ଅଣମୌସୁମୀ ସମୟରେ ଛତିଶଗଡ ଓଡ଼ିଶାକୁ ପାଣି ଛାଡୁ, ମହାନଦୀ ବଞ୍ଚାଅ ସତ୍ୟାଗ୍ରହ ଆରମ୍ଭ

author img

By

Published : May 20, 2023, 8:30 PM IST

protest-for-mahanadi-dispute
ମହାନଦୀ ବଞ୍ଚାଇବାକୁ ସତ୍ୟାଗ୍ରହ ()

ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ସଦସ୍ୟଙ୍କ ସମେତ ସ୍ଥାନୀୟ ବାସିନ୍ଦା । ଅଣମୌସୁମୀ ସମୟରେ ଛତିଶଗଡ଼ ଓଡିଶାକୁ ପାଣି ଛାଡୁ ବୋଲି ଟ୍ରିବ୍ୟୁନାଲ ନିକଟରେ ଦାବି କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ମହାନଦୀ ବଞ୍ଚାଇବାକୁ ସତ୍ୟାଗ୍ରହ

ଝାରସୁଗୁଡ଼ା/ଭୁବନେଶ୍ବର: ଦୀର୍ଘ ଦିନ ଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଛି ମହାନଦୀ ଜଳ ବିବାଦ । ଯାହାର ସମାଧାନ ପାଇଁ ମହାନଦୀ ପରିଦର୍ଶନରେ ଆସିଛନ୍ତି ଟ୍ରିବ୍ୟୁନାଲ ଟିମ୍ । ଅପରପକ୍ଷେ ମହାନଦୀକୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଛି ମହାନଦୀ ସତ୍ୟାଗ୍ରହ । ଝାରୁସୁଗୁଡ଼ାରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସଦସ୍ୟଙ୍କ ସହ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି । ସେମାନଙ୍କର ଦାବି ହେଲା ଅଣ ମୌସୁମୀ ସମୟରେ ଛତିଶଗଡ଼ ଓଡିଶାକୁ ପାଣି ଛାଡୁ । ମହାନଦୀକୁ ଅପମୃତ୍ୟୁରୁ ରକ୍ଷା କରାଯାଉ । ରାଜନୀତିରୁ ଉର୍ଦ୍ଧ୍ବରେ ରହି ସମଗ୍ର ଓଡିଶାବାସୀ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସେମାନଙ୍କର ଅଭିଯୋଗ ହେଲା ଛତିଶଗଡ଼ ପାଣି ନ ଛାଡିବା କାରଣରୁ କଲମାର ମୃତ୍ୟୁ ହେବାକୁ ବସିଛି । ତେଣୁ ତୁରନ୍ତ ଏକ ଅନ୍ତରୀଣ ନିର୍ଦ୍ଦେଶନାମା ବାହାର କରିବାକୁ ଟ୍ରିବ୍ୟୁନାଲ ଟିମ୍ ନିକଟରେ ସେମାନେ ଦାବି ରଖିଛନ୍ତି । ଫଳରେ ଅଣମୌସୁମୀ ସମୟରେ ଯେତିକି ପାଣି ଦରକାର ଛତିଶଗଡ଼ ସେତିକି ପାଣି ଛାଡିବ । ହୀରାକୁଦରେ ଯେଉଁ ପରିମାଣରେ ପାଣିର ଅଭାବ ଦେଖାଯାଇଛି ତାହା ଦୂର ହେବ । ତଳିଆ ଅଞ୍ଚଳରେ ଚାଷ ପାଇଁ ପାଣିର ଅଭାବ ସହିତ ପାନୀୟ ଜଳ ସଙ୍କଟ ମଧ୍ୟ ଦୂର ହୋଇପାରିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଛତିଶଗଡ଼ ପାଣି ରୋକିବା କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ଚାଷ ପାଇଁ ପାଣି ନାହିଁ । ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି । ଶିଳ୍ପ ପାଇଁ ପାଣିର ଅଭାବ ପରିଲକ୍ଷିତ ହୋଇଛି । ପାଣି ରୋକିବା କ୍ଷେତ୍ରରେ ଛତିଶଗଡ଼ ଯେଉଁ ମନମାନି ଚଳାଇଛି ତା ଉପରେ ରୋକ ଲଗାଯିବାର ଆବଶ୍ୟକତା ରହିଛି। କଲମାରେ ପାଣି ନଛାଡିବା କାରଣରୁ ନଦୀ ଶୁଖିଯାଇଥିବାବେଳେ କନକତୋରାରେ କେଲୋ ନଦୀ ମଧ୍ୟ ଶୁଖିଗଲାଣି । ଉପରେ ବନ୍ଧ ବାନ୍ଧିବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ । ଛତିଶଗଡ଼ ସରକାର ପର୍ଯ୍ୟାପ୍ତ ପରିମାଣରେ ପାଣି ନ ଛାଡିଲେ ମହାତ୍ମାଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ଭଳି ମହାନଦୀ ସତ୍ୟାଗ୍ରହ ମଧ୍ୟ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟବାସିନ୍ଦା । ପୂର୍ବରୁ କଂଗ୍ରେସ ଦାବି ରଖିଥିଲା ଯେ ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବହୁ ସଂଖ୍ୟାରେ ବ୍ୟାରେଜ ନିର୍ମାଣ କରିବ ।

ଏପ୍ରିଲ ମାସରେ ଓଡିଶାରେ ପ୍ରବାହିତ ହେଉଥିବା ମହାନଦୀରେ ଜଳ ପ୍ରବାହ 73 ପ୍ରତିଶତ କମିଛି । ସେହିପରି ମେ ମାସରେ 77.7 ପ୍ରତିଶତ ଜଳ ପ୍ରବାହ କମିଛି । ବର୍ତ୍ତମାନ ଛତିଶଗଡ଼ ସରକାର କଲମା ବ୍ୟାରେଜ ତଳକୁ ଆଦୌ ପାଣି ଛାଡୁ ନାହାଁନ୍ତି । ବଡ଼ କଥା ହେଲା 2018 ମସିହାରୁ ଗଠିତ ହେଲାଣି ଟ୍ରିବ୍ୟୁନାଲ । 3ବର୍ଷ ମଧ୍ୟରେ ଓଡିଶା ଏବଂ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟ ପ୍ରଦାନ କରିବା କଥା । ହେଲେ ବର୍ତ୍ତମାନ 5ବର୍ଷ ବିତି ଯାଇଥିଲେ ମଧ୍ୟ ରାୟ ଆସିନଥିବା କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆନ୍ଦୋଳନକାରୀ । ତେବେ ଆଜି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ସମ୍ବଲପୁରରେ ସ୍ଥିତି ପରିଖିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.