ETV Bharat / state

ଲାଞ୍ଚ ନେଇ ବନ୍ଧା ହେଲେ ଦୁଇ କନିଷ୍ଠ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଗର ଜଣେ କର୍ମଚାରୀ ବି ଗିରଫ

author img

By

Published : May 30, 2023, 10:17 AM IST

Vigilance arrested two JEs and supervisor
Vigilance arrested two JEs and supervisor

ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଗିରଫ ହେଲେ ଦୁଇ କନିଷ୍ଠ ଯନ୍ତ୍ରୀ ସମେତ ଜଣେ କର୍ମଚାରୀ । ଅଧିକ ପଢନ୍ତୁ

ଲାଞ୍ଚ ନେଇ ଗିରଫ ହେଲେ ଦୁଇ କନିଷ୍ଠ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଦୁଇ କନିଷ୍ଠ ଯନ୍ତ୍ରୀ ସମେତ ଜଣେ କର୍ମଚାରୀ । କାର୍ଯ୍ୟାଦେଶ ପ୍ରଦାନ ପାଇଁ ଲାଞ୍ଚ ନେବା ବେଳେ କୁକୁଡାଖଣ୍ଡି ବ୍ଲକରେ କାର୍ଯ୍ୟରତ କ୍ଷୁଦ୍ର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଶନ୍ନ କୁମାର ପାଢୀ, ଧିରେନ୍ଦ୍ର ଜେନା ଓ ଉକ୍ତ ବିଭାଗର କର୍ମଚାରୀ ଅଜୟ କୁମାର ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହି ତିନ ଜଣ ଏକ ପୋଖରୀ କାର୍ଯ୍ୟ କରିବାକୁ ଟେଣ୍ଡର ପାଇଥିବା ଜଣେ ଠିକାଦାରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଡିଲାନ୍ସ ।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଠିକାଦାର ଟେଣ୍ଡର ପାଇଥିବା ଏକ କାର୍ଯ୍ୟର କାର୍ଯ୍ୟାଦେଶ ପ୍ରଦାନ କରିବା ପାଇଁ ଗିରଫ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ଅଟକଳ ଅର୍ଥର ଦୁଇ ପ୍ରତିଶତ ଲାଞ୍ଚ ଦେବାକୁ ଦାବି କରିଥିଲେ । ଏପରିକି ଦାବି ମୁତବାକ ଠିକାଦାର ଜଣଙ୍କ ପ୍ରଥମେ ଅନ୍‌ଲାଇନ୍ ଯୋଗେ ୧୪ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହାପରେ ମଧ୍ୟ କନିଷ୍ଠ ଯନ୍ତ୍ରୀ ଅଧିକ ଲାଞ୍ଚ ନେବାକୁ ଠିକାଦାରଙ୍କୁ କହିଥିଲେ । ଏଥିରେ ଅତିଷ୍ଠ ହୋଇ ଠିକାଦାର ଜଣଙ୍କ ବ୍ରହ୍ମପୁର ସ୍ଥିତ ଭିଜିଲାନ୍ସ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଗତକାଲି ଦୁଇ କନିଷ୍ଠ ଯନ୍ତ୍ରୀ ଓ ଜଣେ କର୍ମଚାରୀ ତାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଜଳସେଚନ ବିଭାଗର କାର୍ଯ୍ୟାଳୟରେ ଚଢାଉ କରିଥିଲା ।

ଏହାପରେ ଦୁଇ କନିଷ୍ଠ ଯନ୍ତ୍ରୀ ପ୍ରଶନ୍ନ କୁମାର ପାଢୀ, ଧିରେନ୍ଦ୍ର ଜେନାଙ୍କ ସମେତ ଉକ୍ତ ବିଭାଗର କର୍ମଚାରୀ ଅଜୟ କୁମାର ପାତ୍ରଙ୍କୁ ଗିରଫ କରି ଥିଲା ଭିଡିଲାନ୍ସ । ଏହାପରେ ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା । ତିନି କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଭିଜିଲାନ୍ସ ଟିମ୍ ସେମାନଙ୍କ ଘରେ ପହଞ୍ଚି ପଚରାଉଚରା କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଖୋଳତାଡ଼ କରାଯାଉଛି । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ସେନେଇ ସୂଚନା ହସ୍ତଗତ ହୋଇନାହିଁ।

ଗତକାଲି କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ବାସଭବନରେ ବି ଭିଜିଲାନ୍ସ ଚଢାଉ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଚଢାଉ କରିଥିଲା ଭିଜିଲାନ୍ସ । ଗତ କିଛି ଦିନ ପୂର୍ବେ ବରଗଡ ଜିଲ୍ଲା ଗାଇସିଲଟ ଥାନା ଆଇଆଇସି ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରିଥିଲା । ସ୍ୱତନ୍ତ୍ର ବିଚାରପତି ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ପରେ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.