ETV Bharat / state

ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ ନେଇ ସର୍ଭେ ଆରମ୍ଭ

author img

By ETV Bharat Odisha Team

Published : Sep 15, 2023, 2:13 PM IST

ଖୁବଶୀଘ୍ର ଆରମ୍ଭ ହେବ ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ କାର୍ଯ୍ୟ । ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମିଳିତ ସର୍ଭେ ଆରମ୍ଭ । ଅଧିକ ପଢନ୍ତୁ

brajanagar tower line road construction
brajanagar tower line road construction

ବ୍ରହ୍ମପୁର: ବ୍ରଜନଗର ଉନ୍ନୟନ ପରିଷଦର ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ଖୁବଶୀଘ୍ର ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମିଳିତ ସର୍ଭେ ଆରମ୍ଭ ହୋଇଛି । ସହରତଳି କ୍ରିୟାନୁଷ୍ଠାନ କମିଟି ବା ବ୍ରଜନଗର ଉନ୍ନୟନ ପରିଷଦର ପକ୍ଷରୁ ବାରମ୍ବାର ଦାବି, ଆନ୍ଦୋଳନ, ସ୍ମାରକପତ୍ର ପ୍ରଦାନ ପରେ ପରିଶେଷରେ ଏହି ରୋଡର ନିର୍ମାଣ କାର୍ଯ୍ୟ ବିଏମସି କରିବ ବୋଲି ଅପାତତଃ ସ୍ଥିର ହୋଇଛି ।

ମହାନଗର ନିଗମର ଅଧିକାରୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ମାନେ ବ୍ରଜନଗରରେ ପହଞ୍ଚି ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଉକ୍ତ ରାସ୍ତାର ଯୁଗ୍ମ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବ୍ରଜନଗର ଟାୱାର ଲାଇନ ରାସ୍ତାଟି ଦେଢ଼ କିଲୋମିଟର ରହିଥିବା ବେଳେ ବାଜପେୟୀ ରୋଡ ନାମରେ ପରିଚିତ । ୨୦୦୨ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହା ନିର୍ମିତ ହୋଇଥିଲା । ସେହି ଦିନ ଠାରୁ ଉକ୍ତ ରାସ୍ତାର ମରାମତି ଓ ପରିଚାଳନା ଭାର ୨୦୨୦ ଫେବୃଆରୀ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିଲା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଉକ୍ତ ରାସ୍ତାଟି ବହୁ ଦିନରୁ ଯାତାୟାତ ଅନୁପଯୋଗୀ ହୋଇଯାଇଥିଲା । ଏଥିସହ ଏଲ୍ ଆଣ୍ଡ ଟି କମ୍ପାନୀ ତରଫରୁ ଜାନିବିଲ ପାଇପ ପାଣି ଲାଇନ ବିଛାଇବା ନାମରେ ସଂପୃକ୍ତ ରାସ୍ତାଟିକୁ ମନଇଚ୍ଛା ଖୋଳି ଛାଡ଼ିଦେବା ପରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ।

ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣାକୁ ହାତ ଠାରି ଡାକୁଛି ରାସ୍ତା, ଭାକରସାହି- ଅଡଶପୁର ରାସ୍ତା କାମ କେବେ ?

ଏନେଇ ସହରତଳି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ କରାଯିବା ପରେ କିଛି ସ୍ଥାନରେ ପ୍ୟାଚ ପକାଇବା ସହ ଏକପ୍ରକାର ତାଳିପକା ମରାମତି କରାଗଲା । ଏହି ରାସ୍ତାରେ ଯାତାୟତ ପାଇଁ ପ୍ରତିଦିନ ଶହ ଶହ ଆଖପାଖ ଗ୍ରାମର ଲୋକ ନିର୍ଭର କରନ୍ତି । ଏମକେସିଜି ମେଡିକାଲ ଯିବାକୁ ହେଲେ ଏହି ରାସ୍ତା ଦେଇ ଯିବାକୁ ପଡେ । କିନ୍ତୁ ରାସ୍ତାଟି ବିପର୍ଯ୍ୟସ୍ତ ହେଇଯିବା ଫଳରେ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହାକୁ ନଜରରେ ରଖି ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ୨୦୧୮ ମସିହାରୁ ଏହି ରାସ୍ତା ନିର୍ମାଣ ନେଇ ବିଭିନ୍ନ ପର୍ଯ୍ୟାୟରେ ଦାବି, ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ବାରମ୍ବାର ପ୍ରଦାନ କରାଯାଇଥିଲା ।

