ETV Bharat / state

ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନେଇ ହାଇଡ୍ରାମା ପରେ ବିିଜେଡିରୁ ବିଦା ହେଲେ ବିପିନ, କହିଲେ ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସବୁ ଜଣାଇବୁ

author img

By ETV Bharat Odisha Team

Published : Sep 1, 2023, 8:36 PM IST

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ନେଇ ହାଇଡ୍ରାମା ପରେ ବିିଜେଡିରୁ ବିଦା ହେଲେ ବରିଷ୍ଠ ବିଜେଡି ନେତା ତଥା ଦିଗପହଣ୍ଡି ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଥିବା ନୋଟିସ ଜାରି କଲା ବିଜେଡି । ସେପଟେ ବିପିନ କହିଲେ ମୁଖ୍ଯମନ୍ତ୍ରୀଙ୍କୁ ଭେଟି ସବୁ ଜଣାଇବୁ । ଅଧିକ ପଢ଼ନ୍ତୁ

ବିିଜେଡିରୁ ବିଦା ହେଲେ ବିପିନ
ବିିଜେଡିରୁ ବିଦା ହେଲେ ବିପିନ

ବିିଜେଡିରୁ ବିଦା ହେଲେ ବିପିନ

ବ୍ରହ୍ମପୁର: ପୁଣି ଚର୍ଚ୍ଚାରେ ଗଞ୍ଜାମ ରାଜନୀତି । ଜିଲ୍ଲାର ଗୋଟିଏ ପରେ ଗୋଟିଏ ନିର୍ବାଚନମଣ୍ଡଳୀରେ ବିଜେଡି ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବାବେଳେ ଆଜି ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କାର କରାଯାଇଛି । ଗତକାଲି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରହିଥିବା ବେଳେ ତାହାକୁ ନେଇ ଯେଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା, ଏହା ଦଳରେ ରହିଥିବା ତୀବ୍ର କନ୍ଦଳକୁ ଚର୍ଚ୍ଚାକୁ ଆଣିଥିଲା । ଏହାପରେ ଦଳର ଜଣେ ବରିଷ୍ଠ ନେତାଙ୍କୁ ବହିଷ୍କାର କରାଯିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଦଳ ବିରୋଧି କାର୍ଯ୍ଯ ପାଇଁ ଦିଗପହଣ୍ଡିର ବରିଷ୍ଠ ନେତା ବିପିନ ପ୍ରଧାନଙ୍କୁ ବିଜେଡି କଲା ବହିଷ୍କୃତ
ବିିଜେଡିରୁ ବିଦା ହେଲେ ବିପିନ

ଏହା ମଧ୍ୟ ପଢ଼ନ୍ତୁ...ଦିଗପହଣ୍ଡିରେ ଉଷ୍ମ ରାଜନୈତିକ ପାଗ, ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ପରେ ଉତ୍ତେଜନା

କଣ ଥିଲା ଘଟଣା: ତେବେ ଗତକାଲି ନିର୍ବାଚନ ପାଇଁ ବରିଷ୍ଠ ନେତା ବିପିନ ପ୍ରଧାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ସମର୍ଥନରେ ୧୪ ଜଣ ସମିତିସଭ୍ୟ/ ସଭ୍ୟା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସରକାରଙ୍କ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିଥିଲେ । ହେଲେ ଦିନ ୧୧ଟା ପର୍ଯ୍ୟନ୍ତ ସେମାନଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରାନଯିବା ଏବଂ ପରବର୍ତ୍ତୀ ସମୟରେ ନିର୍ବାଚିତ ସମିତିସଭ୍ୟ ନିଖୋଜ ରହିଥିବାର ଆଳ ଦେଖାଇ ନିର୍ବାଚନ ସ୍ଥଗିତ ଘୋଷଣା ପରେ ଦୁଇ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିପିନଙ୍କ ସମର୍ଥକ ରାସ୍ତାରୋକ କରିବା ସହିତ ବ୍ଲକ କାର୍ଯ୍ୟାଳୟ ପରିସରକୁ ଧସେଇ ପଶିଥିଲେ । ଏହାପରେ ଆଜି ବିପିନ ପ୍ରଧାନଙ୍କୁ ଦଳରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରାଯାଇଥିବା ନୋଟିସ୍‌ ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ଆସିଛି । ଘଟଣାକୁ ନେଇ ଇଟିଭି ଭାରତ ସହିତ ଆଲୋଚନା ସମୟରେ ବିପିନ କହିଛନ୍ତି, "ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ । ଗତ ୩୦ ବର୍ଷ ଧରି ଜନତା ଦଳରୁ ଆରମ୍ଭ କରି ବିଜୁ ଜନତା ଦଳ ସହିତ ରହିଆସିଛି ।" ତେଣୁ ଏହି ଦଳୀୟ କାର୍ଯ୍ୟାନୁଷ୍ଠାନ ବିଷୟକୁ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ସମସ୍ତ ଘଟଣା ଜଣାଇବେ ଓ ନିଜ ସମର୍ଥକଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।

'ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁ କହିବି': ସେ କହିଛନ୍ତି, "ବର୍ତ୍ତମାନ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ଆମ ସମର୍ଥନରେ ୧୪ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି । ପୂର୍ବରୁ ସମସ୍ତେ ବିଶାଖପାଟଣା ଯାଇଥିବାବେଳେ ସେଠାରେ କିଛି ବିବାଦ ଦେଖା ଦେଇଥିଲେ । ସେଠାରୁ ଦିଗପହଣ୍ଡି ଫେରିବା ପରେ ଦଳର ବ୍ରହ୍ମପୁର ଲୋକସଭା ଦାୟିତ୍ବରେ ରହିଥିବା ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ମୋତେ ଫୋନ୍ କରି ସମସ୍ତ ସମିତିସଭ୍ୟ/ସଭ୍ୟାଙ୍କୁ ନେଇ ଗୋପାଳପୁର ଆସିବାକୁ କହିଥିଲେ । ହେଲେ ମହିଳା ସଦସ୍ୟମାନେ ନିଜକୁ ସୁରକ୍ଷିତ ନମଣି ସେଠାକୁ ଯିବା ପାଇଁ ଅରାଜି ହୋଇଥିଲେ ଏବଂ ସେମାନେ ଗୋପାଳପୁର ନୁହେଁ ବରଂ ଦିଗପହଣ୍ଡି ଆସି ଆଲୋଚନା କରିବାକୁ କହିଥିଲେ । ହେଲେ ଗତକାଲି ଏପରି ନିର୍ବାଚନ ସ୍ଥଗିତ ରଖାଯାଇଛି । ପୁଣି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ତାରିଖ ଧାର୍ଯ୍ୟ ହୋଇ ନିର୍ବାଚନ ସରିବା ପରେ ମୁଁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ କହିବି । ସେ ଶୁଣିବେ ବୋଲି ଆଶା ।" ଯଦି ସେ ନଶୁଣିଲେ, ୩୦ ବର୍ଷର ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି କହିଛନ୍ତି ବରିଷ୍ଠ ନେତା ବିପିନ ପ୍ରଧାନ । ଏପରିକି ଏହି ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ତାଙ୍କ ପାଖରେ ରହିଥିବା ୧୪ ସମିତିସଭ୍ୟ ତାଙ୍କରି ସମର୍ଥନରେ ରହିଥିବା ସେ କହିଛନ୍ତି ।

ରାଜନୈତିକ ବିବାଦରୁ ଗଲାଣି ୬ ଜୀବନ: ପ୍ରକାଶଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଦିଗପହଣ୍ଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥତା ଯୋଗୁଁ ଏଠାରେ ବିରିଷ୍ଠ ବିଜେଡି ନେତା ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଓ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁତ୍ର ବିପ୍ଳବ ପାତ୍ରଙ୍କ ମଧ୍ୟରେ ଏକପ୍ରକାର ବିବାଦ ଲାଗି ରହିଥିଲା । ବିପ୍ଳବ ନିଜର ସମର୍ଥକମାନଙ୍କୁ ସରପଞ୍ଚ ଏବଂ ସମିତିସଭ୍ୟ କରିବା ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ଦିଗପହଣ୍ଡି ବ୍ଲକର ୪ ଥରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ୨ ଥର ଉପାଧ୍ୟକ୍ଷ ତଥା ସୂର୍ଯ୍ୟ ପାତ୍ରଙ୍କ ଅତି ଘନିଷ୍ଠ କୁହାଯାଉଥିବା ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଏହାରି ମଧ୍ୟରେ ଗତ ପଞ୍ଚାୟତ ନିର୍ବାଚନ ପରେ ଅଦ୍ୟାବଧି ୫ରୁ ୬ ଜଣ ରାଜନୈତିକ ବିବାଦରୁ ହତ୍ୟାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଆଉ ଏଭଳି ପରିସ୍ଥିତିରେ ବିପିନ ପ୍ରଧାନଙ୍କୁ ଦଳରୁ ବହିଷ୍କାର ଆଗାମୀ ଦିନରେ କଣ ପ୍ରଭାବ ପକାଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.