ETV Bharat / state

ପୁଣି ଗଜପତି ମୁହାଁ ମହାବଳ, ଅଘଟଣକୁ ଅପେକ୍ଷା କରିଛି ବନ ବିଭାଗ !

author img

By ETV Bharat Odisha Team

Published : Nov 21, 2023, 4:36 PM IST

ଗଜପତିରେ ପୁଣି ମହାବଳ ବାଘ ଆତଙ୍କ । ୧ ମାସ ପରେ ପୁଣି ଫେରିଲା ମହାବଳ । ବନ ବିଭାଗର ନିଷ୍କ୍ରିୟତା ନେଇ ଚିନ୍ତାରେ ସାଧାରଣ ଲୋକେ । ଅଧିକ ପଢ଼ନ୍ତୁ

ପୁଣି ଗଜପତି ମୁହାଁ ମହାବଳ
ପୁଣି ଗଜପତି ମୁହାଁ ମହାବଳ

ପୁଣି ଗଜପତି ମୁହାଁ ମହାବଳ

ଗଜପତି: ମହେନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ରାୟଗଡ଼ ବ୍ଲକ ଗଣ୍ଡାହାତୀ ଅଞ୍ଚଳରେ ଗତ ମାସକ ତଳେ ଆତଙ୍କ ଖେଳାଇଥିବା ମହାବଳ ବାଘ ପୁଣି ଗଜପତି ଜିଲ୍ଲାକୁ ମୁହାଁ ହୋଇଛି । ବର୍ତ୍ତମାନ ଏହି ବାଘ ପାରଳାଖେମୁଣ୍ଡି ସହରଠାରୁ ମାତ୍ର ୨ କିମି ଦୂର ଆନ୍ଧ୍ରର ସାରାଳି ଗ୍ରାମ ନିକଟରେ ରହିଥିବା ବନ ବିଭାଗ ସ୍ପଷ୍ଟ କରିଛି । ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ମହେନ୍ଦ୍ରତନୟା ନଦୀ ଆରପଟେ ରହିଥିବା ସରାଳି ଗାଁ ନିକଟସ୍ଥ ଜଙ୍ଗଲରେ ଥିବା ଏହି ମହାବଳ ଏହି ଅଞ୍ଚଳରୁ ବହୁ ପ୍ରାଣୀଙ୍କ ଜୀବନ ନେଲାଣି । ତବେ ବାଘ ଉପରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ବନ ବିଭାଗ ଅଧିକାରୀମାନେ କଡ଼ା ନଜର ରଖିଥିବାବେଳେ ଲୋକଙ୍କୁ ସତର୍କ କରାଯାଇଥିବା ପାରଳାଖେମୁଣ୍ଡି ଏସିଏଫ୍‌ଓ କହିଛନ୍ତି ।

ମହାବଳ ବାଘର ଉପସ୍ଥିତି ବନ ବିଭାଗ ସ୍ପଷ୍ଟ କରିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । କେତେବେଳେ ବି ବାଘ ପାରଳାଖେମୁଣ୍ଡି ସହର ମଧ୍ୟରେ ପଶିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ପାରଳାଖେମୁଣ୍ଡି ସମେତ ସହର ଉପକଣ୍ଠରେ ଥିବା ଡାଳିମ୍ବପୁର, ଅମରା, ରାଟିଣି, କେରାଣ୍ଡି ଆଦି ବିଭିନ୍ନ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଗତ ୧ ମାସ ହେଲା ଏହି ଅଞ୍ଚଳରେ ମହାବଳ ବୁଲିବା ସହ ଅନେକ ପ୍ରାଣୀଙ୍କ ଜୀବନ ନେଲାଣି । ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କର କୌଣସି କ୍ଷତି ହୋଇନାହିଁ, ତଥାପି ଏହା ଯେ, ନହେବ ତାହା କିଏ କହିବ । ତେଣୁ ପିଲାମାନେ ସ୍କୁଲ ଯିବା କିମ୍ବା ସାଧାରଣ ଲୋକେ କୌଣସି କାମରେ ବାହାରକୁ ଯିବା ପାଇଁ ସହାସ କରିପାରୁନାହାନ୍ତି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆନ୍ଧ୍ର ବନ ବିଭାଗ ବାଘକୁ ଓଡ଼ିଶା ପଠାଉଥିବାବେଳେ ଓଡ଼ିଶା ବନ ବିଭାଗ ଆନ୍ଧ୍ରକୁ ପଠାଉଛି । କିନ୍ତୁ ବାଘକୁ ଧରିବା ପାଇଁ ଏଯାଏଁ କୌଣସି ପ୍ରୟାସ ନହେବା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଲାଗୁଛି ସତେ ଯେମିତି କୌଣସି ଏକ ବଡ଼ ଅଘଟଣକୁ ଅପେକ୍ଷା କରିଛି ବନ ବିଭାଗ । ତେଣୁ ତୁରନ୍ତ ଏହି ଦିଗରେ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ ବାଘ ଆତଙ୍କ, ଗୁହାଳରୁ ଗାଈକୁ ଘୋଷାଡି ନେଇ ବାଘ ଖାଇଥିବା ଅଭିଯୋଗ

