ETV Bharat / state

ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁହାଁ, ମହାମାରୀରୁ ରକ୍ଷା କରନ୍ତି ମାଆ

author img

By

Published : Apr 5, 2023, 10:30 PM IST

gajamuhan ritual in paralakhemundi
ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁହାଁ

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ମହାଆଡ଼ମ୍ବରେ ପାଳିତ ହୋଇଯାଇଛି ଗଜମୁହାଁ ପରମ୍ପରା । ଅଧିକ ପଢ଼ନ୍ତୁ

ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁହାଁ

ଗଜପତି: ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଗଜମୁହାଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ କବିଚନ୍ଦ୍ର ସାହି ବା କଟିକିଆ ସାହିରେ ସବୁ ମଙ୍ଗଳବାରେ ଏହା ପାଳିତ ହୋଇଥାଏ । ବିଶେଷ କରି ଶେଷ ମଙ୍ଗଳବାର ଖୁବ୍ ଆକର୍ଷଣୀୟ ହୋଇଥାଏ । ମହାମାରୀରୁ ରକ୍ଷା ପାଇବା ପାଇଁ ଠାକୁରାଣୀଙ୍କ ନିକଟରେ ଗଜମୁହାଁ ଭୋଗ କରିି ପୂଜାର୍ଚ୍ଚନା କରାଯାଇଥାଏ । କଟିକିଆ ସାହିର ଗଜମୁହାଁର ରହିଛି ସ୍ବତନ୍ତ୍ରତା । ଏଥିରେ ସାମିଲ ହେବା ପାଇଁ ଏହି ସାହିର ଲୋକେ ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘରମୁହାଁ ହୋଇଥାଆନ୍ତି ।

ଚୈତ୍ର ମାସର ଶେଷ ମଙ୍ଗଳବାରର ଗଜମୁହାଁର ରହିଛି ବିଶେଷ ସ୍ବତନ୍ତ୍ରତା । ଲିଆ, ଗୁଡରେ ପ୍ରସ୍ତୁତ ଗଜମୁହାଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପାଇଥାନ୍ତି । ମୁହାଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ଜଣେ ଏହି ବାଜା ଶୁଣିବା ଦ୍ବାରା ତାର ଗୋଡ ଆପେଆପେ ସେହି ସ୍ଥାନକୁ ଟାଣିନେବା ସହ ମୁହାଁଧାରୀଙ୍କ ସହ ନାଚିବାକୁ ବାଧ୍ୟ ହୁଏ ବୋଲି ଲୋକ କହିଥାନ୍ତି । ଏହି ପରମ୍ପରାକୁ ପାଳନ କରିବା ପାଇଁ କଟିକିଆ ସାହିର ଯିଏ ଯେଉଁଠି ଥାନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି । ସମସ୍ତେ ରାତି ତମାମ ସହର ବୁଲିବା ସହ ବୁଧବାର ସକାଳେ ବସର୍ଜନ କରି ଘରକୁ ଫେରିଥାନ୍ତି । ଏଥିରେ ପିଲା ଠାରୁ ବୁଢା ସମସ୍ତେ ସାମିଲ ହୋଇ ଉତ୍ସାହର ସହ ପର୍ବ ପାଳନ କରନ୍ତି । ତେଣୁ ବଡ ମାନଙ୍କ ପାଇଁ ବଡ ଏବଂ ଛୋଟ ପିଲାଙ୍କ ପାଇଁ ସାନ ମୁଆଁ ପ୍ରସ୍ତୁତ କରାଯାଇଥାଏ ।


ଏନେଇ ପୂଜକ କହିଛନ୍ତି," ବହୁ ବର୍ଷ ତଳେ ପାଳାଖେମୁଣ୍ଡିରେ ମହାମାରୀ ଦେଖାଦେଇଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଏଠାକାର ଲୋକେ ଚୈତ୍ରମାସ ମଙ୍ଗଳବାରରେ ଗଜମୁହାଁ ଠାକୁରାଣୀଙ୍କ ନିକଟରେ ଭୋଗ କରିଥିଲେ । ଏହାପରେ ମହାମାରୀରୁ ରକ୍ଷା ମିଳିଥିଲା ବୋଲି କୁହାଯାଏ । ତେଣୁ ସେହିଦିନ ଠାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଜାରି ରହିଛି । ମାଁଙ୍କୁ ଶୀତଳ ନଦେଲେ ପୁଣିଥରେ କୌଣସି ପ୍ରକାର ଅଘଟଣ ଘଟିବ ବୋଲି ଆଶଙ୍କାରେ ପ୍ରତିବର୍ଷ ଏହି ପୂଜା କରାଯାଉଛି । ଆଧୁନିକତାର ଛାପରେ ଅନେକ ପରମ୍ପରା ଓ ସଂସ୍କୃତି ଲୋପ ପାଇଯାଇଛି । ହେଲେ ପାରଳାଖେମୁଣ୍ଡି ସହରର ଲୋକେ ହଜାରହଜାର ବର୍ଷ ଧରି ନିଜ ପରମ୍ପରାକୁ ପ୍ରତିବର୍ଷ ଅଧିକ ଧୁମଧାମରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.