ନିକଟରେ ୫ଟି ସଚିବଙ୍କ ଗୋପାଳପୁର ଏବଂ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ଏ ସଂକ୍ରାନ୍ତରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । କ୍ରିୟାନୁଷ୍ଠାନ କମିଟିର ଦାବି ଉପରେ ବିଚାର କରି ସରକାର ୨୦୨୦ ମସିହାରେ ଉକ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରୁ ବାହାର କରି ବ୍ରହ୍ମପୁର ମହାନଗର ନିଗମ ଉପରେ ନ୍ୟସ୍ତ କରିଥିଲେ । କିନ୍ତୁ ଆଶାନୁରୂପ ଉକ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ବିଏମସିକୁ ହସ୍ତାନ୍ତର କରିଥିଲେ ମଧ୍ୟ ମହାନଗର ନିଗମ ତରଫରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ତେଣୁ କିଏ ଏ ରାସ୍ତା କରିବ ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଏମସି ମଧ୍ୟରେ ଟଣାଓଟରା ଚାଲିଥିଲା । ପରିଶେଷରେ ଗ୍ରାମ୍ୟ ସହରୀ ରୂପାନ୍ତରଣ ସ୍କିମରେ ଏହି ରାସ୍ତା ନିର୍ମାଣ କାମ ହାତକୁ ନିଆଯାଇଥିବା ଜଣାପଡିଛି ।

ପ୍ରଥମ ପର୍ଯ୍ୟାୟରେ ସର୍ଭେ, ତାହାପରେ ଏଷ୍ଟିମେଟ ତିଆରି କରାଯାଇ ସରକାରଙ୍କ ଠାରୁ ଅର୍ଥ ବରାଦ ପାଇଁ ଅନୁରୋଧ କରାଯିବ ଓ ଶେଷରେ ଟେଣ୍ଡର ଆହ୍ବାନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାସ୍ତା ତିଆରିକୁ ନେଇ ଦୁଇ ବିଭାଗ ମଧ୍ୟରେ ଯେଉଁ ଦ୍ଵନ୍ଦ ଲାଗିରହିଥିଲା ତାହା ଦୂର ହୋଇ କାମ ହେବାକୁ ଯାଉଥିବାରୁ କ୍ରିୟାନୁଷ୍ଠାନ କମିଟି ଖୁସି ଓ ଆଶ୍ୱସ୍ତି ଅନୁଭବ କରିଛି । ମହାନଗର ନିଗମର କମିଶନର ଜେ. ସୋନାଲ ସ୍ବତନ୍ତ୍ର ଆଗ୍ରହ ଓ ଧ୍ୟାନ ଦେଇ ଏହି କାର୍ଯ୍ୟ ହାତକୁ ନେଇଥିବାରୁ କମିଟି ପକ୍ଷରୁ ସାଧୁବାଦ ଜଣାଯାଇଛି । ଖୁବ୍ ଶୀଘ୍ର ବିଏମସି ଏହି ରାସ୍ତା ସହ ଡ୍ରେନ ଓ ଆଲୋକ ବ୍ୟବସ୍ଥା ସମ୍ବଳିତ ଏକ ଡିପିଆର ପ୍ରସ୍ତୁତ କରି ଆୟୁକ୍ତଙ୍କ ନିକଟରେ ଦାଖଲ କରିବ । ଆରମ୍ଭ ହୋଇଥିବା ଏହି ସର୍ଭେ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଆଶୁତୋଷ ବେହେରା, ସହକାରୀ ଯନ୍ତ୍ରୀ ଚୈତନ୍ୟ ବେହେରା, ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏମ୍ . ନାଗେଶ୍ଵର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.