ETV Bharat / state

ଗୋଷାଣୀ ବ୍ଲକ ଘେରାଉ କଲା କଂଗ୍ରେସ, ବିଜେପି-ବିଜେଡି ଏକାଠି କହିଲେ ବିଜୟ

author img

By

Published : Aug 18, 2023, 4:04 PM IST

ବିଭିନ୍ନ ଦାବି ନେଇ ଆଜି ରାଜ୍ୟର ସମସ୍ତ ୩୧୪ ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୋଷାଣୀ ବ୍ଲକ ଘେରାଉରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

ଗୋଷାଣୀ ବ୍ଲକ ଘେରାଓ କଲା କଂଗ୍ରେସ
ଗୋଷାଣୀ ବ୍ଲକ ଘେରାଓ କଲା କଂଗ୍ରେସ

ଗୋଷାଣୀ ବ୍ଲକ ଘେରାଓ କଲା କଂଗ୍ରେସ

ଗଜପତି: ନିର୍ବାଚନ ପୂର୍ବରୁ ବ୍ଲକ ସ୍ତରରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ରାଜ୍ୟର ବିଭିନ୍ନ ବ୍ଲକ ଅଫିସରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ଭଳି ବିଭିନ୍ନ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଆଜି ଓଡ଼ିଶାର ସମସ୍ତ ୩୧୪ ବ୍ଲକ ସମ୍ମୁଖରେ ଆନ୍ଦଳନ କରିଛନ୍ତି କଂଗ୍ରେସ କର୍ମୀ । ଏହି କ୍ରମରେ ଆଜି ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡିଓଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସେପଟେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗୋଷାଣୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ । କଂଗ୍ରେସ କର୍ମୀଙ୍କ ସହ ମିଶି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "ବ୍ଲକସ୍ତରରେ ଚାଲିଥିବା ୧୫ରୁ ୫୦% ପିସି କାରବାର ବନ୍ଦ କରାଯାଉ । ଖାଲିପଡ଼ିଥିବା ୨ ଲକ୍ଷ ୨୬ ହଜାର ୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରାଯାଉ ଏବଂ ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରାଯାଉ । ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ । ପେଟ୍ରୋଲ, ଡିଜେଲ, ଗ୍ୟାସ, କିରାସିନି ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କରାଯାଉ । କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କର, କଟନି ଛଟନି ବନ୍ଦ କର ଓ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାର ବ୍ୟବସ୍ଥା କର । ଲୋ- ଭୋଲଟେଜ, ପାୱାରକଟ୍‌, ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କର । ଟାଟା କମ୍ପାନୀ ଖାଉଟି ମାରଣ ବିଜୁଳି ନୀତି ବନ୍ଦ କରୁ । ନାରୀ ନିର୍ଯାତନା ବନ୍ଦ ହେଉ । ନାରୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନବେଳେ କୌଣସି ପ୍ରକାର ପ୍ରିୟାପ୍ରୀତି ପୋଷଣ କରାନଯାଉ ।" ରାଜ୍ୟର ପ୍ରକୃତ ଗରୀବ ବାସହୀନ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ନୁହେଁ କଂଗ୍ରେସ ସରକାର ଆସିଲେ ଓଡିଶାରେ ଗଡିବ ମେଟ୍ରୋ

ଏହି ବିକ୍ଷୋଭରେ ଗଜପତି ଜିଲ୍ଲା ପୂର୍ବତନ ଯୁବ କଂଗ୍ରେସ ସଭାପତି କହିଛନ୍ତି, "ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ଶହ ଶହ କଂଗ୍ରେସ ଦଳର କର୍ମୀମାନେ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଗାମୀ ନିର୍ବାଚନରେ ୯୦ଟି ବିଧାନସଭା ଆସନ ହାତେଇବାକୁ କଂଗ୍ରେସର ଦୃଢ଼ ଚେଷ୍ଟା ଜାରି ରହିବ ।" ତେବେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.