ETV Bharat / state

ଅଫର ଦେଖାଇ ଅର୍ଡର କ୍ୟାନସଲ କରିଥିଲା ଫ୍ଲିପକାର୍ଟ: ଏବେ ଗଣିଲା ୨୦ ହଜାର ଜରିମାନା

author img

By ETV Bharat Odisha Team

Published : Sep 30, 2023, 11:34 AM IST

Flipkart fined for canceling order
ଫ୍ଲିପକାର୍ଟ ଉପରେ ଜରିମାନା

ଅଫର ଦେଖାଇ ଅର୍ଡର କ୍ୟାନସଲ କରିବାକୁ ୨୦ ହଜାର ଟଙ୍କା ଜରିମାନା ଗଣିଲା ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ । ଅଧିକ ପଢନ୍ତୁ


ବ୍ରହ୍ମପୁର: ଅଫର ଦେଖାଇ ଉପଭୋକ୍ତାଙ୍କ ଅର୍ଡର କ୍ୟାନସଲ କରିବା ପଡିଲା ମହଙ୍ଗା । ୨୦ ହଜାର ଟଙ୍କା ତଣ୍ଡ ଗଣିଲା ଫ୍ଲିପକାର୍ଟ । ଅର୍ଡର କ୍ୟାନସଲ ସମ୍ପର୍କରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ । କୋର୍ଟ ମାମଲାର ଶୁଣାଣି କରି ଇ-କମର୍ସ କମ୍ପାନକୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

କ'ଣ ଥିଲା ପୁରା ଘଟଣା:

ଗଞ୍ଜାମ ଜିଲ୍ଲା ସିଙ୍ଗିପୁର ଗ୍ରାମର ଗାନ୍ଧୀ ବେହେରା ଫ୍ଲିପକାର୍ଟରେ ଏକ ଜୋତା ଅର୍ଡର କରିଥିଲେ । ଜୋତାର ପ୍ରକୃତ ମୂଲ୍ୟ ୪୯୯୯/- ଟଙ୍କା ଥିବାବେଳେ ଫ୍ଲିପକାର୍ଟ ଅଫରରେ ଏହା ମୂଲ୍ୟ ମାତ୍ର ୯୫୭ ଟଙ୍କା ଦେଖାଇଥିଲା । ତେଣୁ ଗାନ୍ଧୀ ସେହି ଜୋତାକୁ କିଣିବାକୁ ଅର୍ଡର କରିଥିଲେ । କ୍ୟାସ୍ ଅନ୍ ଡେଲିଭରି ବା ଡେଲିଭରି ପରେ ତାଙ୍କୁ ଟଙ୍କା ଦେବାର ଥିଲା । ଜୋତା ପଠାଇବା ପାଇଁ କୋରିୟର ସେବା ଇକାର୍ଟ ଲଜିଷ୍ଟିକ କନସାଇନମେଣ୍ଟ ନମ୍ବର ସହ ସାମଗ୍ରୀ ଡେଲିଭରର ସମ୍ଭାବ୍ୟ ତାରିଖ ଉପଭୋକ୍ତାଙ୍କୁ ଜଣାଇଥିଲେ ।

