ETV Bharat / state

୫୩ ନମ୍ବର ଜାତୀୟ ରାଜପଥ ଜମି ଅଧିଗ୍ରହଣକୁ ନେଇ ବିବାଦ

author img

By

Published : Oct 30, 2021, 10:13 PM IST

Updated : Oct 30, 2021, 10:34 PM IST

Controversy over land acquisition on National Highway 53 in jajpur
୫୩ ନମ୍ବର ଜାତୀୟ ରାଜପଥ ଜମି ଅଧିଗ୍ରହଣକୁ ନେଇ ବିବାଦ

ଯାଜପୁର ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଜମି ଅଧିଗ୍ରହଣକୁ ନେଇ ଦେଖାଦେଇଛି ବିବାଦ । କଳିଙ୍ଗନଗରର ଡୁବୁରୀ ଓ ବାରାଗଡିଆ ମୌଜା ଅଞ୍ଚଳବାସୀଙ୍କୁ ଆଜି ପର୍ଯ୍ୟନ୍ତ ଉଚିତ କ୍ଷତିପୂରଣ ମିଳିନଥିବାରୁ ଏହି ଜମି ଅଧିଗ୍ରହଣକୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...

ଯାଜପୁର: ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଜମି ଅଧିଗ୍ରହଣକୁ ନେଇ ଦେଖାଦେଇଛି ବିବାଦ । କଳିଙ୍ଗନଗରର ଡୁବୁରୀ ଓ ବାରାଗଡିଆ ମୌଜା ଅଞ୍ଚଳବାସୀଙ୍କୁ ଆଜି ପର୍ଯ୍ୟନ୍ତ ଉଚିତ କ୍ଷତିପୂରଣ ମିଳିନଥିବାରୁ ଏହି ଜମି ଅଧିଗ୍ରହଣକୁ ବିରୋଧ କରାଯାଇଛି ।

୫୩ ନମ୍ବର ଜାତୀୟ ରାଜପଥ ଜମି ଅଧିଗ୍ରହଣକୁ ନେଇ ବିବାଦ

କଳିଙ୍ଗନଗରରେ ଜାତୀୟ ରାଜପଥ ନିର୍ମାଣ ପାଇଁ ହେଉଥିବା ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ ଓ ଜମି କ୍ଷତିଗ୍ରସ୍ତ ମୁହାଁମୁହିଁ । ଯାଜପୁର ଜିଲ୍ଲା ଦେଇ ଯାଉଥିବା ୫୩ ନମ୍ବର ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ କରୁଛନ୍ତି ରାଜ୍ୟସରକାର । ଏ ନେଇ ଗତ ୨୦୦୭ ମସିହାରୁ ଏହି ଜମି ଅଧିଗ୍ରହଣ ପାଇଁ ନୋଟିସ କରିଥିଲେ ରାଜ୍ୟ ସରକାର । କିନ୍ତୁ ଦୀର୍ଘ ୧୪ ବର୍ଷ ପରେ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇ ତରବରିଆ ଭାବେ ଦୋକାନ ଘର ଓ ବାସଗୃହ ଗୁଡିକୁ ଭାଙ୍ଗି ଦେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏ ନେଇ ମାଇକ ଯୋଗେ ପ୍ରଚାର କରିବା ପରେ ସ୍ଥାନୀୟ ଅଂଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶେଷ କରି ଡୁବୁରୀ ଓ ବାରାଗଡିଆ ମୌଜାର ଅନେକ କ୍ଷତିଗ୍ରସ୍ତ ସରକାରଙ୍କ କ୍ଷତିପୂରଣ ରାଶି ଗ୍ରହଣ କରିନଥିବା ବେଳେ ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏହି ଜମି ଅଧିଗ୍ରହଣ ଫଳରେ କ୍ଷତିଗ୍ରସ୍ତ ହେବେ ବହୁ ଚାଷୀ ଓ ବ୍ୟବସାୟୀ । ସେଥିପାଇଁ ରାଜ୍ୟସରକାର କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩ ମସିହାର ଥଇଥାନ ଓ ପୁନଃର୍ବାସ ନିୟମ ଅନୁଯାୟୀ କ୍ଷତିପୁରଣ ଦେବା କଥା । କିନ୍ତୁ ଏହା ବଦଳରେ ୧୮୯୪ ମସିହା ବିସ୍ଥାପନ ଓ ଥଇଥାନ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ଯାହାର ବିରୋଧ କରି ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ୟବସାୟୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଜାତୀୟ ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପାଇଁ ସରକାରଙ୍କ ଧାର୍ଯ୍ୟ କ୍ଷତିପୂରଣ ପ୍ରଦାନ କରାଯାଇଛି ଓ ଯେଉଁମାନେ ଜମି ଅଧିଗ୍ରହଣ କାର୍ଯ୍ୟକୁ ବିରୋଧ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି । ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣରେ ଅର୍ଦ୍ଧାଧିକ ପରିବାର ପ୍ରଶାସନକୁ ସହଯୋଗ କରିଛନ୍ତି । ମାତ୍ର ଅଳ୍ପ କେତେ ଜଣ ସରକାରଙ୍କ ନୂତନ ଥଇଥାନ ପଲିସି ଅନୁଯାୟୀ କ୍ଷତିପୂରଣ ପ୍ରଦାନ ଦାବିରେ ପ୍ରଶାସନକୁ ବିରୋଧ କରୁଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Oct 30, 2021, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.