ETV Bharat / state

ଭୂତଳ ଜଳ ଶୋଷି ନେଉଛି କାରଖାନା, ପାନୀୟ ଜଳ ବିନା ହନ୍ତସନ୍ତ ଗ୍ରାମବାସୀ

author img

By

Published : Jun 3, 2020, 1:04 AM IST

Updated : Jun 4, 2020, 4:00 PM IST

ଭୂତଳ ଜଳ ଶୋଷି ନେଉଛି କାରଖାନା, ପ୍ରଚଣ୍ଡ ଖରାକୁ ଦାଉ ସାଧୁଛି ଜଳକଷ୍ଟ
ଭୂତଳ ଜଳ ଶୋଷି ନେଉଛି କାରଖାନା, ପ୍ରଚଣ୍ଡ ଖରାକୁ ଦାଉ ସାଧୁଛି ଜଳକଷ୍ଟ

ଯେତେ ଶିଳ୍ପ ସମୃଦ୍ଧ ସେତିକି ଜଳକଷ୍ଟ । ଝାରସୁଗୁଡାରେ ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ସବୁବର୍ଷ ପରି ଏ ବର୍ଷ ମଧ୍ୟ ପାଣି ପାଇଁ ଡହଳ ବିକଳ ଲୋକେ । ଅଧିକ ପଢନ୍ତୁ...

ଝାରସୁଗୁଡା: ସାରା ରାଜ୍ୟରେ କୋରୋନା ଭୟ । ସଂକ୍ରମଣର ଡରରେ ସତର୍କତାର ସହ ଜିଉଁଛନ୍ତି ଲୋକେ । ଏହି ସମୟରେ ଦାଉ ସାଧୁଛି ପ୍ରଚଣ୍ଡ ଖରା । ବୋଝ ଉପରେ ନଳିତା ବିଡା ପରି ଗାଁଲୋକଙ୍କ ସମସ୍ୟା ବଢାଇଛି ଜଳକଷ୍ଟ । ଆଉ ଖରାଦିନର ଏହି ଜଳକଷ୍ଟ ଝାରସୁଗୁଡାବାସୀଙ୍କଠୁ ଅଧିକ କିଏ ଜାଣେ ?

ସବୁବର୍ଷ ପରି ଏ ବର୍ଷ ମଧ୍ୟ ପାଣି ପାଇଁ ଡହଳ ବିକଳ ଲୋକେ । ଭୂତଳ ଜଳସ୍ତରକୁ ଟାଣି ନେଉଛନ୍ତି ଜିଲ୍ଲାରେ ବିଛାଇ ଯାଇଥିବା ଖଣି ଖାଦାନ । ବେଆଇନ ଭାବେ ଜଳକୁ ବ୍ୟବହାର କରୁଛନ୍ତି କାରଖାନା ମାଲିକ । ସାଧାରଣ ଲୋକଙ୍କ ସମସ୍ୟା କଥା କିଏ ପଚାରେ ? ସେପଟେ ବଢୁଛି ଜନସଂଖ୍ୟା, ବୃଦ୍ଧି ପାଉଛି ଜଳର ଆବଶ୍ୟକତା । ହ୍ରାସ ପାଉଛି ବର୍ଷାର ପରିମାଣ । ଭୂତଳ ଜଳ ଉପରେ ପଡୁଛି ଚାପ । କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ବି ଦେଖାଦେଇଛି ସମାନ ଅବସ୍ଥା ।

ଭୂତଳ ଜଳ ଶୋଷି ନେଉଛି କାରଖାନା, ପ୍ରଚଣ୍ଡ ଖରାକୁ ଦାଉ ସାଧୁଛି ଜଳକଷ୍ଟ

ଯେତେ ଶିଳ୍ପ ସମୃଦ୍ଧ ସେତିକି ଜଳକଷ୍ଟ । ଝାରସୁଗୁଡାରେ ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି । ଏଭଳି ସ୍ଥିତିରେ ଭୂତଳ ଜଳର ବ୍ୟବହାର ଉପରେ ନିୟନ୍ତ୍ରଣ ନହେଲେ ଆଗାମୀ ଦିନରେ ଝାରସୁଗୁଡାରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳରେ ଲୋକେ ପାଣି ପାଇଁ ଯେପରି ଡହଳ ବିକଳ ହେଉଛନ୍ତି ସେହିଭଳି ଅବସ୍ଥା ଦେଖିବାକୁ ମିଳିବ । ଜିଲ୍ଲାର ଲଇକେରା, କିର୍ମିରା, କୋଲାବିରା ବ୍ଲକର କିଛି ଅଞ୍ଚଳ ସହ ଲଖନପୁର ବ୍ଲକ, ବ୍ରଜରାଜନଗର ଏବଂ ବେଲପାହାଡ ଭଳି ସହରାଞ୍ଚଳରେ ଜଳ ସଙ୍କଟ ରହିଛି ।

ତେବେ ବିଭିନ୍ନ ସ୍ଥାନରେ ଗଭୀର ନଳକୂପ ଖୋଳି ଜଳର ଆବଶ୍ୟକତା କିଛି ମାତ୍ରାରେ ପୂରଣ କରିବାକୁ ଚେଷ୍ଟା କରାଯାଇଛି । ସେହିପରି ଖରାଦିନ କୋଇଲା ଖଣି, ଶିଳ୍ପ କାରଖାନା ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଆବଶ୍ୟକ ସ୍ଥଳେ ଲୋକଙ୍କ ଶୋଷ ମେଣ୍ଟାଇବାକୁ ପ୍ରୟାସ କରାଯାଉଛି । ହେଲେ ଏହା କିଛି ମାତ୍ରାରେ ଦୂର କରିଛି ଜଳକଷ୍ଟ । ଜରୁରୀ ହୋଇଛି ଜଳ ସଂରକ୍ଷଣକୁ ଗୁରୁତ୍ବ । ଖଣି ଖାଦାନ ଓ କଳ କାରଖାନାରେ ଭର୍ତ୍ତି ଜିଲ୍ଲାରେ ଆଗାମୀ ଦିନରେ ପାଣି ସମସ୍ୟା ଭୟଙ୍କର ରୂପ ନେଇପାରେ । ଏପରିକି ଜଳ ପାଇଁ ଜନତାଙ୍କ ମଧ୍ୟରେ ମାରପିଟ୍ ଓ ଦଙ୍ଗା ଭଳି ପରିସ୍ଥିତି ଯେ ସୃଷ୍ଟି ହେବନି ତାହା କହିହେବ ନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated :Jun 4, 2020, 4:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.