବ । କାରଣ ଝାରସୁଗୁଡାରେ ତରୁଣ ହିଁ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲେ । ସେ ମାଟିର ପୁଅ । ବିଜେଡି ବିଜେପି ବିଷୟରେ ଝାରସୁଗୁଡାବାସୀ ଅବଗତ ହୋଇସାରିଲେଣି । ତେଣୁ କଂଗ୍ରେସ ଜିତିବା ଥୟ ।

ଏହାମଧ୍ୟ ପଢନ୍ତୁ: ଜଟଣୀରେ ହୋମି ଭାବା କ୍ୟାନସର୍ ହସ୍ପିଟାଲର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ପ୍ରକାଶଥାଉ କି, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଗତ ୧୩ ତାରିଖରେ ଝାରସୁଗୁଡାରେ ଉପନିର୍ବାଚନ ମତଦାନ ହୋଇଛି । ତିନୋଟି ଯାକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜର ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ତେବେ କାହାକୁ ଝାରସୁଗୁଡାବାସୀଙ୍କ ସମର୍ଥନ ମିଳିବ ତାହା ଆସନ୍ତାକାଲି (ଶନିବାର) ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.