ETV Bharat / state

ମମିତା ମେହେର ହତ୍ୟାକାଣ୍ଡ: ଗଜପତି ଜିଲ୍ଲା ବିଜେପିର ୧୨ ଘଣ୍ଟିଆ ବନ୍ଦ

author img

By

Published : Nov 6, 2021, 8:41 PM IST

BJP 12 hours Gajapati bandh for justice of mamita meher murder case
ମମିତା ମେହେର ହତ୍ୟାକାଣ୍ଡ: ଗଜପତି ଜିଲ୍ଲା ବିଜେପିର ୧୨ ଘଣ୍ଟିଆ ବନ୍ଦ

ମମିତା ମେହେରଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଗୃହମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଗଜପତି ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦକୁ ନେଇ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନାଟକ କରୁଥିବା କହିଛି ବିଜେଡି । ସେପଟେ କଂଗ୍ରେସ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛି । ଅଧିକ ପଢନ୍ତୁ...

ପାରଳାଖେମୁଣ୍ଡି: ମମିତା ମେହେରଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ କରି ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୃହମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବିରେ ବିଜେପି ପକ୍ଷରୁ ଦିଆଯାଇଥିବା ଗଜପତି ଜିଲ୍ଲା ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି । ଜିଲ୍ଲାର ସମସ୍ତ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦାବି ପୂରଣ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି କହିଥିବାବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନାଟକ କରୁଥିବା କହିଛି ବିଜେଡି । ସେହିଭଳି କଂଗ୍ରେସ ଉଭୟ ବିଜେପି ଏବଂ ବିଜେଡିକୁ ଟାର୍ଗେଟ କରିଛି ।

ମମିତା ମେହେର ହତ୍ୟାକାଣ୍ଡ: ଗଜପତି ଜିଲ୍ଲା ବିଜେପିର ୧୨ ଘଣ୍ଟିଆ ବନ୍ଦ

ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ବିଶେଷ କରି ମହିଳା ଏକ ପ୍ରକାର ଅସୁରକ୍ଷିତ । ଗତ କିଛି ଘଟଣାକୁ ଦେଖିଲେ ପ୍ରତ୍ୟେକ ଘଟଣାରେ କେହି ନା କେହି ବିଜେଡି ନେତା, ମନ୍ତ୍ରୀଙ୍କ ସଂପୃକ୍ତି ରହିଥିବା ସ୍ପଷ୍ଟ ହେଉଛି । ମହାଲିଙ୍ଗ ଘରୋଇ କଲେଜର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନିର୍ମମ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିବା ଘଟଣାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି । ତେଣୁ ତାଙ୍କ ଇସ୍ତଫା ଦାବି କରାଯାଇଥିଲେ ମଧ୍ୟ ତାହା ହେଉନାହିଁ । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରୁନାହାନ୍ତି । ତେଣୁ ତଦନ୍ତ ନିରପେକ୍ଷ ହେବା ନେଇ ସନ୍ଦେହ ସୃଷ୍ଟି ହେଉଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ମାହାଙ୍ଗା ଡବଲ ମର୍ଡର, ନୟାଗଡର ପରୀ, ପିପିଲି, ବେବିନା ଏବଂ ଟିକିରି ଆଦି ଘଟଣାରେ କୌଣସି ନା କୌଣସି ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ଫଳରେ ଏବେବି ଏହି ସବୁ ଘଟଣାରେ ଦୋଷୀ ଧରାପଡିନାହାନ୍ତି । ତେଣୁ ରାଜ୍ୟର ଏଭଳି ଯୋଗୁଁ ସାଧାରଣ ଲୋକେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି 12ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବନ୍ଦର ପ୍ରଭାବ ସାରା ଜିଲ୍ଲାରେ ପଡିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଥିଲା । ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବନ୍ଦ ଯୋଗୁଁ କୌଣସି ଲୋକ ନିଜ କାମରେ ଯାଇପାରିନଥିଲେ । ବିଜେପିର ଏହି ବନ୍ଦ ପାଳନ ଗଜପତି ଜିଲ୍ଲାରେ ସଫଳ ହୋଇଛି । ଦୀର୍ଘ 21ବର୍ଷ ଧରି ରାଜ୍ୟରେ ଚାଲିଥିବା ସରକାରରେ ନାରୀ ସଂପୂର୍ଣ୍ଣ ଅସୁରକ୍ଷିତ । ବିଜେଡି ଦଳର ଅଧାରୁ ଅଧିକ ମନ୍ତ୍ରୀ ବିଧାୟକ ଧର୍ଷଣ, ହତ୍ୟା,ଅପହରଣ ଏବଂ ଦୁର୍ନୀତି ଘଟଣାରେ ଛନ୍ଦି ହୋଇପଡିଛନ୍ତି । ତେଣୁ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ କରିପାରୁନାହାନ୍ତି । ନହେଲେ ସରକାର ଭାଙ୍ଗିଯିବ ବୋଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ କହିଛନ୍ତି ।

ସେପଟେ ଏହି ବନ୍ଦକୁ ନାଟକ ବୋଲି କହିଛି ବିଜେଡି । ବିଜେଡି ସଭାପତି ପ୍ରଦୀପ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,ମମିତାଙ୍କୁ ନ୍ୟାୟ ଦେବା ପାଇଁ ସରକାର ପ୍ରୟାସ କରୁଥିବା ବେଳେ ବିଜେପି ଏଥିରେ ସହଯୋଗ କରିବା ବଦଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିରୁ ନଜର ହଟାଇବା ପାଇଁ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରୁଛି ବୋଲି ସେ କହିଛନ୍ତି । ସେହିଭଳି କଂଗ୍ରେସ ଉଭୟ ବିଜେପି ଏବଂ ବିଜେଡିର କାର୍ଯ୍ୟକୁ ନିନ୍ଦା କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟରେ ବ୍ୟାପକ ଅରାଜକତା ଚାଲିଛି । କିନ୍ତୁ ଏହି ଦୁଇ ଦଳ ଦିଲ୍ଲୀରେ ଦୋସ୍ତି ଏବଂ ପଲ୍ଲୀରେ କୁସ୍ତିର ନାଟକ କରି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ କରୁଥିବା ଜିଲ୍ଲା କଂଗ୍ରେସ ଯୁବ ସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ମମିତା ହତ୍ୟା ଘଟଣାର ନିଆଁ ଧିରେ ଧିରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଏହା ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.