ETV Bharat / state

ଶ୍ରେଣୀଗୃହରେ ଛାତ୍ରୀଙ୍କୁ ତାଲା ପକାଇଲେ ସ୍କୁଲ କର୍ତ୍ତୃପକ୍ଷ, 4 ଘଣ୍ଟା ପରେ ହେଲେ ଉଦ୍ଧାର

author img

By ETV Bharat Odisha Team

Published : Aug 24, 2023, 5:31 PM IST

ବିଦ୍ୟାଳୟ ଶ୍ରେଣୀ କକ୍ଷରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ତାଲା ପକାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ୪ଘଣ୍ଟା ପରେ ଉଦ୍ଧାର ହେଲେ ବାକ୍ ବାଧିତ ଛାତ୍ରୀ । ଅଧିକ ପଢନ୍ତୁ

4 ଘଣ୍ଟା ପରେ କ୍ଲାସରୁମରୁ ଉଦ୍ଧାର ହେଲେ ଛାତ୍ରୀ
4 ଘଣ୍ଟା ପରେ କ୍ଲାସରୁମରୁ ଉଦ୍ଧାର ହେଲେ ଛାତ୍ରୀ

4 ଘଣ୍ଟା ପରେ କ୍ଲାସରୁମରୁ ଉଦ୍ଧାର ହେଲେ ଛାତ୍ରୀ

ପାରଳାଖେମୁଣ୍ଡି: ବିଦ୍ୟାଳୟ ବନ୍ଦ ହେବାପରେ ଦୀର୍ଘ 4 ଘଣ୍ଟା କାଳ ଫସି ରହିଲେ ବାକ୍ ବାଧିତ ଛାତ୍ରୀ । ଗୋଷାଣି ବ୍ଲକ ବୋମିକା ପଞ୍ଚାୟତ ବଡଦେଉଳାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ଛାତ୍ରୀ ବିଦ୍ୟାଳୟରେ ଥିବାବେଳେ କର୍ତ୍ତୃପକ୍ଷ ଭୁଲ ବଶତଃ ତାଙ୍କୁ ତାଲା ପକାଇ ଦେଇଥିଲେ । ଆଉ ଏହି ଭୁଲକୁ କର୍ତ୍ତୃପକ୍ଷ ସ୍ୱୀକାର କରିବା ସହ ଆଉ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନକରିବାକୁ ପ୍ରତିଶୃତି ଦେଇଛନ୍ତି ।

ସୂଚନା ଅନୁସାରେ, ସୋମବାର ଦିନ ବିଦ୍ୟାଳୟର ପାଠ ପଢା ସରିଯିବା ପରେ ପ୍ରଥମ ଶ୍ରେଣୀର ଜଣେ ଛାତ୍ରୀ ଭୁଲବଶତଃ ଅନ୍ୟ ଏକ ଶ୍ରେଣୀ କକ୍ଷକୁ ଯାଇ ବେଞ୍ଚର ଶେଷ ଭାଗରେ ଶୋଇପଡ଼ିଥିଲେ ବୋଲି ଗ୍ରାମବାସୀ ଓ ଛାତ୍ରୀଙ୍କ ପରିବାରବର୍ଗ କହିଛନ୍ତି । ସୋମବାର ଅପରାହ୍ନ ୪ଟା ପରେ ବିଦ୍ୟାଳୟର ଶ୍ରେଣୀ କକ୍ଷ ଗୁଡିକର ଝରକା କବାଟ ବନ୍ଦ କରାଯାଉଥିଲା । ଏହି ଦାୟିତ୍ୱ ନିଯୁକ୍ତ ହୋଇଥିବା ମନିଟର ତୁଲାଉଥିଲେ । ହେଲେ ମନିଟର ଜଣକ ଛାତ୍ରୀଙ୍କ ଶୋଇଥିବା କଥା ଜାଣିପାରି ନଥିଲେ।

ଏହାପରେ ମନିଟର ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସମସ୍ତ ଝରକା କବାଟ ବନ୍ଦ କରି ତାଲା ପକାଇ ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତିଙ୍କୁ ଚାବି ହସ୍ତାନ୍ତର କରି ଚାଲିଯାଇଥିଲେ । ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଛାତ୍ରୀଙ୍କ ପରିବାର ବର୍ଗ ବର୍ଷା ଛାଡ଼ିବା ପରେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ କୌଣସି ସନ୍ଧାନ ନମିଳିବାରୁ ଉଭୟ ପରିବାରବର୍ଗ ଓ ଗ୍ରାମବାସୀ ମିଳିତ ଭାବେ ବହୁ ଖୋଜାଖୋଜି କରିଥିଲେ । ଶେଷରେ ସନ୍ଧ୍ୟା ପାଖାପାଖି ୮ଟା ସମୟରେ ବିଦ୍ୟାଳୟର ଏସ୍‌ଏମ୍‌ସି ସଭାପତିଙ୍କଠାରୁ ଚାବି ଆଣି ବିଦ୍ୟାଳୟ ଖୋଲିଥିଲେ ଛାତ୍ରୀଙ୍କ ପରିବାର ।

ଏହା ବି ପଢନ୍ତୁ...ବିଦ୍ୟାଳୟ ପୁନଃ ଖୋଲାଯିବାକୁ ଦାବି: ଧାରଣାରେ ବସିଲେ କୁନିକୁନି ଛାତ୍ରଛାତ୍ରୀ

ଶେଷରେ ଶ୍ରେଣୀଗୃହ ମଧ୍ୟରେ ଛାତ୍ରୀ ଜଣକ ଶୋଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ତେବେ ଛାତ୍ରୀ ଜଣକ ବାକ୍ ବାଧିତ ଅଟନ୍ତି। ମଙ୍ଗଳବାର ଖବର ପ୍ରଚାରିତ ହେବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ଚିକିତ୍ସାଳୟରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା । ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ପ୍ରକାଶ କରିଥିଲେ ଡାକ୍ତର । ଆଜି ପୁଣି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ନିଆଯାଉଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ପ୍ରକାଶ କରାଯାଇଛି ।

ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡି.କାମେୟାଙ୍କୁ ପ୍ରଶ୍ନ କରିବାରୁ କହିଛନ୍ତି, "ଭୁଲବଶତଃ ଛାତ୍ରୀ ଜଣକ ଶ୍ରେଣୀ କକ୍ଷରେ ରହି ଯାଇଥିଲେ । ବିଦ୍ୟାଳୟରେ ତାଲାପକାଇବା ପୂର୍ବରୁ ସମସ୍ତ କକ୍ଷ ଯାଞ୍ଚ କରିବାର ଥିଲା । ହେଲେ ବର୍ଷା କାରଣରୁ ଟିକେ ତରବର ହୋଇଗଲୁ । ଯାହାକି ସମ୍ପୂର୍ଣ୍ଣ ଭାବେ ଭୁଲ ହୋଇଛି । ଏପରି ଆଉ ଭବିଷ୍ୟତରେ ଭୁଲ ହେବ ନାହିଁ ।" ସେହିପରି ଗ୍ରାମବାସୀ ଓ ଛାତ୍ରୀଙ୍କ ପରିବାର କହିଛନ୍ତି, "ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉତ୍ତମ ଶିକ୍ଷାଦାନ କରନ୍ତି । କିନ୍ତୁ ଦୁର୍ଭଗ୍ୟବଶତଃ ସୋମବାର ଦିନ ଏପରି ଘଟଣା ଘଟିଯାଇଛି ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.