ଗତ ଅକ୍ଟୋବର ୧୯ ତାରିଖ ବେଳକୁ ଗଣ୍ଡାହାତୀ ଅନ୍ତର୍ଗତ ସନ୍ତୋଷପୁର ଗାଁର ଏକ ତେନ୍ତୁଳି ଗଛ ମୂଳରେ ବନ୍ଧା ହୋଇଥିବା ନୃସିଂହ ନାୟକଙ୍କ ଗାଈକୁ ପ୍ରଥମେ କୌଣସି ଏକ ହିଂସ୍ର ଜନ୍ତୁ ଘୋଷାରି ନେଇ ଗାଁ ଠାରୁ ଅଳ୍ପ ଦୂର ଏକ ବୁଦା ମୂଳରେ ଦରଖିଆ ଅବସ୍ଥାରେ ଛାଡି ଚାଲିଯାଇଥିବା କୁହାଯାଇଥିଲା । ବନ ବିଭାଗ ପକ୍ଷରୁ ଖଞ୍ଜା ଯାଇଥିବା ଟ୍ରାପ୍‌ କ୍ୟାମେରା ଦ୍ବାରା ମିଳିଥିବା ଫୁଟେଜରୁ ଏହି କାଣ୍ଡ ଏକ ମହାବଳ ବାଘ ଦ୍ବାରା ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ବନ ବିଭାଗ ପକ୍ଷରୁ ବାଘକୁ ଠାବ କରିବା ପାଇଁ ଦିବାରାତ୍ର ପଇଁତରା ମରାଯାଇଥିଲା । ହେଲେ ବାଘଟି ଆନ୍ଧ୍ର ଆଡକୁ ଚାଲିଯାଇଥିଲା । ଦୀର୍ଘ ପ୍ରାୟ ୧ ମାସ ପରେ ଏବେ ବାଘଟି ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରହିଥିବାବେଳେ କୌଣସି ମୁହୂର୍ତ୍ତରେ ପାରଳାଖେମୁଣ୍ଡି ସହରରେ ପ୍ରବେଶ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେଣୁ ବନ ବିଭାଗ ଅଧିକାରୀମାନେ ସୀମାନ୍ତ ଅଞ୍ଚଳର ବିଭିନ୍ନ ଗାଁକୁ ବୁଲି ରାତିରେ ଘରୁ ନବାହାରିବା ସହ ଏକାକୀ କୌଣସି ନିର୍ଜନ ସ୍ଥାନକୁ ନଯିବା ପାଇଁ ସଚେତନ କରିଥିବା ପାରଳାଖେମୁଣ୍ଡି ଏସିଏଫ୍‌ଓ ସୂଚନା ଦେଇଛନ୍ତି । ବାଘ ଉପରେ ନଜର ରଖିବା ପାଇଁ ୭ ଜଣ ଲେଖାଏଁ ୫ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ସେହିପରି ଆବଶ୍ୟକୀୟ ସ୍ଥାନରେ ଟ୍ରାପ୍‌ କ୍ୟାମେରା ମଧ୍ୟ ଖଞ୍ଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.