ETV Bharat / state

ଦାଦାଗିରି ! 40 ବର୍ଷ ଧରି ଆନ୍ଧ୍ର ଚାଷୀଙ୍କ କବଜାରେ ଓଡିଶା ଜମି

author img

By

Published : Nov 28, 2020, 9:07 PM IST

ଆନ୍ଧ୍ର ଚାଷୀ
ଆନ୍ଧ୍ର ଚାଷୀ

ଓଡିଶା ଜମିକୁ ଆନ୍ଧ୍ର ଚାଷୀଙ୍କ ଜବରଦଖଲ । ସୀମାନ୍ତରେ ଓଡିଶାର ଜମି ଲୁଟିବାର ମାନସିକତା । ଓଡିଶାର 12ଏକରରୁ ଅଧିକ ଜମିକୁ ଆନ୍ଧ୍ରର ଚାଷୀମାନେ ଗତ 40ବର୍ଷ ହେଲା ନିଜ କବଜାରେ ରଖିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...

ପାରଳାଖେମୁଣ୍ଡି: ଓଡିଶା ସୀମାନ୍ତରେ ଥିବା ଜଳ, ଜମି, ଜଙ୍ଗଲ ଏବଂ ପ୍ରାକୃତିକ ସମ୍ପଦକୁ ଲୁଟିବାରେ ବ୍ୟସ୍ତ ଆନ୍ଧ୍ର ! ସବୁବେଳେ ଓଡିଶା ସରକାର ମୁହଁ ଫୁଟାଣି ଦେଖାଉଥିଲେ ମଧ୍ୟ ଆଜି ଯାଏଁ ଗୋଟିଏ ହେଲେ ଘଟଣାରେ ଆନ୍ଧ୍ରକୁ କଡା ଜବାବ ଦେବା ଭଳି ନଜିର ନାହିଁ । ଫଳରେ ଆନ୍ଧ୍ରର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସୀମାନ୍ତ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଦାଦାଗିରି

ବର୍ତ୍ତମାନ ଏଭଳି ଏକ ଘଟଣା ସୀମାନ୍ତ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଦେଖିବାକୁ ମିଳିଛି । ଓଡିଶାର 12ଏକରରୁ ଅଧିକ ଜମିକୁ ଆନ୍ଧ୍ରର ଚାଷୀମାନେ ଗତ 40ବର୍ଷ ହେଲା ନିଜ କବଜାରେ ରଖିଛନ୍ତି । ଏହା ଓଡିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ପ୍ରଶାସନ ସେମାନଙ୍କୁ ସଂପୃକ୍ତ ଜମିର କାଗଜପତ୍ର ମଧ୍ୟ ଦେଇଛି । ଓଡିଶାର ଚାଷୀମାନେ ଏହି ଜମିର କାଗଜପତ୍ର ଧରି ନ୍ୟାୟ ମାଗିବା ପାଇଁ ବାରଦୁଆର ହେଉଛନ୍ତି । କିନ୍ତୁ କୌଣସି ଲାଭ ମିଳୁନଥିବା ଅଭିଯୋଗ ହୋଇଛି ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତହସିଲ ଚେରୁଗୁଡି ଖାସ୍ ମୌଜା ଅଧିନରେ ଥିବା 12 ଏକର 87 ଡେସିମିଲ ଜମିକୁ ଆନ୍ଧ୍ରର କିଛି ଚାଷୀ ନିଜ କବଜାରେ ରଖିଛନ୍ତି । ଏପରିକି ଏହି ଜମି ଓଡିଶାର ହୋଇଥିଲେ ମଧ୍ୟ ଆନ୍ଧ୍ରର ପୁରୁଣାପାଟଣା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜମିଜମା କାଗଜପତ୍ର ମଧ୍ୟ ପ୍ରଦାନ କରିଦିଆଯାଇଛି । ଫଳରେ ଆନ୍ଧ୍ର ସରକାର ସୀମାନ୍ତରେ ଥିବା ଓଡିଶା ଜମି ଲୁଟିବା ମାନସିକତାକୁ ପଦାରେ ପକାଇଛି ।

