ETV Bharat / state

ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି, ୮ ଦଫା ଦାବିରେ ଧାରଣା

author img

By ETV Bharat Odisha Team

Published : Jan 3, 2024, 7:41 AM IST

ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି, ୮ ଦଫା ଦାବି ନେଇ ଧାରଣା
ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି, ୮ ଦଫା ଦାବି ନେଇ ଧାରଣା

IOCL Redfinery Workers Protest: ପାରାଦ୍ୱୀପ ସ୍ଥିତ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି । 8 ଦଫା ଦାବି ନେଇ କମ୍ପାନୀ ସମ୍ମୁଖରେ ଶ୍ରମିକମାନଙ୍କ ଧାରଣା । ଅଧିକ ପଢନ୍ତୁ

ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି, ୮ ଦଫା ଦାବି ନେଇ ଧାରଣା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ସ୍ଥିତ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଛି । ମଙ୍ଗଳବାର ନିର୍ଦ୍ଧାରିତ ସମୟରେ ଶ୍ରମିକମାନେ କାର୍ଯ୍ୟରେ ଯୋଗ ନଦେଇ ତୈଳ ବିଶୋଧନାଗାର ସମ୍ମୁଖରେ ଏକାଠି ହୋଇଥିଲେ । ଅନ୍ୟ କୌଣସି କର୍ମଚାରୀମାନଙ୍କୁ କମ୍ପାନୀ ଭିତରକୁ ଯିବାକୁ ନଦେବା ସହିତ କମ୍ପାନୀ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ବର୍ଷ ଧରି ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଶୋଷଣ କରିଆସୁଛନ୍ତି ।

ସାଧାରଣ ମୌଳିକ ସୁବିଧା ପ୍ରଦାନ କରିବାରେ କମ୍ପାନୀ ଅବହେଳା ପ୍ରଦର୍ଶନ କରୁଛି । ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମ ନିୟମ ଅନୁଯାୟୀ ଯେଉଁ ସୁବିଧା ସୁଯୋଗ ଦେବା କଥା ତାହା ପ୍ରଦାନ କରାଯାଉ ନାହିଁ । ଯଦି ଜଣେ କାର୍ଯ୍ୟ କରୁଥିବା ସମୟରେ ପ୍ରାଣ ହରାଏ ତେବେ କମ୍ପାନୀ କର୍ତ୍ତୃପକ୍ଷ ତାକୁ କ୍ଷତିପୂରଣ ପ୍ରଦାନ କରିବା କଥା, କିନ୍ତୁ କମ୍ପାନୀ ପକ୍ଷରୁ ଏହା ପାଳନ କରାଯାଉ ନାହିଁ । ଠିକା ଶ୍ରମିକ ଭାବେ ସାତ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିଥିଲେ ମଧ୍ୟ ସେହି ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉନଥିବା ସେମାନେ ଅଭିଯୋଗ ଆଣିବା ସହିତ ତୈଳ ବିଶୋଧନାଗାରର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ... ଚେନ୍ନାଇ ଆଇଓସିଏଲରେ ବିସ୍ଫୋରଣ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ଏହିଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ ସ୍ଥାନୀୟ ପୋଲିସ ସହାୟତାରେ କମ୍ପାନୀ କର୍ତ୍ତୃପକ୍ଷ ମୁଖ୍ୟ ଗେଟର ତାଲା ଖୋଲିଥିଲେ ମଧ୍ୟ କମ୍ପାନୀ ମଧ୍ୟରେ କାର୍ଯ୍ୟ ବନ୍ଦ ରହିଥିଲା । ଠିକା ଶ୍ରମିକମାନେ କମ୍ପାନୀ ଗେଟ୍ ସମ୍ମୁଖରେ ବସିବା ସହିତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହିଭଳି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଶ୍ରମିକମାନେ କହିଛନ୍ତି ଯେ, 8 ଦଫା ସମ୍ବଳିତ ଦାବି ଯେପର୍ଯ୍ୟନ୍ତ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ।

ଶ୍ରମିକମାନେ ଦାବି କରିଛନ୍ତି ଯେ, ତୈଳ ବିଶୋଧନାଗାର ବିନା କାରଣରେ ଶ୍ରମିକମାନଙ୍କୁ କରୁଥିବା ଛଟେଇକୁ ବନ୍ଦ କରିବା, ପାଞ୍ଚ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିବା ପରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, 25 ହଜାର ଟଙ୍କାରୁ ଅଧିକ ଦରମା ପାଉଥିବା କର୍ମଚାରୀମାନଙ୍କୁ ମେଡ଼ିକାଲ ସୁବିଧା ପ୍ରଦାନ, କାର୍ଯ୍ୟ କରୁଥିବା ସମୟରେ ଯଦି ଦୁର୍ଘଟଣାରେ ଶ୍ରମିକର ଜୀବନ ହାନି ହୁଏ ସେହି ଶ୍ରମିକ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ ସହିତ ପରିବାରର ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ଚାକିରି ପ୍ରଦାନ ଆଦି 8 ଦଫା ସମ୍ବଳିତ ଦାବିପତ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଶ୍ରମିକମାନେ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.