ETV Bharat / state

ବିଚ୍ ରାସ୍ତାରେ ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହତ୍ୟା, ସନ୍ଦେହରେ ସ୍ବାମୀ !

author img

By

Published : Jul 9, 2020, 7:23 PM IST

Updated : Jul 9, 2020, 10:28 PM IST

Another teacher murder in jajpur
ବିଚ୍ ରାସ୍ତାରେ ଶିକ୍ଷୟିତ୍ରୀ ହତ୍ୟା, ଆସାମୀଙ୍କ ବିରୋଧରେ ପରିବାରର କାର୍ଯ୍ୟାନୁଷ୍ଠାନ ଦାବି

ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଯାଜପୁର ରୋଡ ଥାନା ଅଞ୍ଚଳରେ ଘଟିଛି ଆଉ ଜଣେ ଶିକ୍ଷୟିତ୍ରୀଙ୍କ ବିଭତ୍ସ ହତ୍ୟାକାଣ୍ଡ । ଗତ 4 ଦିନ ମଧ୍ୟରେ ଜିଲ୍ଲାରେ ଘଟିଛି ତିନି ତିନୋଟି ମର୍ଡର ପରେ ଅପରାଧୀଙ୍କୁ ଗିରଫ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ଯାଜପୁର: ଗତ 4 ଦିନ ମଧ୍ୟରେ ଜିଲ୍ଲାରେ ଘଟିଛି ତିନି ତିନୋଟି ମର୍ଡର । ଗତ 5 ତାରିଖ ବିଳମ୍ବ ରାତିରେ ଧର୍ମଶାଳା ଥାନା ମିର୍ଜାପୁର ଅଞ୍ଚଳରେ ଜଣେ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟିଥିବା ବେଳେ ଗୁରୁବାର ଯାଜପୁର ରୋଡ ଥାନା ଅଞ୍ଚଳରେ ଘଟିଛି ଆଉ ଜଣେ ଶିକ୍ଷୟିତ୍ରୀଙ୍କ ବିଭତ୍ସ ହତ୍ୟାକାଣ୍ଡ । ରାଛିପୁର ନୋହରା ଶାଳ ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଦିନ ଦ୍ବିପ୍ରହରେ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ନଟପଡା ଅଞ୍ଚଳର ନେଳିବାରୀ ସ୍କୁଲର ଶିକ୍ଷୟିତ୍ରୀ ଯୋଗମାୟା ଜେନା । ସେ ନେଳିବାରୀ ସ୍କୁଲରେ ଶିକ୍ଷକତା କରନ୍ତି । ଜଣେ ସହକର୍ମୀ ଶିକ୍ଷକଙ୍କ ସହ ବିଭାଗୀୟ ଅଧିକାରୀଙ୍କୁ ଭେଟିବାକୁ ଯାଉଥିବା ବେଳେ ରାସ୍ତାରେ ଘଟିଥିଲା ଏଭଳି ଅଘଟଣ ।

ବିଚ୍ ରାସ୍ତାରେ ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହତ୍ୟା, ସନ୍ଦେହରେ ସ୍ବାମୀ !

ତେବେ ଶିକ୍ଷୟିତ୍ରୀଙ୍କ ଜୀବନ ରକ୍ଷା କରିବାକୁ ଯାଇ ସାଥୀରେ ସ୍କୁଟିରେ ଥିବା ସହକର୍ମୀ ଶିକ୍ଷକ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ରାସ୍ତାରେ ଯାଉଥିବା ପ୍ରତ୍ୟକ୍ଷଦର୍ଶୀ ଘଟଣା ଦେଖି ଚକିତ ହୋଇପଡିଥିଲେ । ମହିଳାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଓ ସମ୍ପର୍କୀୟ ।

ଅପରପକ୍ଷେ ବିଚ୍ ରାସ୍ତାରେ ଏହି ବିଭତ୍ସ ହତ୍ୟାକୁ ନେଇ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ଖବର ପାଇ ଯାଜପୁର ରୋଡ୍ ଥାନା ଅଧିକାରୀଙ୍କ ସହ ଯାଜପୁର ଏସପି ଚରଣ ସିଂ ମୀନା ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଚଳାଇଛନ୍ତି । ପୋଲିସ୍ ଯୋଗମାୟାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଗୁରୁତର ଆହତ ଅନ୍ୟ ସହକର୍ମୀ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କୁ ଯାଜପୁର ରୋଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆହତ ଶିକ୍ଷକଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଅନୁପସ୍ଥିତ ଥିବାବେଳେ ହତ୍ୟାକାଣ୍ଡରେ ଗୁଡାଇ ହୋଇଛି ରହସ୍ୟର ଜାଲ । ସେପଟେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି ବୋଲି ଯାଜପୁର ଏସପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଖୁବ୍ ଶୀଘ୍ର ସେମାନେ ପୋଲିସ୍ ହାତରେ ଧରାପଡିବେ ବୋଲି ଏସପି କହିଛନ୍ତି ।

ଗତ କିଛି ଦିନ ମଧ୍ୟରେ ଯାଜପୁରରେ ଅପରାଧୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟାଇ ଆତଙ୍କ ଖେଳାଇଥିବା ଅପରାଧୀଙ୍କୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନିଜର ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated :Jul 9, 2020, 10:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.