ETV Bharat / state

ବାପଘରକୁ ଆସିଲେ ମାଆ ବୁଢୀ ଠାକୁରାଣୀ, ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହେଲା ଯାତ୍ରା

author img

By

Published : Apr 5, 2023, 9:28 AM IST

ଦୁଲୁକିବ ବ୍ରହ୍ମପୁର । ଗତକାଲି ମଧ୍ୟରାତ୍ରରେ ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହେଲା ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ମାଆଙ୍କ ମସ୍ତକରୁ ଆଜ୍ଞାମାଳ ଖସି ଆସି ଦେଶୀବେହେରାଙ୍କ ହାତରେ ପଡିଲା । ଅଧିକ ପଢନ୍ତୁ

Maa Budhi Thakurani Jatra
Maa Budhi Thakurani Jatra

Maa Budhi Thakurani Jatra

ବ୍ରହ୍ମପୁର: ମିଳିଲା ମାଆଙ୍କ ଆଜ୍ଞାମାଳ । ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା । ଗତକାଲି(ମଙ୍ଗଳବାର) ମଧ୍ୟରାତ୍ରରେ ଶାଶୁଘର ଛାଡି ବାପଘରକୁ ଆସିଲେ ମାଆ । ଆଜି ମାଆ ବିଶ୍ରାମ ନେବେ, ଆସନ୍ତାକାଲିଠାରୁ ଆରମ୍ଭ ହେବ ଘଟ ପରିକ୍ରମା । ପରମ୍ପରା ଅନୁଯାୟୀ ମାଆଙ୍କ ବାପଘର କୁହାଯାଉଥିବା ଦେଶୀବେହେରାଙ୍କ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରିବା ପାଇଁ ମୁଖ୍ୟ ପୀଠରେ ପହଞ୍ଚିବା ପରେ ମାଆଙ୍କ ମସ୍ତକରୁ ଆଜ୍ଞାମାଳ ମିଳିଥିଲା । ଯାତ୍ରାର ମୁଖ୍ୟ ପରିଚାଳକ କୁହାଯାଉଥିବା ଦେଶୀବେହେରାଙ୍କ ହାତରେ ଆଜ୍ଞାମାଳ ପଡିବା ପରେ ଶୁଭାରମ୍ଭ ହୋଇଥିଲା ମାଆ ବୁଢୀ ଠାକୁରାଣୀଙ୍କ ଚଳିତ ବର୍ଷର ଯାତ୍ରା । ମାଆଙ୍କ ଆଜ୍ଞାମାଳକୁ ଏକ ଫୁଲ ଚାଙ୍ଗୁଡିରେ ଅଣାଯାଇ ବାପଘର ଦେଶୀବେହେରାଙ୍କ ଘର ସମୁଖରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ମନ୍ଦିରରେ ରଖାଯାଇଥିଲା ।

ଏହାପରେ ଦୀର୍ଘଦିନ ଧରି ଅପେକ୍ଷା କରି ରହିଥିବା ଭକ୍ତମାନେ ମାଆଙ୍କୁ ଦର୍ଶନ କରିବାକୁ ଭିଡ଼ ଜମାଇଥିଲେ । କୋଭିଡ ପରେ ପ୍ରଥମ ଥର ପାଇଁ ବିନା କଟକଣାରେ ମାଆଙ୍କ ଦର୍ଶନ କରିପାରିଥିବାରୁ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି । ଯାତ୍ରାର ପ୍ରଥମ ଦିବସରେ ମୁଖ୍ୟ ପରିଚାଳକ ତଥା ମାଆଙ୍କ ବାପଘର ଦେଶୀ ବେହେରାଙ୍କ ପକ୍ଷରୁ ମଧ୍ୟରାତ୍ରରେ ମାଆଙ୍କୁ ନିମନ୍ତ୍ରଣ କରିବାକୁ ବିରାଟ ପଟୁଆରରେ ମୁଖ୍ୟ ପୀଠରେ ପ‌ହଞ୍ଚି ପୂଜାର୍ଚ୍ଚନା କରାଯାଇଥିଲା ।

ଏହାପରେ ମାଆଙ୍କ ବାପଘର ପକ୍ଷରୁ ନିମନ୍ତ୍ରଣ କରି ଆବାହନ କରିବା ସମୟରେ ମାଆଙ୍କ ମସ୍ତକରୁ ଆଜ୍ଞାମାଳ ଖସି ଆସି ଦେଶୀବେହେରାଙ୍କ ହାତରେ ପଡିବା ପରେ ସେହି ଆଜ୍ଞାମାଳକୁ ଏକ ଫୁଲଚାଙ୍ଗୁଡିରେ ରଖାଯାଇ ସହର ପରିକ୍ରମା କରାଯାଇଥିଲା । ଶେଷରେ ଅସ୍ଥାୟୀ ମଣ୍ଡପରେ ମାଙ୍କୁ ରଖାଯିବା ପରେ ସେଠାରୁ ମାଆ ଗୋଟିଏ ଦିନ ବିଶ୍ରାମ ନେବା ସହ ତୃତୀୟ ଦିବସରେ ଫୁଲଚାଙ୍ଗୁଡିରେ ରହିଥିବା ଆଜ୍ଞାମାଳ ଘଟକୁ ରୂପାନ୍ତରିତ ହେବା ସହ ମାଆଙ୍କ ଘଟ ପରିକ୍ରମା ଆରମ୍ଭ ହେବ । ଘଟ ପରିକ୍ରମାର ପ୍ରଥମ ଦିବସରେ ମାଆ ମହୁରୀ ରାଜବାଟୀ ଯାଇ ସେଠାରେ ରାଜାଙ୍କ ଦ୍ବାରା ପ୍ରଥମ ଆଳତୀ ଓ ପୂଜା କରାଯିବା ପରେ ଦେଶୀବେହେରା ସାହିକୁ ପରିକ୍ରମା କରି ଫେରିବାର ପରମ୍ପରା ରହିଛି ।


ଚଳିତ ବର୍ଷ ମାଆଙ୍କ ଯାତ୍ରା ୨୮ ଦିନ ଧରି ଆୟୋଜିତ ହେବାକୁ ଥିବାରୁ ଏହାକୁ ନେଇ ବେଶ ଖୁସି ଅଛନ୍ତି ବ୍ରହ୍ମପୁର ସହର ବାସିନ୍ଦା । ସେପଟେ ଚଳିତବର୍ଷ ମାଆଙ୍କ ଯାତ୍ରାରେ ବହୁ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ପରିମାଣରେ ପୋଲିସ ମୁତୟନ କରାଯାଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.