ପାରଳାଖେମୁଣ୍ଡି ତହସିଲ ରେକର୍ଡ ଅନୁସାରେ ଏହି ମୌଜାର 12ଟି ଖାତାରେ ଥିବା ଏହି ଜମି 12 ଜଣଙ୍କ ନାମରେ ରହିଛି । ଏହି ଜମିକୁ ଆନ୍ଧ୍ରର ଚାଷୀମାନେ ନିଜ କବଜାରେ ରଖିଥିବାବେଳେ ଏମାନେ ନ୍ୟାୟ ପାଇଁ ଦୀର୍ଘ ବର୍ଷ ହେଲା ବାରଦୁଆର ହେଉଛନ୍ତି । ତଥାପି କୌଣସି ସୁଫଳ ମିଳୁନାହିଁ । ତେଣୁ ସେମାନେ ଏକ ପ୍ରକାର ନିରାଶ ହୋଇ ଅତିଶୀଘ୍ର ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଏହାପରେ ଆନ୍ଧ୍ର ପ୍ରଦେଶ ଗଠନ ବେଳେ ଏକ ମାନଚିତ୍ର ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଉଭୟ ରାଜ୍ୟର ସୀମା ନିର୍ଦ୍ଧାରଣ ମଧ୍ୟ କରାଯାଇଥିଲା । ତେବେ ବର୍ତ୍ତମାନ ଓଡିଶାର ମାନଚିତ୍ର ଗୋଟିଏ କଥା କହୁଥିବାବେଳେ ଆନ୍ଧ୍ରର ମାନଚିତ୍ର ଆଉ ଗୋଟିଏ କଥା କହୁଛି । ତେଣୁ ବିବାଦ ଅଧିକ ଘନିଭୂତ ହେଉଛି । ଏପରିକି ଭୂଲେଖ ଓଡିଶା ପୋର୍ଟାଲରେ ଏହି ସୂଚନା ଓଡ଼ିଶାର ବୋଲି କୁହାଯାଉଥିବାବେଳେ ଆନ୍ଧ୍ର ସରକାରଙ୍କ ମି-ଭୂମି ପୋର୍ଟାଲରେ ଏହା ଆନ୍ଧ୍ରର ବୋଲି କୁହାଯାଉଛି । ଏହାର ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି ।

ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ବର୍ତମାନ ଉଭୟ ରାଜ୍ୟର ଅଧିକାରୀମାନଙ୍କୁ ନେଇ ଯୁଗ୍ମ ସର୍ଭେ କରାଯିବ ।’ ଏଥିପାଇଁ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନକୁ ମଧ୍ୟ ପତ୍ର ଲେଖାଯିବ ବୋଲି ସେ କହିଛନ୍ତି । ତେବେ ଏହା ଓଡ଼ିଶାର ଜମି ଏବଂ ଏହାକୁ ଆନ୍ଧ୍ର ପ୍ରଦେଶର କିଛି ଲୋକେ ଜଦରଦଖଲ କରି ରଖିଥିବା ସେ କହିଛନ୍ତି । ଏନେଇ ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ଜମି ମାପଚୁପ କରାଯାଇଥିବା ଜିଲ୍ଲାପଳ କହିଛନ୍ତି ।

ସେପଟେ ଏଭଳି ସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ପାରଳାଖେମୁଣ୍ଡି ବିଧାୟକ ତଥା ବିଧାନସଭା ସୀମା ବିବାଦ କମିଟି ସଦସ୍ୟ କେ.ନାରାୟଣ ରାଓ । ସେ କହିଛନ୍ତି ଯେ, ‘ସୀମା ସୁରକ୍ଷା କରିବାରେ ସରକାର ସଂପୂର୍ଣ୍ଣ ବିଫଳ । ତେଣୁ ରାଜ୍ୟର ଚାରିପଟେ ପଡୋଶୀମାନେ ସୀମା ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ ବିଧାନସଭାର ଏକ ଷ୍ଟାଣ୍ଡିଂ କମିଟି ରହିଛି । ହେଲେ ଏହି କିମିଟି କୌଣସି ସୀମାକୁ ଯାଇ ସ୍ଥିତି ପରଖିବା ତ ଦୂରର କଥା ଅନେକ ଦର୍ଷ ହେଲା ଏହି କମିଟିର ବୈଠକଟିଏ ମଧ୍ୟ ହୋଇପାରିନାହିଁ ।’ ତେଣୁ ଏଥିରୁ ରାଜ୍ୟ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ବାରି ହୋଇପଡିଥିବା ସେ କହିଛନ୍ତି।

ଜମି ଅଛି କିନ୍ତୁ ସେଥିରୁ କିଛି ମିଳୁନି, ଏହାକୁ ନିଜ କବଜାରେ ରଖିଛନ୍ତି ଆନ୍ଧ୍ରର ଚାଷୀ । ଏଥିପାଇଁ ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏଭଳି 40ବର୍ଷ ବିତି ଗଲାଣି । ତେବେ ଏଭଳି ଆଉ କେତେ ଦିନ ଜାରି ରହିବ ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.