ETV Bharat / state

ଝାରସୁଗୁଡାରେ ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ ଓ ଗୁଆ ସଂଗ୍ରହ

author img

By ETV Bharat Odisha Team

Published : Jan 9, 2024, 10:05 PM IST

Arpan rath In Jharsuguda: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ଶନିବାର ଠାରୁ ପ୍ରତି ରାଜ୍ୟର ପ୍ରତି ବ୍ଲକରେ ପରିକ୍ରମା ଆରମ୍ଭ କରିଛି ଅର୍ପଣ ରଥ । ଏହି କ୍ରମରେ ଝାରସୁଗୁଡ଼ାରେ ମଧ୍ୟ ଗଡ଼ିଛି ଅର୍ପଣ ରଥ । ଅଧିକ ପଢ଼ନ୍ତୁ

ଅର୍ପଣ ରଥ ଝାରସୁଗୁଡ଼ା
ଅର୍ପଣ ରଥ ଝାରସୁଗୁଡ଼ା

ଅର୍ପଣ ରଥ ଝାରସୁଗୁଡ଼ା

ଝାରସୁଗୁଡା: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ୧୭ ତାରିଖର ପୁରୀରେ ଏହି ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଶନିବାର ଠାରୁ ପ୍ରତି ରାଜ୍ୟର ପ୍ରତି ବ୍ଲକରେ ପରିକ୍ରମା ଆରମ୍ଭ କରିଛି ଅର୍ପଣ ରଥ । ଏହି ରଥରାଜ୍ୟର ପ୍ରତି ପଞ୍ଚାୟତ ଓ ଗାଁ ଗାଁରେ ବୁଲି ଭକ୍ତଙ୍କ ଠାରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅକ୍ଷତ ଚାଉଳ ସଂଗ୍ରହ କରିବା ଆରମ୍ଭ ହୋଇଛି । ପ୍ରତ୍ୟେକ ପରିବାରକୁ ଏହି ଅରୁଆ ଚାଉଳ ଓ ଗୁଆ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ଏହି କ୍ରମରେ ଝାରସୁଗୁଡ଼ାରେ ମଧ୍ୟ ଗଡ଼ିଛି ଅର୍ପଣ ରଥ । ଏନେଇ ଶ୍ରୀମନ୍ଦିର ପ୍ରକଳ୍ପ ପରିକ୍ରମା କାର୍ଯ୍ୟକ୍ରମ ଅନ୍ତର୍ଗତ ଦୁଇ ଦିନ ଧରି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶ୍ରୀ ଜଗନ୍ନାଥଙ୍କ ରଥ ପରିକ୍ରମା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଝାରସୁଗୁଡା ପୌରାଞ୍ଚଳ ସ୍ଥିତ ବିଟିଏମ୍ ଠାରେ ସ୍ଥାନୀୟ ଲୋକମାନଙ୍କ ଠାରୁ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ । ସଂକୀର୍ତ୍ତନ ମାଧ୍ୟମରେ ଭକ୍ତମାନେ ରଥକୁ ନିଜ ନିଜ ଅଞ୍ଚଳରେ ଭକ୍ତିର ସହ ପରିକ୍ରମା କରାଇଥିଲେ । ଏହି ଅବସରରେ ପ୍ରତ୍ୟେକ ଘରୁ ଗୁଆ ଓ ଅକ୍ଷତ ସଂଗ୍ରହ କରାଯାଇଛି । ଗୋଟିଏ ପଟେ ପୁରୀ ଶ୍ରୀକ୍ଷେତ୍ରରେ ପ୍ରକଳ୍ପ ପରିକ୍ରମା କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଅନ୍ୟପଟେ ଗାଁ ଗାଁ ଓ ସହର ସହରରେ ବୁଲୁଛି ଜୟ ଜଗନ୍ନାଥ ଅର୍ପଣ ରଥ । ଘରୁଘରୁ ସଂଗ୍ରହ ହେଉଛି ଗୁଆ ଓ ଚାଉଳ । ବିଭିନ୍ନ ସ୍ଥାନରେ ରଥ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ଜଣାଉଛନ୍ତି ଅଞ୍ଚଳବାସୀ । ଘଣ୍ଟ ଘଣ୍ଟା ସାଙ୍ଗକୁ ନାମ ସଙ୍କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଛି ସାରା ଅଞ୍ଚଳ । ସମଗ୍ର ଜିଲ୍ଲାରୁ ସଂଗୃହୀତ ଅରୁଆ ଚାଉଳ ଓ ଗୁଆ ସ୍ଥାନୀୟ ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା ପରେ ପୁରୀ ଶ୍ରୀମନ୍ଦିର ପଠାଯିବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଝାରସୁଗୁଡା ଜିଲ୍ଲା ବିଜେଡି ସଭାପତି ରବି ସିଂ, ପୌରାଧକ୍ଷା ରାଣୀ ହାତୀ, ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀଙ୍କ ସମେତ ୱାଡ଼ ମେମ୍ବର ଓ ସ୍ଥାନୀୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ରଥ ଟଣା କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ବାଲିପାଟଣାରେ ଅର୍ପଣ ରଥ, ଜଗନ୍ନାଥଙ୍କ ପାଇଁ ଚାଉଳ-ଗୁଆ ସଂଗ୍ରହ

ତେବେ ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଶ୍ରୀମନ୍ଦିର ଚାରିଦ୍ଵାରରେ ବେଦ ପାଠ କରାଯିବ । ଏନେଇ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବା ବେଳେ ଐଶାନ୍ୟ କୋଣରେ ଯଜ୍ଞ ମଣ୍ଡପର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ପୂର୍ଣ୍ଣ ଶାସ୍ତ୍ରବିଧି ଅନୁସାରେ ଯଜ୍ଞ ମଣ୍ଡପ ନିର୍ମାଣ କରାଯାଉଛି । ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦେଶ ବିଦେଶରୁ ଅନେକ ଅତିଥି ଆସିବାକୁ ଥିବାରୁ ବେଳେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୨ ତାରିଖରୁ ଗଜପତିଙ୍କ ଦ୍ବାରା ବ୍ରାହ୍ମଣ ବରଣ ସହ ଅଙ୍କୁରାରୋପଣ, ୧୩ରେ ଅଙ୍କୁର ପୂଜନ, ୧୪ରେ ମଣ୍ଡପ ସ୍ଥାପନ ସହ ଅଙ୍କୁର ପୂଜନ, ୧୫ ରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ଆରତି, ପୁଷ୍ପାଞ୍ଜଳି ସହ ୧୭ ତାରିଖ ୧ ଟା ୩୦ ରୁ ୨ଟା ୨୫ ମଧ୍ୟରେ ଯଜ୍ଞରେ ପୂର୍ଣ୍ଣାହୁତି ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.