ETV Bharat / state

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଜିଅନ୍ତା ଜାଳିଦେଲେ ଗ୍ରାମବାସୀ

author img

By

Published : Jul 20, 2020, 10:34 AM IST

Updated : Jul 20, 2020, 9:26 PM IST

ଗୁଣିଗାରେଡି ସନ୍ଦେହରେ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ଜାଳି ହତ୍ୟା ଅଭିଯୋଗ
ଗୁଣିଗାରେଡି ସନ୍ଦେହରେ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ଜାଳି ହତ୍ୟା ଅଭିଯୋଗ

ଯାଜପୁର କଳିନଗର ଥାନା ନିମପଲ୍ଲୀରେ ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ଅତ୍ୟନ୍ତ ନିର୍ମମ ଭାବ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ପହଞ୍ଚିଲେ ସ୍ଥାନୀୟ ଏସପି ଚରଣ ସିଂ ମୀନା । ଅଧିକ ପଢନ୍ତୁ...

ଯାଜପୁର: ଅନ୍ଧବିଶ୍ବାସର ଅନ୍ଧଗଳିରେ ଆଜିର ମଣିଷ । ଗୁଣି ଗାରେଡି ସନ୍ଦେହରେ ପୁଣି ଏକ ଡବଲ ମର୍ଡର । ଘରେ ନିଆଁ ଲଗାଇ ବୃଦ୍ଧ ଦମ୍ପତିଙ୍କୁ ଜାଳିଦେଲେ ଗ୍ରାମବାସୀ । ଗିରଫ ଭୟରେ ଗାଁ ଏବେ ଜନଶୂନ୍ୟ । ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ ଗୁଣିଗାରେଡି ସନ୍ଦେହକୁ ନେଇ ଘଟିଛି ତିନି ତିନୋଟି ହତ୍ୟାକାଣ୍ଡ । ନିକଟରେ ଦାନଗଦୀ ବ୍ଲକ୍ ଓଲଳ ପଞ୍ଚାୟତ ଛତରା ଗାଁରେ ବୃଦ୍ଧାଙ୍କ ମୁଣ୍ଡଗଣ୍ଡି ଅଲଗା କରି ତାଙ୍କୁ ହତ୍ୟା କରିଥିଲା ଜଣେ ଯୁବକ । ହତ୍ୟା ପରେ କଟାମୁଣ୍ଡ ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଏବେ ପୁଣି କଳିଙ୍ଗନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ । ଘର ବାହାର ପଟୁ ଉଦ୍ଧାର ହୋଇଛି ବୃଦ୍ଧ ଦମ୍ପତିଙ୍କ ଦଗ୍ଧ ମୃତଦେହ । ଯାଜପୁର ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି ।

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ଜିଅନ୍ତା ଜାଳିଦେଲେ ଗ୍ରାମବାସୀ

ଦମ୍ପତିଙ୍କ ଶରୀର ଜଳିପୋଡି ପାଉଁଶ ହୋଇଯାଇଛି । ଘରର ଆସବାସ ବି ଜଳିପୋଡି ନଷ୍ଟ ହୋଇଯାଇଛି । କେବଳ କୁହୁଳା ନିଆଁରୁ ବାହାରୁଛି ଧୂଆଁ । ଯାହା ଅନୁମାନ କରାଯାଏ ଗତକାଲି ବିଳମ୍ବ ରାତିରେ ହିଁ ଘଟିଛି ଏହି ଘଟଣା । ଦୁର୍ବୃତ୍ତ ମାନେ ନିଆଁ ଲଗାଇ ଦମ୍ପତିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସକାଳୁ ସକାଳୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କିଏ କାହିଁକି ଏପରି କାଣ୍ଡ କଲା ? ପୋଲିସ ଖୋଜୁଛି ତାର ସୁରାକ୍ । ଗୋଟିଏ ପଟେ ଗାଁଟି ସମ୍ପୂର୍ଣ୍ଣ ରୂପେ ଜନଶୂନ୍ୟ ହୋଇଯାଇଥିବା ବେଳେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ସେପଟେ ପୂର୍ବରୁ ବାପା ମାଙ୍କୁ ଗାଁ ଲୋକ ମାରିଦେବାକୁ ଧମକ୍ ଦେଉଥିଲେ । ସେମାନେ ବାପା ମା'ଙ୍କୁ ପୋଡି ମାରିଦେଇଥିବା ଅଭିଯୋଗ କରିଛନ୍ତି ଦମ୍ପତିଙ୍କ ଝିଅ ଜ୍ବାଇଁ ।

ଗତ ପ୍ରାୟ ବର୍ଷକ ମଧ୍ୟରେ ଗାଁର କିଛି ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି । ନିକଟରେ ଜଣେ ଗାଡି ଚାଳକଙ୍କ ମଧ୍ୟ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିବା କୁହାଯାଇଛି । ଯାହାକୁ ନେଇ ଗ୍ରାମବାସୀ ଏହି ବୃଦ୍ଧ ଦମ୍ପତି ଗୁଣିଗାରେଡି କରିଥିବା ସନ୍ଦେହ କରିଥିଲେ । ତେବେ ରାତିଅଧିଆ କିଛି ଗ୍ରାମବାସୀ ବୃଦ୍ଧା ଦମ୍ପତିଙ୍କ ଘର ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ସେମାନେ ଘରେ ନିଆଁ ଲଗାଇବା ସହ ଦମ୍ପତିଙ୍କୁ ନିଆଁରେ ଜାଳି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଯାଜପୁର ଏସପି ଘଟଣାସ୍ଥଳ ପରିଦର୍ଶନରେ ଆସିଥିବା ବେଳେ ଯାଜପୁର ଅତିରିକ୍ତ ଏସପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ନେତୃତ୍ବରେ ଘଟଣାର ତଦନ୍ତ ଜାରି ରହିଛି । ତେବେ ଖୁବ୍ ଶୀଘ୍ର ଘଟଣାର ରହସ୍ୟ ଉନ୍ମୋଚିତ ହେବ ବୋଲି ଏସପି କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Jul 20, 2020, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.