ହେଲେ ଅର୍ଡର କରିବାର ଦିନକ ପରେ ତାହାର ଡେଲିଭରି କ୍ୟାନସଲ ହୋଇଯାଇଥିଲା । ଏହାପରେ ଗାନ୍ଧୀ ବେହେରା ଫ୍ଲିପକାର୍ଟ କମ୍ପାନୀର କଷ୍ଟମର କେୟାରକୁ ଫୋନ କରି ଜୋତା ବିକ୍ରେତାର ସମ୍ପୂର୍ଣ୍ଣ ଠିକଣା ମାଗିଥିଲେ । କିନ୍ତୁ ସେମାନଙ୍କ ନିକଟରେ ବିକ୍ରେତାର ଠିକଣା ନଥିବା ଉତ୍ତର ମିଳିଥିଲା । ତେବେ କାହିଁକି ଅର୍ଡରଟି କ୍ୟାନସଲ ହେଲା ସେ ବିଷୟରେ ପଚାରିବାରୁ ଅଦୃଶ୍ୟ ତ୍ରୁଟି ଯୋଗେ ବିକ୍ରେତା ଏହାକୁ କ୍ୟାନସଲ କରିଦେଇଥିବା ଫ୍ଲିପକାର୍ଟ ଉପଭୋକ୍ତାଙ୍କୁ ଜଣାଇଥିଲା । ଏନେଇ ଗାନ୍ଧୀ ବେହେରା ଜାତୀୟ ଉପଭୋକ୍ତ ହେଲ୍ପଲାଇନରେ ଏକ ଅଭିଯୋଗ ଦାଖଲ କରିବାରୁ ଫ୍ଲିପକାର୍ଟ ତାଙ୍କୁ ଜୋତା ପାଇଁ ଫ୍ରେସ ଅର୍ଡର କରିବାକୁ ଅନୁରୋଧ କରିଥିଲା । ହେଲେ ସେ ଅର୍ଡର କରିବେନି ବୋଲି ମନା କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: Flipkart Big Billion Days: ଆରମ୍ଭ ହେବାକୁ ଯାଉଛି ବିଗ ବିଲିୟନ ସେଲ, ଏହି ଜିନିଷରେ ମିଳିବ ଅଧିକ ରିହାତି

ଏହାପରେ ଉପଭୋକ୍ତା ବ୍ରହ୍ମପୁର ସ୍ଥିତ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ । ମାମଲାର ବିଚାର ସମୟରେ ଫ୍ଲିପକାର୍ଟ କମ୍ପାନୀ ଜୋତା ବିକ୍ରେତାର ଭୁଲ ନାମ କୋର୍ଟରେ ଦର୍ଶାଇଥିଲା ଏବଂ ଏହି କ୍ରୟ ବିକ୍ରୟରେ କମ୍ପାନିର କୌଣସି ଭୂମିକା ନଥିବା କହିଥିଲା । ସେପଟେ ଗାନ୍ଧୀ ବେହେରା ବିକ୍ରେତାର ସଠିକ୍ ନାମ ଓ ଠିକଣା ଫ୍ଲିପକାର୍ଟ ପୋର୍ଟାଲରେ ମଧ୍ୟ ଦର୍ଶାଯାଇ ନଥିବା ବିଷୟରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶୁଣାଣି ସମୟରେ ଫ୍ଲିପକାର୍ଟ ଉପଭୋକ୍ତା ସୁରକ୍ଷା (ଇ-କମର୍ସ) ଅଧିନିୟମ, ୨୦୨୦ର ଅବମାନନା କରିଥିବା ବିଷୟ ସାମ୍ନାକୁ ଆସିଥିଲା ।

ଉଭୟ ପକ୍ଷର ଦଲିଲକୁ ବିଚାରକୁ ନେଇ କୋର୍ଟ ଉପଭୋକ୍ତା ଗାନ୍ଧୀ ବେହେରାଙ୍କୁ କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ବାବଦରେ ୨୦,୦୦୦ ଟଙ୍କା ୪୫ ଦିନ ମଧ୍ୟରେ ଦେବା ପାଇଁ ଫ୍ଲିପକାର୍ଟ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଉପଭୋକ୍ତା ସୁରକ୍ଷା (ଇ-କମର୍ସ) ନିୟମ, ୨୦୨୦କୁ କଡାକଡି ଭାବରେ ପାଳନ କରିବା ଏବଂ ନିୟମ ଅନୁଯାୟୀ ବିକ୍ରେତାମାନଙ୍କ ଭୌଗୋଳିକ ଠିକଣା ପୋର୍ଟାଲରେ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ କମ୍ପାନୀ ପକ୍ଷରୁ ଉପଭୋକ୍ତାଙ୍କୁ ୨୦ ହଜାର ଟଙ୍କା ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.