ETV Bharat / state

ବାତ୍ୟା ମିଗଜୋମ୍ ପ୍ରଭାବରେ ବର୍ଷା, ଗଜପତିରେ ସ୍କୁଲ-କଲେଜ ଛୁଟି

author img

By ETV Bharat Odisha Team

Published : Dec 5, 2023, 10:05 AM IST

Updated : Dec 5, 2023, 11:11 AM IST

Cyclone Michaung
Cyclone Michaung

ମିଗଜୋମ୍ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତିରେ ଆସନ୍ତାକାଲି ବନ୍ଦ ରହିବ ସବୁ ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି। ଅଧିକ ପଢନ୍ତୁ

Michaung

ଗଜପତି: ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ମିଗଜୋମ୍ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ବର୍ଷା ଜାରି ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବାତ୍ୟା ମିଗଜୋମ୍ ପ୍ରଭାବ ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଗଜପତିରେ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ିକୁ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି(ବୁଧବାର) ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ମିଗଜୋମ୍ ପ୍ରଭାବରେ ସୋମବାରଠାରୁ ଜିଲ୍ଲାରେ ଝିପିଝିପି ବର୍ଷା ଜାରି ରହିଛି ।ଆଜି ମଧ୍ୟ ପାଗ ମେଘାଛନ୍ନ ରହିବା ସହ ବର୍ଷା ଲାଗି ରହିଛି । ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରାଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡ଼ିକୁ ଜିଲ୍ଲା ପ୍ରଶାସନ ଚିଠି ମାଧ୍ୟମରେ ଜଣାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ-ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ମିଗଜୋମ୍ ! ଓଡ଼ିଶାରେ ପ୍ରବଳ ବର୍ଷା

ଆଜି ପୂର୍ବାହ୍ନରେ ବାତ୍ୟା ମିଗଜୋମ୍ ଲ୍ୟାଣ୍ଡଫଲ କରିବ । ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ବାପାଟଲା ନିକଟରେ ମିଗଜୋମ୍ ସ୍ଥଳଭାଗ ଅତିକ୍ରମ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ପବନର ବେଗ ୧୧୦ କିମି ରହିପାରେ । ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି ।

ବାତ୍ୟାକୁ ନେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଆଜି ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ ଓ ଗଞ୍ଜାମ ଆଦି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତିରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ବାତ୍ୟା ମିଗଜୋମ୍ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଲ୍ୟାଣ୍ଡ ଫଲ ସମୟରେ ଏହାର ପ୍ରଭାବ ବଢିପାରେ । ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି ।

ଇଟିଭି ଭାରତ, ଗଜପତି

Last Updated :Dec 5, 2023, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.